କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ରାଜ୍ୟ ଅଧିକାରୀଙ୍କ ବୈଠକ : ସନ୍ଧ୍ୟା ସୁଦ୍ଧା ପୁରୀରେ କାର୍ଯ୍ୟକ୍ଷମ ହେବ ସମସ୍ତ ବ୍ୟାଙ୍କ, ଉଭୟ ଅନଲାଇନ୍ ଓ ଅଫଲାଇନରେ କାମ ହେବ

ଭୁବନେଶ୍ବର: ଫନି ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଲାଗି ଓଡ଼ିଶା ଗସ୍ତରେ ଥିବା  କେନ୍ଦ୍ର ସରକାରଙ୍କ ଟେଲିକମ, ପାୱାର ଓ ବ୍ୟାଙ୍କିଂ ମନ୍ତ୍ରାଳୟର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ବରିଷ୍ଠ  ଅଧିକାରୀ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି କି, ଆଜି ସନ୍ଧ୍ୟା ସୁଦ୍ଧା ପୁରୀରେ ସମସ୍ତ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ଓ  ଇଂଟରନେଟ୍ କନେକ୍ସନ ନ ଥିବା ବ୍ୟାଙ୍କଗୁଡ଼ିକରେ ଅଫଲାଇନରେ କାମ ହେବ।

ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ଟେଲିକମ ସେକ୍ଟରରେ ଅତ୍ୟଧିକ କ୍ଷତି ଘଟିଛି । ଏହାର ମୁକାବିଲା ପାଇଁ ଟେଲିକମ କମ୍ପାନୀମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି । ପ୍ରାୟ ସମସ୍ତ ଅଂଚଳରେ ନେଟୱର୍କ  ସକ୍ରିୟ ହୋଇସାରିଛି । ଆଉ ଅଳ୍ପ କିଛି ଅଂଚଳ ବାକି ଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଅନ୍ୟ ପକ୍ଷରେ ପୁରୀରେ ଟେଲିକମ କ୍ଷେତ୍ରରେ ୮୦ ପ୍ରତିଶତ କାମ ହୋଇସାରିଛି ଓ ଖୁବ ଶୀଘ୍ର କାମ ସଂପୂର୍ଣ୍ଣ ହେବ ବୋଲି କହିଛନ୍ତି କେନ୍ଦ୍ର ଶକ୍ତି ସଚିବ ।

ସୂଚନାଯୋଗ୍ୟ, ସାମୁଦ୍ରିକ ବାତ୍ୟା ଫନିରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପୁରୀରେ ସମୁଦ୍ର ପାଣି ରାସ୍ତା ଉପରକୁ ମାଡ଼ି ଆସିବା ସହ ବିଭିନ୍ନ ବସ୍ତିକୁ ଭାଙ୍ଗିଦେଇଥିଲା ଫନି । ମୋବାଇଲ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଫନି ପ୍ରଭାବିତ ଅଂଚଳରେ ଅଧିକାଂଶ ଚାଳ ଘରର ଛପର ଉଡିଯାଇଥିଲା । ହଜାର ହଜାର ନଡିଆ ଗଛ ଭାଙ୍ଗିଯାଇଥିଲା । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିବା ଫଳରେ ଯୋଗାଯୋଗ  ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର