ଭୁବନେଶ୍ବର/ମେଣ୍ଢାଶାଳ/ବରଗଡ଼: ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣାରେ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର(ସିଡିଟିଏଲ୍) ଆଜି ଉଦ୍ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ଜରିଆରେ ଏହି ପରୀକ୍ଷାଗାର ସହ ବରଗଡ଼ରେ ଏକ କ୍ରିଟିକାଲ୍ କେୟାର ସେଣ୍ଟର୍ର ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରିଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଏହି ଅବସରରେ ଗୋଠପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଥିବା ଭଲ ପାଇବାର ନିଦର୍ଶନ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ଆମ ରାଜ୍ୟ ଓଡ଼ିଶାରେ ଏକ ଅନ୍ତର୍ଜାତୀୟ ମାନର ଭେଷଜ ପରୀକ୍ଷା ପ୍ରୟୋଗଶାଳା ସ୍ଥାପିତ ହୋଇପାରିଛି। ଏହି ପରୀକ୍ଷାଗାର ସ୍ଥାପନା ଦ୍ୱାରା ଭେଷଜ ପରୀକ୍ଷା ଓ ମାନ ନିୟନ୍ତ୍ରଣ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ। ଆମ ରାଜ୍ୟରେ ଉନ୍ନତମାନର ଔଷଧର ବିତରଣକୁ ପ୍ରୋତ୍ସାହନ ମିଳିବ। ଏହି ପରୀକ୍ଷାଗାର ଆମ ରାଜ୍ୟରେ ଥିବା ଓଡିଶା ସରକାରଙ୍କର ପରୀକ୍ଷାଗାର ଉପରେ ପରୀକ୍ଷଣର ଚାପକୁ ଦୂର କରିବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦୀଜୀ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ଓଡ଼ିଶାରେ ଆମ ସରକାର ଖୁବ୍ ଶୀଘ୍ର ‘ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି। ଏହା ସହିତ ଆମ ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ‘ଗୋପବନ୍ଧୁ ଜନ ଆରୋଗ୍ୟ’ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ଏହି ଦୁଇଟି ଯୋଜନାର ସମନ୍ୱୟରେ ରାଜ୍ୟବାସୀ ଚିକିତ୍ସା ଚିନ୍ତାରୁ ମୁକ୍ତ ହେବେ। ଦୁଇଟି ଯୋଜନା ପାଇଁ ରାଜ୍ୟ ବଜେଟ୍ରେ ୩ ହଜାର ୫୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଓଡ଼ିଶାରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆମ ନୂଆ ସରକାର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।
ବରଗଡ଼ରେ କ୍ରିଟିକାଲ୍ କେୟାର ସେଣ୍ଟର୍
ଯୋଗ ଓ ପ୍ରାକୃତିକ ଚିକିତ୍ସା
ଅନୁସନ୍ଧାନ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପିତ
ଆଭାସୀରେ ପ୍ରକଳ୍ପ ଆରମ୍ଭ କଲେ ମୋଦୀ
ଓଡ଼ିଶାରେ ଉନ୍ନତମାନର ଔଷଧ
ବିତରଣ ତ୍ବରାନ୍ବିତ ହେବ: ମୁଖ୍ୟମନ୍ତ୍ରୀ
ଆୟୁର୍ବେଦ ଓ ଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଦୁଇଟି ପାରମ୍ପରିକ ବିଜ୍ଞାନ ସାରା ବିଶ୍ୱକୁ ପ୍ରାଚୀନ ଭାରତର ମହର୍ଷିମାନଙ୍କର ଏକ ମହାନ ଅବଦାନ। ଯୋଗ ଦ୍ୱାରା ଶାରୀରିକ ମାନସିକ ସନ୍ତୁଳନ ରକ୍ଷା ହୋଇଥାଏ। ଆଜିର ସମାଜରେ ଜୀବନ ଶୈଳୀରେ ସାମାନ୍ୟ ପରିବର୍ତ୍ତନ କରି ଯୋଗ ମାଧ୍ୟମରେ ଆମେ ନିଜକୁ ଆରୋଗ୍ୟ କରିପାରୁଛୁ। ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ ଯୋଗ, ସର୍ବମାନ୍ୟ ଓ ଲୋକପ୍ରିୟ ହୋଇପାରିଛି। ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଧାୟକ ବାବୁ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଡି.ସି.ଜି.ଆଇ. ସ୍ୱାଗତ ଭାଷଣ ଦେଇଥିଲେ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଅଶ୍ୱତୀ. ଏସ୍. ଧନ୍ୟବାଦ ଅର୍ପଣ କରିଥିଲେ।
ଜଟଣୀ ବ୍ଳକ ଛତାବର ପଞ୍ଚାୟତର ବିଞ୍ଝଗିରିଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ଶିଳାନ୍ୟାସ ଉତ୍ସବରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଆୟୁଷ ମନ୍ତ୍ରଣାଳୟ ନିର୍ଦ୍ଦେଶକ ପ୍ରେମଜିତ ନାୟକ, ଯୋଗ ଓ ପ୍ରାକୃତିକ ଚିକିତ୍ସା କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ରାଘବିନ୍ଦର ରାଓ ଯୋଗ ଦେଇଥିଲେ। ଏହି ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ୨୦ ଏକର ଜମି ଯୋଗାଇ ଦେଇଛନ୍ତି। ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତି କରାଯିବ। ୧୦୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଓଡ଼ିଶାର ପ୍ରଥମ ୫୦ ଶଯ୍ୟା ବିଶିଷ୍ଟ ଜରୁରିକାଳୀନ ଚିକିତ୍ସା କେନ୍ଦ୍ର (କ୍ରିଟିକାଲ୍ କେୟାର ୟୁନିଟ୍) ଉଦ୍ଘାଟିତ ହୋଇଛି। ବରଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗଡ଼ତିଆ ଓ ଜାତୀୟ ସ୍ବାସ୍ଥ୍ୟ ମିସନ ଅତିରିକ୍ତ ନିର୍ଦ୍ଦେଶକ ମୃଣାଳକାନ୍ତି ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ୱାଗତ ଭାଷଣ ଦେଇଥିଲେ। ଡିଆଇପିଆର୍ଓ ପ୍ରହଲ୍ଲାଦ ଖୋସ୍ଲା ମଞ୍ଚ ପରିଚାଳନା କରିଥିଲା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନିରୁପମା ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ। ଏହି ୫୦ ଶଯ୍ୟା ବିଶିଷ୍ଟ ସିସିୟୁ ‘ପିଏମ୍ ଆୟୁଷ୍ମାନ ଭାରତ ଇନଫ୍ରାଷ୍ଟ୍ରକ୍ଚର ମିସନ ଗ୍ରାଣ୍ଟ’ରେ ୧୮ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏଥିରେ ଡାଇଲିସିସ ପାଇଁ ୨ଟି ଶଯ୍ୟା ଥିବା ବେଳେ ଆଇସୋଲେସନ ୱାର୍ଡରେ ୨୪ଟି, ହାଇ ଡିପେଣ୍ଡେନ୍ସି ୟୁନିଟରେ ୮ଟି, ଆଇସିୟୁରେ ୧୦ଟି, ଜରୁରିକାଳୀନ ଚିକିତ୍ସା ପାଇଁ ୨ଟି, ମାତୃ ଓ ଶିଶୁ ଚିକିତ୍ସା ପାଇଁ ୨ଟି, ପୋଷ୍ଟ ଅବଜର୍ଭେସନ୍ ପାଇଁ ୨ଟି ଶଯ୍ୟା ରହିଛି।