ବଲାଙ୍ଗୀରରେ କେନ୍ଦ୍ରୀୟ କଂଗ୍ରେସ ଟିମ୍: ନିର୍ଭୟା ଘଟଣା ସହ ଯୋଡ଼ିଲେ ସୂର୍ଯ୍ୟେୱାଲା
ପରିବାରକୁ ୧ କୋଟିର ଆର୍ଥିକ ସହାୟତା ଦାବି, ଧାରା ୧୨୦ ଅନୁସାରେ କୋର୍ଟରେ ଏତଲା ଦେଇ ଗୃହମନ୍ତ୍ରୀଙ୍କୁ ବରଖାସ୍ତ କରାଯାଉ
ବଲାଙ୍ଗୀର/କଂଟାବାଞ୍ଜି: ମମିତା ହତ୍ୟାକାଣ୍ଡ ଘଟଣା ପୁଣିଥରେ ନିର୍ଭୟା ଘଟଣାକୁ ମନେପକାଇଛି। ଆଜି ଝରଣୀଠାରେ ମମିତା ମେହେରଙ୍କ ପରିବାରକୁ ଭେଟିବା ଅବସରରେ ଏହା କହିଛନ୍ତି ଜାତୀୟ କଂଗ୍ରେସ ନେତା ତଥା ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା। ଏହି ହତ୍ୟା ମାମଲାର ତଦନ୍ତ ଦାବି କରିବା ସହିତ ପରିବାରକୁ ୧ କୋଟି ଟଙ୍କାର ସହାୟତା ଦେବା ପାଇଁ ଦାବି କରିଛନ୍ତି। ଶ୍ରୀ ସୂର୍ଯ୍ୟେୱାଲାଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ କଣ୍ଟାବାଞ୍ଜି ରେଳବାଇ ଖେଳପଡ଼ିଆଠାରେ ହେଲିକପ୍ଟର ଯୋଗେ ଓଲ୍ଲାଇ ଝରଣୀ ଗାଁକୁ ଯାଇଥିଲେ। ଏଆଇସିସି ପ୍ରଭାରୀ ଏ. ଚେଲ୍ଲା କୁମାର ଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ଏହି ଟିମ୍ରେ ସାମିଲ୍ ହୋଇଥିଲେ। ପୀଡ଼ିତଙ୍କ ପରିବାର ସହ ଆଲୋଚନା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶ୍ରୀ ସୂର୍ଯେୱାଲା କହିଥିଲେ ଯେ, ଯେଉଁଭଳି ଭାବେ ୨୪ ବର୍ଷୀୟା ମମିତାଙ୍କ ଜଘନ୍ୟ ହତ୍ୟା କରାଯାଇଛି ପୁଣିଥରେ ନିର୍ଭୟା ହତ୍ୟାକାଣ୍ଡର ଘଟଣାକୁ ମନେ ପକାଇଦେଇଛି। ଦୁର୍ଭାଗ୍ୟର କଥା ଯେ ପ୍ରଭୁ ଜଗନ୍ନାଥଙ୍କ ଭୂମି ଓଡ଼ିଶାକୁ ଅପରାଧ ରାଜ୍ୟ ଭାବେ ବଦଳାଇ ଦେଇଛି ବିଜୁ ଜନତା ଦଳ। ହତ୍ୟାକାରୀ ଏବଂ ଗୁଣ୍ଡାମାନେ ଦଳର ସିଂହାସନରେ ବସିଛନ୍ତି।
ସେ ଆହୁରି କହିଥିଲେ ଯେ ଏହି ହତ୍ୟାକାଣ୍ଡରେ ରାଜ୍ୟର ଗୃହମନ୍ତ୍ରୀଙ୍କ ସିଧା ସିଧା ସଂପର୍କ ଅଛି। ଘଟଣା ଘଟାଇଥିବା ଗୋବିନ୍ଦର ବିଭିନ୍ନ କାର୍ଯ୍ୟକ୍ରମରେ ବିଜେଡିର ବିଭିନ୍ନ ମନ୍ତ୍ରୀ ଆସି ରହଣି କରୁଥିଲେ। ଶିକ୍ଷାନୁଷ୍ଠାନରେ ସେକ୍ସ ରୢାକେଟ ଚାଲିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଥାନାରେ ଏତଲା ଦିଆଯାଇନାହିଁ। ଅପରାଧୀ ନିଜେ ହିଁ ଏହି ଘଟଣାର ତଦନ୍ତ କରିବେ, ଯାହା ଉପରେ ସନ୍ଦେହ ଅଛି ସେ ପୁଲିସର ମୁଖିଆ ଥିବେ, ତେବେ ଘଟଣାର ତଦନ୍ତ କେମିତି ହେବ ବୋଲି ପ୍ରଶ୍ନ କରିଥିଲେ। ତେଣୁ, ଧାରା ୧୨୦ ଅନୁସାରେ କୋର୍ଟରେ ଏତଲା ଦେଇ ଗୃହମନ୍ତ୍ରୀଙ୍କୁ ବରଖାସ୍ତ ନକରନ୍ତି ଏବଂ ନିରପେକ୍ଷ ଭାବେ ତଦନ୍ତ ନକରନ୍ତି ତେବେ ମିମିତାଙ୍କୁ ନ୍ୟାୟ ମିଳିବ ନାହିଁ। ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏକ ଏସ୍ଆଇଟି ଟିମ୍ ଗଠନ କରି ଏହାର ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। ଦେଶର ସଂସଦରେ ମଧ୍ୟ ଏହି ଘଟଣାର ପ୍ରଶ୍ନ ଉଠାଯିବ ବୋଲି ଶ୍ରୀ ସୂର୍ଯେୱାଲା କହିଥିଲେ।
‘ ଏହି ଘଟଣାର ଏସ୍ଆଇଟି ଯାଂଚ ମଧ୍ୟ କଂଗ୍ରେସ ଦାବି ରଖି ପରିବାରକୁ ନ୍ୟାୟ କେମିତି ମିଳିବ ସେ ଉପରେ ଦୃଷ୍ଟିଦେବୁ। ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ସମେତ କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତା ଏହି ଘଟଣାରେ ନ୍ୟାୟ କେମିତି ମିଳିବ ସେ ନେଇ ଲଢ଼ିବେ,’ ବୋଲି ଶ୍ରୀ ସୂର୍ଯ୍ୟେୱାଲା କହିଥିଲେ। ଏଥିସହିତ,ପୀଡ଼ିତ ପରିବାରକୁ ୧ କୋଟିର ଅର୍ଥିକ ସହାୟତା ଏବଂ ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବା ପାଇଁ ସେ ଦାବି କରିଥିଲେ। ବିଧାୟକ ନରସିଂହ ମିଶ୍ର କହିଥିଲେ, ଏହି ଘଟଣା ପରେ ପୀଡ଼ିତଙ୍କ ପରିବାର ଚାପରେ ଅଛନ୍ତି ଏବଂ ମମିତାଙ୍କ ମାଁ ଅସୁସ୍ଥ ଅଛନ୍ତି। ତାଙ୍କର ଚିକିତ୍ସା ଦରକାର। ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ତାଙ୍କର ମାଗଣାରେ ଚିକିତ୍ସା କରାଇଦେବେ ଏବଂ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ଏଆଇସିସି ନେବ। ’ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର, ଯୁବନେତା ସେଜି ସିଂହ ସାଲୁଜା, ନୂଆପଡ଼ା ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବ ସାଂସଦ ଶରତ ପଟ୍ଟନାୟକ ସମେତ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।