ଖୋର୍ଦ୍ଧା: ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ସୀମାରେ ଥିବା ଏସିଆର ସର୍ବବୃହତ ପ୍ରାକୃତିକ ଲୁଣା ହ୍ରଦ ଚିଲିକାର ପୁନରୁଦ୍ଧାର ଓ ସୁରକ୍ଷା ପାଇଁ ସରକାରଙ୍କ ଯୋଜନା କିଭଳି ସ୍ଥଳ ବିଶେଷରେ କାର୍ଯ୍ୟକାରୀ ହେଉଛି ତା’ର ସଦ୍ୟତମ ପ୍ରମାଣ ମିଳିଛି। ଫାଇଲିନ୍ରେ ଚିଲିକା କ୍ଷତିଗ୍ରସ୍ତ ହେବା ପରେ ଏସିଆନ୍ ଡେଭଲାପମେଣ୍ଟ ବ୍ୟାଙ୍କ ଅନୁଦାନରୁ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚିଲିକା କୂଳର ମରାମତି, ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଥିଲା। ଏହା ମଧ୍ୟରେ ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଛି। ପ୍ରକଳ୍ପର ଅନ୍ତିମ ବିଲ୍ ମଧ୍ୟ ପୈଠ ହୋଇନାହିଁ। କିନ୍ତୁ ଚିଲିକା ଉପକୂଳର ଅବସ୍ଥା ପୁଣି ଦୟନୀୟ ହୋଇଯାଇଛି।
୨୦୧୩ ଫାଇଲିନ ବାତ୍ୟା ପରେ ଚିଲିକାର ଉପକୂଳର ପୁନରୁଦ୍ଧାର ପାଇଁ ଏସିଆନ୍ ଡେଭଲାପ୍ମେଣ୍ଟ ବ୍ୟାଙ୍କ (ଏଡିବି) ଓ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଯୋଜନା ହୋଇଥିଲା। ଚିଲିକା କୂଳ ଦେଇ ଯାଇଥିବା ରାସ୍ତାର ପଥର ପ୍ୟାକିଂ, ଜନବସତି ଅଂଚଳ ପାର୍ଶ୍ବରେ ଥିବା ଚିଲିକା କୂଳରେ ଘାସ ଲଗାଇବା ଆଦି କାମ ପାଇଁ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକ ବ୍ୟୟବରାଦ କରାଯାଇଥିଲା। ଏହି ବରାଦ ଅନୁସାରେ, ୨୦୧୮ରେ ପଦ୍ମାଳୟା ଇନ୍ଫ୍ରାଷ୍ଟକ୍ଚର ପ୍ରା ଲିଃକୁ ୫ କୋଟି ୫୬ ଲକ୍ଷ ୨୮ ହଜାର ୨୯୪ ଟଙ୍କାର ଟେଣ୍ଡର ମିଳିଥିଲା। ଟେଣ୍ଡର ଚୁକ୍ତି ଅନୁସାରେ, ଚିଲିକାର ବ୍ଲକ-୩ ଲୁଣାଘେରିର ମରାମତି ଓ ପୁନରୁଦ୍ଧାର କାମ ୨୭ ଜୁଲାଇ ୨୦୧୮ରେ ଆରମ୍ଭ ହୋଇ ୨୬ ଜାନୁଆରି ୨୦୨୦ରେ ଶେଷ ହେବା ଧାର୍ଯ୍ୟ ହୋଇଥିଲା। ଚିଲିକା କୂଳର ୬ କିମି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଉଚ୍ଚ କରିବା ସହ ପଥର ପ୍ୟାକିଂ ଦେଇ ସୁଦୃଢ଼ କରିବା, ଜନବସତି ଓ ଚିଲିକା କୂଳର ଉଭୟପାର୍ଶ୍ବର ଢାଲୁଆ ଅଞ୍ଚଳରେ ‘ସ୍ଲୋପ୍ ପ୍ୟାକିଂ’ କରିବା, ପୂର୍ବର ପଥର ପ୍ୟାକିଂକୁ ବାହାର କରି ପୁଣି ନୂତନ ପଥର ପ୍ୟାକିଂ ଦେବା ସ୍ଥିର ହୋଇଥିଲା।
ତେବେ ପରବର୍ତୀ ସମୟରେ, ୨୭ ସେପ୍ଟମ୍ବର ୨୦୨୦ରେ ଏହି କାମକୁ ପରିବର୍ତନ କରାଯାଇଥିଲା । ଭୁବନେଶ୍ବର କେନ୍ଦ୍ରୀୟ ଜଳସେଚନ ସର୍କିଲର ସେକ୍ସନ ଇଂଜିନିୟର ଗସ୍ତ ସମୟରେ ଅନୁଧ୍ୟାନ କରି ଢାଲୁଆ ଅଞ୍ଚଳରେ ପଥର ପ୍ୟାକିଂ ବଦଳରେ ଘାସ ଲଗାଇବା, ଧସିଯାଇଥିବା ମାଟିରେ ମାଟି ଭର୍ତି କରିବା ଆଦି କାମ ପାଇଁ ଅନୁମୋଦନ କରିଥିଲେ। ଫଳରେ ୨୦୨୦ରେ ଶେଷ ହେବା କାମକୁ ପୁଣି ୨୫ ଜୁଲାଇ ୨୦୨୧କୁ ବର୍ଦ୍ଧିତ କରାଯାଇଥିଲା। ଏହି ସମୟରେ ଚିଲିକାର ବେଆଇନ ଘେରି, କୋଭିଡ୍ କଟକଣା ଆଦି ଯୋଗୁଁ ପ୍ରକଳ୍ପ ଶେଷ ସମୟକୁ ପୁଣି ୨୭ ଜୁନ୍ ୨୦୨୨କୁ ବୃଦ୍ଧି କରାଯାଇଥିଲା। ବର୍ତମାନ ଏହି କାମ ଶେଷ ହୋଇଛି ଓ ଅନ୍ତିମ ବିଲ୍ ପାଇଁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଅନୁମୋଦନ କରିଛନ୍ତି। କିନ୍ତୁ ୫ ବର୍ଷ ଧରି ଚାଲିଥିବା ମରାମତି ଓ ପୁନରୁଦ୍ଧାର କାମ, ଶେଷ ହେବା ବେଳକୁ ଚିଲିକା କୂଳର ଅବସ୍ଥା ପୂର୍ବସ୍ଥିତିକୁ ପହଞ୍ଚିଯାଇଛି।
ଏନେଇ ଚିଲିକା ଉପକୂଳର ମରାମତି ଆଦି କାର୍ଯ୍ୟ କରୁଥିବା ସାଳିଆ ଜଳସେଚନ ଡିଭିଜନ ଏଇ(ସହକାରୀ ଯନ୍ତ୍ରୀ) ମୂରଲୀଧର ବେହେରାଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଏଡିବି ପ୍ରକଳ୍ପ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ଶେଷ ହୋଇଯାଇଛି। ବର୍ତମାନ ଚିଲିକାର ଉପକୂଳ ସୁରକ୍ଷା ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ପ୍ରକଳ୍ପ ଚାଲୁନାହିଁ। ସବୁଠାରୁ ଗରୁତ୍ବପୂର୍ଣ୍ଣ ଦୁଇ ମାସ ପୂର୍ବେ କେନ୍ଦ୍ର ସରକାର ଚିଲିକାର ଖନନ ପାଇଁ ୨୩ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ବନ ବିଭାଗ, ଜଳସେଚନ ବିଭାଗ ଓ କେନ୍ଦ୍ର ସରକାରଙ୍କ ଜଙ୍ଗଲ-ପରିବେଶ ମନ୍ତ୍ରଣାଳୟ ଅଧୀନ ରାମସର ପ୍ରକଳ୍ପ ବିଭାଗ ମଧ୍ୟରେ ସମନ୍ବୟ ନଥିବାରୁ ଉପଯୁକ୍ତ ଯୋଜନା ପ୍ରସ୍ତୁତ ହୋଇପାରୁନାହିଁ କି ଅନୁଦାନ ସଠିକ ବିନିଯୋଗ ହୋଇପାରୁନାହିଁ। ଏହାସହ ପ୍ରତ୍ୟେକ ବାତ୍ୟା ପରେ ଓ ନିୟମିତ ଭାବେ ଚିଲିକାର ଉପକୂଳ କ୍ଷୟର ସଠିକ ଯାଞ୍ଚ ଓ ଅନୁଧ୍ୟାନ ଆଦି ହୋଇପାରୁନଥିବାରୁ ସରକାର ସକରାତ୍ମକ ଯୋଜନା ପ୍ରସ୍ତୁତ କରିବାରେ ବାରମ୍ବାର ବିଫଳ ହେଉଛନ୍ତି ବୋଲି ପ୍ରକୃତିବିଦ୍ମାନେ ମତ ଦେଇଛନ୍ତି।