ସ୍କୁଲ ଶିକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ରିପୋର୍ଟ: ଶ୍ରେଷ୍ଠ ୧୦ରେ ଓଡ଼ିଶା

୪ବର୍ଷରେ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ, ବିଦ୍ୟୁତ୍‌ ଓ ମେଡିକାଲ ସେବାରେ ଓଡ଼ିଶା ପଛରେ

ଭୁବନେଶ୍ବର : ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ୁଛି। ପୂର୍ବ ଅପେକ୍ଷା ଛାତ୍ରଛାତ୍ରୀଙ୍କୁ ଉନ୍ନତ ଭିତ୍ତିଭୂମି ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ହୋଇଛି। କରୋନା ଭଳି କଠିନ ସମୟରେ ବି ପିଲାମାନଙ୍କ ପ୍ରଦର୍ଶନ ଭଲ ରହିଥିଲା। ଯେଉଁଥିପାଇଁ ଦେଶର ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। କେବଳ ସେତିକି ନୁହେଁ, ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନ୍‌ଡେକ୍ସ(ପିଜିଆଇ)ରେ ଭଲ ପ୍ରଦର୍ଶନ କରିଛି। ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା, ମୂଲ୍ୟାୟନ ଓ ଗଭର୍ଣ୍ଣାନ୍ସ ପରି ୫ଟି ବିଷୟକୁ ନେଇ ରାଜ୍ୟଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା। ମୋଟ ହଜାର ପଏଣ୍ଟ ମଧ୍ୟରୁ ଓଡ଼ିଶା ୮୭୭ ହାସଲ କରି ସାରା ଦେଶରେ ୧୦ମ ସ୍ଥାନରେ ରହିଛି। ଓଡ଼ିଶା ସମେତ ୧୨ଟି ରାଜ୍ୟ ୮୫୧ରୁ ୯୦୦ ଭିତରେ ପଏଣ୍ଟ ହାସଲ କରି ଗ୍ରେଡ୍‌-୧+ରେ ରହିଛନ୍ତି। ଲଗାତାର ୪ବର୍ଷ ହେଲା ଓଡ଼ିଶା ଗୋଟିଏ ପରେ ଗୋଟିଏ ପାହାଚ ଉପରକୁ ଚଢ଼ୁଛି। ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷାବର୍ଷରେ ଓଡ଼ିଶା ୭୪୯ ପଏଣ୍ଟ ସହ ଗ୍ରେଡ୍‌-୩ରେ ରହିଥିଲା। ୨୦୧୯-୨୦ରେ ୮୩୮ ପଏଣ୍ଟ ସହ ଗ୍ରେଡ୍‌-୧ ସ୍ଥାନରେ ପହଞ୍ଚିଥିଲା। ଏଥର ଆହୁରି ଉପରକୁ ଉଠିଛି। ମୋଟ ହଜାର ପଏଣ୍ଟ ମଧ୍ୟରୁ ଓଡ଼ିଶା ୮୭୭ ହାସଲ କରିଛି। ଗୁଣାତ୍ମକ ଶିକ୍ଷାରେ ୧୮୦ରୁ ୧୩୮, ପ୍ରବେଶ ସୁବିଧା‌ରେ ୮୦ରୁ ୭୧, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧାରେ ୧୫୦ରୁ ୧୩୩, ମୂଲ୍ୟାୟନରେ ୨୩୦ରୁ ୨୨୧ ଓ ଗଭର୍ଣ୍ଣାନ୍ସ ପ୍ରୋସେସ୍‌ରେ ୩୬୦ରୁ ୩୧୪ ପଏଣ୍ଟ ପାଇଛି।

ଚିନ୍ତାର କାରଣ ହେଉଛି ଯେ ଲଗାତାର ୫ବର୍ଷ ହେଲା ଓଡ଼ିଶାରେ ସ୍କୁଲ, ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୭-୧୮ ଶିକ୍ଷାବର୍ଷରେ ଓଡ଼ିଶାରେ ୬୯ ହଜାର ୨୦୯ଟି ସରକାରୀ, ଅନୁଦାନପ୍ରାପ୍ତ, ଘରୋଇ ଓ ଅନ୍ୟାନ୍ୟ ବିଦ୍ୟାଳୟ ରହିଥିବା ବେଳେ ପଢ଼ାଇବା ଲାଗି ୩ ଲକ୍ଷ ୪୪ ହଜାର ୮୬୬ ଶିକ୍ଷକ ଓ ୮୦ ଲକ୍ଷ ୨୦ ହଜାର ୬୪୨ଜଣ ଛାତ୍ରଛାତ୍ରୀ ରହିଥିଲେ। ଏବେ ସଂଖ୍ୟା ଯଥାକ୍ରମେ ୬୨ ହଜାର୨୯୧, ୩ ଲକ୍ଷ ୩୧ ହଜାର ୩୩୬ ଓ ୭୫ ଲକ୍ଷ ୭୬ ହଜାର ୮୯୩ ରହିଛି। ମୌଳିକ ସୁବିଧା ଉପଲବ୍ଧ କରାଇବାରେ ଓଡ଼ିଶାର ବିଦ୍ୟାଳୟଗୁଡ଼ିକ ପ୍ରଦର୍ଶନ ବଢ଼ିଛି। ମାତ୍ର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ବିଦ୍ୟୁତ୍‌ ଓ ମେଡିକାଲ ସେବା ଯୋଗାବାରେ ଏବେ ବି ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ବହୁ ପଛରେ ଅଛନ୍ତି।

ପିଜିଆଇ ରିପୋର୍ଟ ଅନୁଯାୟୀ ୨୦୨୦-୨୧ ଶିକ୍ଷାବର୍ଷରେ ୭ଟି ରାଜ୍ୟ ଯଥା କେରଳ, ପଞ୍ଜାବ, ଚଣ୍ଡୀଗଡ଼, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ଉନ୍ନତ ପ୍ରଦର୍ଶନ କରି ଲେବୁଲ୍‌-୨ରେ ସ୍ଥାନ ପାଇଛନ୍ତି। ଅର୍ଥାତ୍‌ ସେମାନେ ୧୦୦୦ରୁ ୯୦୧ରୁ ୯୫୦ ମଧ୍ୟରେ ପଏଣ୍ଟ ହାସଲ କରିଛନ୍ତି। ୨୦୧୭-୧୮ରେ କୌଣସି ବି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଏହି ଗ୍ରେଡ୍‌ ହାସଲ କରିପାରି ନ ଥିଲେ। ୨୦୧୯-୨୦ରେ ମାତ୍ର ୪ଟି ରାଜ୍ୟ ତାଲିକାରେ ଥିବା ବେ‌ଳେ ଏଥର ଗୁଜରାଟ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ନୂତନ ଭାବେ ପ୍ରବେଶ କରିଛନ୍ତି। ଗ୍ରେଡ୍‌-୧+ରେ ୧୨ଟି ରାଜ୍ୟ ଥିବା ବେଳେ ଗ୍ରେଡ୍‌-୧ରେ ୬, ଗ୍ରେଡ୍‌-୨ରେ ୬, ଗ୍ରେଡ୍‌-୩ରେ ୪, ଗ୍ରେଡ୍‌-୪ରେ ଗୋଟିଏ ରାଜ୍ୟ ରହିଛି।

ଲେବୁଲ୍‌-୨ ଓ ଗ୍ରେଡ୍‌ ୧+ ତାଲିକା
ରାଜ୍ୟ  ଗ୍ରେଡ୍‌ପଏଣ୍ଟ
ମହାରାଷ୍ଟ୍ର ୯୨୮
ପଞ୍ଜାବ ୯୨୮
କେରଳ ୯୨୮
ଚଣ୍ଡୀଗଡ଼ ୯୨୭
ଗୁଜରାଟ ୯୦୩
ରାଜସ୍ଥାନ ୯୦୩
ଆନ୍ଧ୍ରପ୍ରଦେଶ ୯୦୨
ଦିଲ୍ଲୀ ୮୯୯
ପଣ୍ଡିଚେରି ୮୯୭
ଓଡ଼ିଶା ୮୭୭
ହିମାଚଳପ୍ରଦେଶ ୮୬୯
ପଶ୍ଚିମବଙ୍ଗ ୮୬୬
ହରିୟାନା ୮୬୫
କର୍ଣ୍ଣାଟକ ୮୬୨
ଡାମନ୍‌ଡିଉ ୮୫୭
ତାମିଲନାଡ଼ୁ ୮୫୫
ଆଣ୍ଡାମାନ ୮୫୩
ଲାକ୍ଷାଦୀପ ୮୫୧
ଉତ୍ତରପ୍ରଦେଶ ୮୫୧

ସମ୍ବନ୍ଧିତ ଖବର