କାମଚଳାରେ ଚାଲିଛି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ: ଆଇଆଇଟି, ଏମ୍ସ ଭୁବନେଶ୍ବରରେ ନାହାନ୍ତି ସ୍ଥାୟୀ ନିର୍ଦେଶକ
ଆଇଆଇଏମ୍ ସମ୍ବଲପୁର ନିର୍ଦେଶକଙ୍କ କାର୍ଯ୍ୟକାଳ ମଧ୍ୟ ସରିଲାଣି, ୧୦ ମାସ ହେଲା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କୁଳପତି ନାହାନ୍ତି
କେଶବ ପାଣି
ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ନୂଆ ଶିକ୍ଷା ନୀତି ଅଣାଯାଇଛି। ଜାତୀୟ ଶିକ୍ଷା ବ୍ୟବସ୍ଥାରେ ଆମୂଳ ଚୂଳ ପରିବର୍ତନ କରିବାକୁ ରୂପରେଖ ମଧ୍ୟ ପ୍ରସ୍ତୁତ ହେଉଛି। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷାକୁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷା କ୍ଷେତ୍ରକୁ ଡିଜିଟାଲ ମୁହାଁ କରିବାକୁ କେନ୍ଦ୍ରୀୟ ବଜେଟ୍ରେ ସ୍ବତନ୍ତ୍ର ବ୍ୟବସ୍ଥା ହେଉଛି। ଏତେ ସବୁ ପରେ ବି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଦୟନୀୟ ସ୍ଥିତି ଜାରି ରହିଛି। କେଉଁଠି ପ୍ରଫେସର ଅଭାବରୁ ପାଠପଢ଼ା ପ୍ରଭାବିତ ହେଉଛି ତ ଆଉ କେଉଁଠି ପିଲାଙ୍କୁ ପାଖରେ ପହଞ୍ଚିପାରୁନି ଗୁଣାତ୍ମକ ଶିକ୍ଷା। ରାଜ୍ୟଗୁଡ଼ିକ କଥା ଦୂରରେ ଥାଉ। ଶିକ୍ଷାରେ ସଂସ୍କାର ଆଣିବାକୁ ସ୍ବପ୍ନ ଦେଖାଉଥିବା ଖୋଦ୍ କେନ୍ଦ୍ର ସରକାରଙ୍କ ଅଧୀନ ଶିକ୍ଷାନୁଷ୍ଠାନର ଦୟନୀୟ ଚିତ୍ର ଏବେ ସାମ୍ନାକୁ ଆସିଛି। ଓଡ଼ିଶାରେ ଥିବା ୪ଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ମୁଖିଆ ନାହାନ୍ତି। ଭାରପ୍ରାପ୍ତରେ ଭାରାକ୍ରାନ୍ତ ହୋଇପଡ଼ିଛି ଆଇଆଇଟି, ଆଇଆଇଏମ୍, ଏମ୍ସ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ। ପାଞ୍ଚ ମାସ ଧରି ଭାରପ୍ରାପ୍ତ ନିର୍ଦେଶକରେ ଚାଲିବା ପରେ ଫେବ୍ରୁଆରି ମାସରେ ଏନ୍ଆଇଟି ରାଉରକେଲାର ନୂତନ ନିର୍ଦେଶକ ନିଯୁକ୍ତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛନ୍ତି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି। ପାଖାପାଖି ଗୋଟିଏ ବର୍ଷ ହେବ ଦାୟିତ୍ବରେ ରହିଥିଲେ ମଧ୍ୟ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଭାରପ୍ରାପ୍ତ ପରମ୍ପରା ହଟିପାରି ନାହିଁ। ବରଂ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ ଭାରପ୍ରାପ୍ତ ମୁଖିଆ ନିଯୁକ୍ତ ହେଉଛନ୍ତି। କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ(ସିୟୁଓ)ରେ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ବିଶ୍ବବିଦ୍ୟାଳୟ ଲାଗି ଅନୁମୋଦିତ ୧୫୪ ନିୟମିତ ଶିକ୍ଷକ ପଦବି ମଧ୍ୟରୁ ୧୩୭ଟି ଖାଲି ପଡ଼ିଛି। ୧୪ଟି ବିଭାଗରେ ପାଖାପାଖି ଏକ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ସେମାନଙ୍କୁ ପଢ଼ାଇବା ଲାଗି ମାତ୍ର ୧୭ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ରହିଛନ୍ତି। ୨୦୨୧ ଜୁଲାଇ ମାସରୁ ଏଠାରେ ସ୍ଥାୟୀ କୁଳପତି ନାହାନ୍ତି। ଜୁଲାଇ ୨୮ରେ ତତ୍କାଳିନ କୁଳପତି ଆଇ. ରାମବ୍ରହ୍ମମ୍ଙ୍କ ଦେହାନ୍ତ ହୋଇଥିଲା। ୨୦୧୯ରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସେ ଦାୟିତ୍ୱ ତୁଲାଇ ଆସୁଥିଲେ। ଆହୁରି ଦୁଇ ବର୍ଷ କାର୍ଯ୍ୟକାଳ ରହିଥିଲେ ମଧ୍ୟ ତାଙ୍କ ବିୟୋଗ ପରେ ଏହି ପଦବି ଖାଲି ପଡ଼ିଛି। ପ୍ରଫେସର ଲଳିତ କୁମାର ପାଲିତା ଭାରପ୍ରାପ୍ତ କୁଳପତି ଦାୟିତ୍ବରେ ରହିଛନ୍ତି।
ଇତି ମଧ୍ୟରେ ଭୁବନେଶ୍ବର ଆଇଆଇଟି ନିର୍ଦେଶକ ପଦବି ଖାଲି ହୋଇଛି। ପୂର୍ବତନ ନିର୍ଦେଶକ ଆର ଭି ରାଜାକୁମାରଙ୍କ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦ରେ ଶେଷ ହୋଇଥିଲା। ନୂତନ ନିର୍ଦେଶକ ନିଯୁକ୍ତି ବଦଳରେ ପ୍ରଫେସର ରାଜାକୁମାରଙ୍କ କାର୍ଯ୍ୟକାଳକୁ ଆଉ ଦୁଇ ବର୍ଷ ବଢ଼ାଯାଇ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ଆର୍ଥିକ ପରିଚାଳନା କ୍ଷମତା ଦିଆଯାଇ ନ ଥିବାରୁ ଶିକ୍ଷାନୁଷ୍ଠାନର ସେଭଳି ଆଖିଦୃଶିଆ ଉନ୍ନତି କରିପାରି ନ ଥିଲା। ତାଙ୍କ କାର୍ଯ୍ୟକାଳ ଏପ୍ରିଲ ପହିଲାରେ ଶେଷ ହୋଇଛି। ଏହି ଦୁଇ ବର୍ଷ ମଧ୍ୟରେ ନୂତନ ନିର୍ଦେଶକ ନିଯୁକ୍ତ କରିପାରିଲାନି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଯେଉଁଥିପାଇଁ ଆଇଆଇଟି ଖଡ଼ଗପୁର ନିର୍ଦେଶକ ପ୍ରଫେସର ଭି କେ ତିୱାରିଙ୍କୁ ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ନୂତନ ନିର୍ଦେଶକ ଚୟନ ପର୍ଯ୍ୟନ୍ତ ପ୍ରଫେସର ତିୱାରି ଏହି ଦାୟିତ୍ବ ତୁଲାଇବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ଆଇଆଇଏମ୍ ସମ୍ବଲପୁରର ପ୍ରଥମ ନିର୍ଦେଶକ ପ୍ରଫେସର ଏମ୍ ପି ଜୈଶୱାଲଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହୋଇଛି। ୨୦୧୭ ଫେବ୍ରୁଆରି ମାସରେ ପ୍ରଫେସର ଜୈଶୱାଲଙ୍କୁ ନିଯୁକ୍ତି ଦିଆଯାଇଥିଲା। ଇତି ମଧ୍ୟରେ ୫ ବର୍ଷ ଶେଷ ହୋଇଛି। ତା’ପରେ ବି ନୂତନ ନିର୍ଦେଶକ ନିଯୁକ୍ତି ହୋଇପାରି ନାହାନ୍ତି। ଏବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଦବି ଲାଗି ଆଗ୍ରହୀ ଥିବା ଯୋଗ୍ୟ ପ୍ରଫେସରମାନେ ଆସନ୍ତା ୨୭ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯୋଗ୍ୟତା ସମ୍ପର୍କରେ ଆଇଆଇଏମ୍ ସମ୍ବଲପୁର ୱେବସାଇଟ୍ରେ ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି। ଆବେଦନ ଶେଷ କରି ନୂତନ ନିର୍ଦେଶକ ଚୟନ ଲାଗି କେତେ ଯେ ସମୟ ଲାଗିବ ତାହା କହିବା ମୁସ୍କିଲ ହୋଇପଡ଼ିଛି। କେବଳ ଯେ ଶିକ୍ଷା ମନ୍ତ୍ରଣାଳୟରେ ଏଭଳି ଅବସ୍ଥା ତାହା ନୁହେଁ। ବରଂ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ବର ଏମ୍ସରେ ମଧ୍ୟ ସମାନ ଅବସ୍ଥା। ଗତ ନଭେମ୍ବର ମାସରେ ତତ୍କାଳିନ ନିର୍ଦେଶକ ଗୀତାଞ୍ଜଳି ବି. ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ନୂତନ ନିଯୁକ୍ତି ଦେବା ବଦଳରେ ଏମ୍ସ ମଙ୍ଗଲଗିରିର ନିର୍ଦେଶକ ମୁକେଶ ତ୍ରିପାଠୀଙ୍କୁ ଏମ୍ସ ଭୁବନେଶ୍ବରର ନିର୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ୬ ମାସ ଧରି ସେ ଏହି ଦାୟିତ୍ବରେ ରହିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଇତି ମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ ନୂତନ ନିର୍ଦେଶକ ନିଯୁକ୍ତି ହୋଇପାରି ନାହାନ୍ତି। ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟା କେବେ ଶେଷ ହେବ ତାହାକୁ ନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି।