ଶ୍ରମିକଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର, ଅକ୍ଟୋବର ପହିଲାରୁ ନୂଆ ଦରରେ ମଜୁରି ଦିଆଯିବ

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ନେଇ ଜଣାଇଲେ ଉପମୁଖ୍ୟ ଶ୍ରମ କମିସନର

ଭୁବନେଶ୍ୱର : ଖଣି, ନିର୍ମାଣ, କୃଷି ଓ ରେଳବାଇରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ପରିବର୍ତ୍ତନଶୀଳ ମହଙ୍ଗାଭତ୍ତାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଚଳିତ ମାସ ପହିଲାରୁ ନୂଆ ଦରରେ ଶ୍ରମିକମାନଙ୍କୁ ମଜୁରି ପ୍ରଦାନ କରାଯିବ। ଏ ନେଇ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଥିବା ଭୁବନେଶ୍ବର ସ୍ଥିତ କେନ୍ଦ୍ରୀୟ ଉପମୁଖ୍ୟ ଶ୍ରମ କମିସନର ଶକୁନ୍ତଳା ପଟ୍ଟନାୟକ ଜଣାଇଛନ୍ତି।

ବିଜ୍ଞପ୍ତି ଅନୁଯାୟୀ, ବିଭିନ୍ନ ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ମହଙ୍ଗାଭତ୍ତା ବୃଦ୍ଧି କରାଯାଇଛି। ଭୂମି ଉପରେ କାମ କରୁଥିବା ଅଣକୁଶଳୀ ଶ୍ରମିକମାନେ ଏଣିକି ଜଣକ ପିଛା ମୂଳ ମଜୁରି ବାବଦରେ ୩୫୦ ଟଙ୍କା ସହିତ ମହଙ୍ଗାଭତ୍ତା ବାବଦରେ ୭୭ ଟଙ୍କା ମିଶି ୪୨୭ ଟଙ୍କା ପାଇବେ। ସେହିପରି ଅର୍ଦ୍ଧକୁଶଳୀ, କୁଶଳୀ କିମ୍ବା କିରାଣୀ ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ପାଇଁ ଯଥାକ୍ରମେ ୯୭, ୧୧୬ ଓ ୧୩୫ ଟଙ୍କା ମହଙ୍ଗା ଭତ୍ତା ବାବଦରେ ବୃଦ୍ଧି କରାଯାଇଛି। ଫଳରେ ଏସବୁ ବର୍ଗର ଶ୍ରମିକ ଏଣିକି ଜଣକ ପିଛା ୫୩୪, ୬୩୯ ଓ ୭୪୫ ଟଙ୍କା ପାଇବେ। ଖଣି ଭିତରେ ବା ଭୂମି ତ​ଳେ କାମ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକଙ୍କୁ ମହଙ୍ଗା ଭତ୍ତା ମିଶାଇ ଜଣକା ୫୩୪, ୬୩୯, ୭୪୫ ଓ ୮୩୨ ଟଙ୍କା ପ୍ରଦାନ କରାଯିବ।

ଭୁବନେଶ୍ବର, କଟକ ଓ ରାଉରକେଲା ସହରରେ ବିଭିନ୍ନ ରାସ୍ତା ନିର୍ମାଣ, ବିମାନ ରନ୍‌ ଓ୍ବେ ଓ କୋଠାବାଡ଼ି ନିର୍ମାଣ, ଭୂତଳ ବିଦ୍ୟୁତ ତାର ବିଛାଇବା, ଟେଲିଫୋନ୍‌, ରେଡିଓ, ଟେଲିଭିଜନ, ସ୍ବେରେଜ୍‌ ପାଇପ୍‌, ଜଳ ଯୋଗାଣ ପରି କେନ୍ଦ୍ର ସରକାରଙ୍କ ସଂସ୍ଥା ଅଧୀନରେ କାମ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକଙ୍କୁ ଜଣକ ପିଛା ୫୩୪, ୬୦୩, ୭୦୭ ଓ ୭୭୭ ଟଙ୍କା ମଜୁରି ପ୍ରଦାନ କରାଯିବ। ବାକି ଅନ୍ୟ ସହରାଞ୍ଚଳରେ ଏସବୁ ବର୍ଗର ଶ୍ରମିକମାନଙ୍କୁ ଯଥାକ୍ରମେ ୪୨୭, ୫୦୦, ୬୦୩ ଓ ୭୦୭ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କୃଷି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ମହଙ୍ଗାଭତ୍ତା ବୃଦ୍ଧି କରାଯାଇଛି। ବିଶେଷକରି ଭୁବନେଶ୍ବର, କଟକ ଓ ରାଉରକେଲା ସହରରେ ନିୟୋଜିତ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକମାନଙ୍କୁ ୩୭୧, ୪୦୯, ୪୪୫ ଓ ୪୯୭ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ବାକି ଅନ୍ୟ ଅଞ୍ଚଳ ପାଇଁ ଏସବୁ ବର୍ଗର ଶ୍ରମିକଙ୍କୁ ଯଥାକ୍ରମେ ୩୬୮, ୩୭୫, ୪୦୮ ଓ ୪୪୫ ଟଙ୍କା ଲେଖାଏଁ ମଜୁରି ପ୍ରଦାନ କରାଯିବ। ଭୁବନେଶ୍ବର, କଟକ ଓ ରାଉରକେଲା ସହରରେ ଲୋଡିଂ, ଅନଲୋଡ଼ିଂ, ରେଳବାଇ ପାର୍ସଲ, ଗୋଦାମ ଗୃହ, ଓ୍ବେରହାଉସ୍‌, ବନ୍ଦରରେ ନିୟୋଜିତ ଶ୍ରମିକମାନଙ୍କୁ ବର୍ଦ୍ଧିତ ମହଙ୍ଗାଭତ୍ତା ମିଶି ୫୩୪ ଟଙ୍କା ପ୍ରଦାନ କରାଯିବ। ଅନ୍ୟ ବାକି ସହରାଞ୍ଚଳରେ ନିୟୋଜିତ ଶ୍ରମିକଙ୍କୁ ମଜୁରି ବାବଦରେ ୪୨୭ ଟଙ୍କା ମିଳିବ।

ମନୁଷ୍ୟକୃତ ମଳ କଢ଼ା ଓ ଉଠା ପାଇଖାନା ନିର୍ମାଣ କାର୍ଯ୍ୟକୁ ଆଇନତଃ ନିଷିଦ୍ଧ କରାଯାଇଛି। କିନ୍ତୁ ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ମହଙ୍ଗାଭତ୍ତା ବୃଦ୍ଧି କରାଯାଇଛି। ଭୁବନେଶ୍ବର, କଟକ ଓ ରାଉରକେଲା ସହରରେ ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକ ୫୩୪ ଟଙ୍କା ମଜୁରି ପାଇବେ। ବାକି ଅନ୍ୟ ସହରରେ ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ୪୨୭ ଟଙ୍କା ଲେଖାଏଁ ମଜୁରି ପ୍ରଦାନ କରାଯିବ। ଅସ୍ତ୍ର ବିହୀନ ସୁରକ୍ଷା କାର୍ଯ୍ୟରେ ଭୁବନେଶ୍ବର, କଟକ ଓ ରାଉରକେଲା ସହରରେ ନିୟୋଜିତ ଶ୍ରମିକଙ୍କୁ ମଜୁରି ବାବଦରେ ୭୭୭ ଟଙ୍କା ଓ ଅନ୍ୟ ସ୍ଥାନରେ ସମାନ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ୭୦୭ ଟଙ୍କା ମିଳିବ।

ସେହିପରି, ଖନନ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ପାଇଁ ମହଙ୍ଗା ବୃଦ୍ଧି କରାଯାଇଛି। ହାଲୁକା ମାଟି ଖୋଳିବା ପାଇଁ ମଜୁରିକୁ ୪୩୧ ଟଙ୍କା, ପଥୁରିଆ ମାଟି ଖନନ ପାଇଁ ୬୪୮ ଟଙ୍କା ଏବଂ ପାହାଡ଼ ଖନନରେ ନିୟୋଜିତ ଶ୍ରମିକ ପିଛା ୮୫୮ ଟଙ୍କା ପ୍ରଦାନ କରାଯିବ। ଅଦରକାରୀ ପଥର ହଟାଇବା କାର୍ଯ୍ୟରେ ନି‌ୟୋଜିତ ଶ୍ରମିକଙ୍କୁ ମଜୁରି ବାବଦରେ ୩୪୬ ଟଙ୍କା, ପଥର ଭାଙ୍ଗିବା ଏବଂ ଗୁଣ୍ଡ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ମଧ୍ୟ ଅଧିକ ମଜୁରି ମିଳିବ। ୧ ଇଞ୍ଚରୁ ଦେଢ଼ ଇଞ୍ଚ ପାଇଁ ୨୬୪୨ ଟଙ୍କା, ଦେଢ଼ ଇଞ୍ଚରୁ ୩ ଇଞ୍ଚ ପାଇଁ ୨୨୬୦ ଟଙ୍କା, ୩ ଇଞ୍ଚରୁ ୫ ଇଞ୍ଚ ପାଇଁ ୧୩୨୬ ଏବଂ ୫ ଇଞ୍ଚରୁ ଊର୍ଦ୍ଧ୍ବ ପଥର ଭାଙ୍ଗିବା କାର୍ଯ୍ୟ ପାଇଁ ମଜୁରି ବାବଦରେ ୧୦୮୯ ଟଙ୍କା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର