କେନ୍ଦ୍ର ସରକାରର ସମ୍ବିଧାନ ଉପରେ ବିଶ୍ବାସ ନାହିଁ: ତିସ୍ତା

ମୁସଲମାନ ମହିଳାଙ୍କ ଲଢ଼େଇ ଠିକ୍‌ ଭାବରେ ଉପସ୍ଥାପିତ ହେଉନାହିଁ
ରାଜନୈତିକ କଏଦୀଙ୍କ ସ୍ବତନ୍ତ୍ର ତାଲିକା ରହିବା ଉଚିତ

ଭୁବନେଶ୍ବର : ୨୦୦୨ ଗୁଜରାଟ ଦଙ୍ଗା ବେଳେ ଦଙ୍ଗାକାରୀ ଏବଂ ତତ୍‌କାଳୀନ ଗୁଜରାଟ ସରକାରଙ୍କୁ ବିରୋଧ କରି ସର୍ବାଧିକ ଚର୍ଚ୍ଚିତ ଥିଲେ ସାମାଜିକ କାର୍ଯ୍ୟକର୍ତ୍ତା ଡ. ତିସ୍ତା ଶୀତଳବାଡ଼। ଚଳିତ ବର୍ଷ ଗୁଜରାଟ ଦଙ୍ଗା ପ୍ରସଙ୍ଗ ପୁନର୍ବାର ନ୍ୟାୟାଳୟରେ ଉଠାଇବାରୁ ତାଙ୍କୁ ୭୦ ଦିନ ଜେଲରେ ରହିବାକୁ ପଡ଼ିଥିଲା। ପୂର୍ବତନ ବାଚସ୍ପତି ରବି ରାୟଙ୍କ ଷଷ୍ଠ ସ୍ମାରକୀ ବକ୍ତୃତମାଳାରେ ଯୋଗଦାନ ପାଇଁ ତିସ୍ତା ଭୁବନେଶ୍ବର ଆସିଥିବା ବେଳେ ‘ସମ୍ବାଦ’ ପକ୍ଷରୁ ତାଙ୍କୁ ସାକ୍ଷାତ କରିଥିଲେ ଗାର୍ଗୀ ଶତପଥୀ।

୧. ୭୦ ଦିନ ଜେଲ୍‌ରେ ରହି ଆସିଛନ୍ତି। କ’ଣ ଥିଲା ଅନୁଭୂତି?
ଜେଲ୍‌ ଅନୁଭୂତି କାହା ପାଇଁ ଭଲ ନଥାଏ। କିନ୍ତୁ ମଣିଷର ପ୍ରକୃତି ଏମିତି ଯେ ପ୍ରତିକୂଳ ସ୍ଥିତିରେ ମଧ୍ୟ ସଂଘର୍ଷ କରି ଲଢ଼ିପାରେ। ଜେଲ୍‌ରେ ତ ବହି, କଲମ ପାଇଁ ସଂଘର୍ଷ କରିବାକୁ ପଡ଼ୁଥିଲା। ଜଣେ ସାମ୍ବାଦିକ ଭାବରେ ଜେଲ୍‌ କଏଦୀଙ୍କ ବିଷୟରେ ଲେଖିଛି କିନ୍ତୁ ନିଜର ପ୍ରତ୍ୟକ୍ଷ ଅନୁଭବ ଭିନ୍ନ ଥିଲା। ମୁଁ ସାବରମତୀ ଜେଲ୍‌ରେ ଥିଲି ଯାହା କିଛି ବର୍ଷ ପୂର୍ବରୁ ସ୍ବତନ୍ତ୍ର ଭାବରେ ମହିଳାଙ୍କ ପାଇଁ ପ୍ରତିଷ୍ଠା ହୋଇଥିଲା। ପୂର୍ବରୁ ଏହା ପୁରୁଷ ଜେଲ୍‌ରେ ଏକ ସ୍ବତନ୍ତ୍ର ସେଲ୍‌ ଥିଲା। ଏଠାରେ ଗର୍ଭବତୀ ମହିଳା, ଶିଶୁଙ୍କ ସମେତ ୧୬୦ ଜଣ ଅନ୍ତେବାସୀ ଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ୨୨ କଏଦୀଙ୍କ ମଧ୍ୟରୁ ୭ ଜଣ ୧୪ରୁ ୨୨ ବର୍ଷ ପର୍ଯ୍ୟନ୍ତ ରହୁଛନ୍ତି। ଏମାନେ ସକାଳ ୭ଟାରୁ କାମ ଆରମ୍ଭ କରନ୍ତି। କିଏ ବଗିଚା ତ କିଏ ରାନ୍ଧିବା ସମେତ ଆହୁରି ବିଭିନ୍ନ ପ୍ରକାର କାର୍ଯ୍ୟ। ଯାହା ରାତି ପର୍ଯ୍ୟନ୍ତ ଚାଲୁଥିଲା। ଏହା ବଦଳରେ ଯେଉଁ ପାରିଶ୍ରମିକ ମିଳୁଥିଲା ତାହା ବହୁତ କମ। ସର୍ବନିମ୍ନ ମଜୁରି ମଧ୍ୟ ସେମାନଙ୍କୁ ମିଳେ ନାହିଁ।

୨. ବର୍ତ୍ତମାନ ଧର୍ମ ଆଧାରରେ ରାଜନୀତି ବୃଦ୍ଧି ପାଇବାରେ ଲାଗିଛି ଏବଂ ସେମାନଙ୍କୁ ଜନ ସମର୍ଥନ ମଧ୍ୟ ମିଳୁଥିବା ଭଳି ଅନୁଭବ ହେଉନାହିଁ କି?
୨୦୧୪ ମସିହା ପରେ କେନ୍ଦ୍ରରେ ଏଭଳି ଏକ ସରକାର ଆସିଛି ଯିଏ ନିର୍ବାଚନ ଜିତିଛନ୍ତି ସତ କିନ୍ତୁ ସେମାନଙ୍କ ସମ୍ବିଧାନ ଉପରେ ବିଶ୍ବାସ ନାହିଁ। ସେମାନଙ୍କ ନୀତି, ଆଚରଣ ଏବଂ ଆଭିମୁଖ୍ୟରେ ବହୁସଂଖ୍ୟକବାଦ ଉପରେ ଆଧାରିତ। ଆପଣ ଦେଖନ୍ତୁ ନିର୍ବାଚନରେ ଯେଉଁଭଳି ଅର୍ଥ ଖର୍ଚ ହେଉଛି। କୌଣସି ରାଜ୍ୟରେ ନିର୍ବାଚନ ହେଲେ, କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ କଳ ସେଠାରେ ଲାଗି ପଡ଼ୁଛନ୍ତି। ସେଠାରେ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ କରାଯାଉଛି। ଓଡ଼ିଶାରେ ଯଦି କୌଣସି ସ୍ଥାନରେ ନିର୍ବାଚନ ହେଉଛି ସେଠାରେ ସବୁ ମନ୍ତ୍ରୀ, ବିଧାୟକ ପହଞ୍ଚି ଯାଉଛନ୍ତି। ଏହି ନିର୍ବାଚନ କେମିତି ନିରପେକ୍ଷ ହେବ? ଜଣେ-ଜଣେ ପ୍ରାର୍ଥୀଙ୍କ ସହିତ ଯେତେ ଲୋକ ରହୁଛନ୍ତି ତାହା ମଧ୍ୟ ନିର୍ବାଚନ ଖର୍ଚ୍ଚ ସହିତ ଯୋଡ଼ାଯିବା ଉଚିତ। ଏଥିରେ ନିର୍ବାଚନ କମିସନଙ୍କ ହସ୍ତକ୍ଷେପ ମଧ୍ୟ ରହିବା ଉଚିତ। ଏଭଳି ଆଡ଼ମ୍ବର ଏବଂ ଖର୍ଚ୍ଚ କରାଯାଇ କେବଳ ଏକ ଚଞ୍ଚକତା କରାଯାଉଛି। ଏତେ ଭିତରେ କେମିତି ଜଣାପଡ଼ିବ ଯେ ପ୍ରକୃତ ଲୋକମତ କ’ଣ ଏବଂ ଟଙ୍କାର କାରସାଦିରେ କେତେ ଜନ ସମର୍ଥନ ତିଆରି କରାଯାଇଛି।

୩. ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ଘଟଣାର ଦୋଷୀମାନଙ୍କୁ ମୁକୁଳାଇ ଦିଆଗଲା, କିନ୍ତୁ ଯେଉଁଭଳି ସେମାନଙ୍କୁ ସ୍ବାଗତ କରାଗଲା ଏହା ବୋଧହୁଏ ଭାରତ ଇତିହାସରେ ପ୍ରଥମ ଘଟଣା।
– କିଛି ବର୍ଷ ପୂର୍ବରୁ ଭିଡ଼ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତମାନେ ଜେଲ୍‌ରୁ ବାହାରିବା ପରେ ଜଣେ କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ବାଗତ କରିଥିଲେ। ତେଣୁ ଗୁଜରାଟରେ ହୋଇଥିବା ଏହି ଘଟଣା ନିଶ୍ଚିତ ଭାବରେ ନୂଆ ନୁହେଁ। ବର୍ତ୍ତମାନର ଯେଉଁ ସରକାର ଚାଲୁଛି ତାହା ବିଜେପି ତ ନୁହେଁ ଆରଏସଏସର ସରକାର। ଏହି ଶାସନ କାଳରେ ଅଳ୍ପସଂଖ୍ୟକ ଏବଂ ଦଳିତମାନଙ୍କ ଉପରେ ଅତ୍ୟାଚାର ହୁଏ ଏବଂ ତାକୁ ନେଇ ଉତ୍ସବ ପାଳନ କରାଯାଏ। ବିଲ୍‌କିସ୍‌ ବାନୋ ଗୁଣଦୁଷ୍କର୍ମ ମାମଲାର ଦୋଷୀମାନଙ୍କୁ ଛାଡ଼ିବା ଉଭୟ ରାଜ୍ୟ ଏବଂ କେନ୍ଦ୍ରର ସହମତିରେ ହୋଇଛି। ବର୍ତ୍ତମାନ ଏହା ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି।

୪. କନ୍ଧମାଳ ଦଙ୍ଗା ପୀଡ଼ିତ ନ୍ୟାୟ ପାଇ ନାହାନ୍ତି। ସେହି ଦୃଷ୍ଟିରୁ ଆପଣ ଶାସକ ଦଳକୁ କେଉଁ ଦୃଷ୍ଟିରେ ଦେଖନ୍ତି?
– ୨୦୦୮ ମସିହାରେ କନ୍ଧମାଳ ଦଙ୍ଗା ହୋଇଥିଲା ଏବଂ ସେହି ସମୟରେ ଓଡ଼ିଶା ଆସି ଅନେକ ସ୍ଥାନ ବୁଲିଛି। କେବଳ ବିଜେଡି କାହିଁକି, ସମାଜବାଦୀ ପାର୍ଟି ଶାସନ ବେଳେ ମୁଜାଫରନଗର ସମେତ ଅନେକ ସ୍ଥାନରେ ହୋଇଥିବା ଆମେ ଦେଖିଛୁ। ସମସ୍ତ ପୀଡ଼ିତଙ୍କୁ ନ୍ୟାୟ ବି ମିଳିବା କଥା। କିନ୍ତୁ ଓଡ଼ିଶାରେ ଗୋଟିଏ ସକାରାତ୍ମକ ଘଟଣା ହେଲା, କନ୍ଧମାଳ ଦଙ୍ଗା ପରେ ବିଜେଡି ବିଜେପିର ହାତ ଛାଡ଼ି ଦେଇଥିଲା। ଏହା ସତ୍ତ୍ବେ ଏଠାରେ ଜଳ, ଜମି ଏବଂ ଜଙ୍ଗଲ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଅନେକ ଆନ୍ଦୋଳନକାରୀଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼ ସବୁଠି ସେହି ସ୍ଥିତି ରହିଛି। ଏଭଳି ଅବସ୍ଥାରେ ପ୍ରତ୍ୟେକ ସରକାର ପାଖରେ ବିଚାରାଧୀନ ଏବଂ ଅପରାଧୀଙ୍କ ତାଲିକା ଥାଏ। ରାଜନୈତିକ କଏଦୀଙ୍କ ତାଲିକା ମଧ୍ୟ ରହିବା ଉଚିତ। ଏକମାତ୍ର ପଶ୍ଚିମବଙ୍ଗରେ ରାଜନୈତିକ କଏଦୀଙ୍କ ବିଷୟରେ ସୂଚନା ରହିଛି।

୫. କର୍ଣ୍ଣାଟକରେ ହିଜାବ ପିନ୍ଧିବାର ଅଧିକାର ନେଇ ମହିଳା ଲଢେଇ କଲେ କିନ୍ତୁ ଜାମା ମସଜିଦ ପ୍ରବେଶ କଟକଣା ନେଇ ସ୍ବର ତୀବ୍ର ହେଲା ନାହିଁ।
-ଜାମା ମସଜିଦ ଯାହା ହୋଇଥିଲା ଦୁଇ ଘଣ୍ଟା ପରେ ସେହି ନିଷ୍ପତ୍ତି ପ୍ରତ୍ୟାହାର ହୋଇଥିଲା। ତେଣୁ ନିଶ୍ଚିତ ପ୍ରତିବାଦ ବହୁତ ଜୋରରେ ହୋଇଥିବ ନଚେତ ନିଷ୍ପତ୍ତି କେମିତି ପ୍ରତ୍ୟାହାର ହେଲା। ଏହା ମଧ୍ୟ ସତ୍ୟ ଯେ ଆମ ଦେଶରେ ପିଏଫଆଇ ଏବଂ ଆରଏସଏସ ଭଳି ସଂଗଠନ ଅଛି ଯେଉଁମାନଙ୍କର ପୁରୁଷତାନ୍ତ୍ରିକ ମାନସିକତା ପ୍ରବଳ ରହିଛି। ମହିଳାମାନେ ମଧ୍ୟ ସେମାନଙ୍କ ସହିତ ଅଛନ୍ତି ଏଥିରେ ସଂଖ୍ୟାଲଘୁ ଏବଂ ବହୁସଂଖ୍ୟକ ଉଭୟ ଅଛନ୍ତି। ମୁସଲମାନ ମହିଳା ଚାକିରି, ଶିକ୍ଷା ଏବଂ ତାଲିମ ପାଇଁ ଲଢୁ ନାହାନ୍ତି କହିବା ଭୁଲ। କିନ୍ତୁ ଗଣମାଧ୍ୟମ ସେ ଲଢେଇ ବିଷୟରେ ଦେଖାଉନାହିଁ। ତିନି ତଲାକ ଆଜି ଆସି କୌଣସି ସରକାର ଖତମ କରି ନାହିଁ। ଏହାପଛରେ ୨୫ ବର୍ଷର ଲଢେଇ ରହିଛି। ଆମେ ସମସ୍ତେ ଏଭଳି ଚଷମା ପିନ୍ଧି ଥାଉ ଯାହାଙ୍କୁ ଆର୍ଥିକ ଏବଂ ସାମାଜିକ ପ୍ରସଙ୍ଗ କହିଲେ ଶୁଣାଯାଏ ନାହିଁ। ବରଂ ତା’ର ଲଢେଇ ବିଷୟରେ ଆଲୋଚନା କରିବା ପାଇଁ ଯାଇ ରାଜନୈତିକ ଦଳ ଏବଂ ସରକାର ଇମାମ ପାଖରେ ପହଞ୍ଚି ଯାଆନ୍ତି। ଜଣେ ମହିଳା ଦଙ୍ଗାରେ ନିଜ ଧର୍ମର ପ୍ରତୀକ ଭାବରେ ଅତ୍ୟାଚାରିତ ହୁଏ ଏବଂ ସାମାଜିକ ଜୀବନରେ ମହିଳା ଭାବରେ ଶୋଷିତ ହୁଏ। ମୁସଲମାନ ମହିଳାଙ୍କ ସବୁଠାରୁ ବଡ଼ ଆନ୍ଦୋଳନ ସିଏଏ ଏବଂ ଏନଆରସି ବିରୋଧୀ ଲଢ଼େଇ ଥିଲା ଯାହା ଧର୍ମ ନୁହେଁ ବରଂ ନାଗରିକତା ପାଇଁ ଥିଲା।

ସମ୍ବନ୍ଧିତ ଖବର