କେନ୍ଦ୍ର ସରକାର ବାଛିବେ ‘ବେଷ୍ଟ ଥାନା’, କମିସନରେଟ୍‌ ପୁଲିସ ଥାନା ତାଲିକାରେ ରହିବ ତ!

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ କେନ୍ଦ୍ର ସରକାର ବାଛିବେ ସର୍ବୋତ୍ତମ ଥାନା। ରାଜ୍ୟର ସମସ୍ତ ଥାନାକୁ ରୢାଙ୍କିଙ୍ଗ୍‌ କରାଯିବ। ସବୁ ରାଜ୍ୟର ଏକ ନମ୍ବର ଥାନାକୁ ନେଇ କେନ୍ଦ୍ର ସରକାର ବେଷ୍ଟ ଥାନା ବାଛିବେ। ସମଗ୍ର ଦେଶରେ ଏଥିପାଇଁ ସର୍ବେକ୍ଷଣ ହେବ। ଏହି ସର୍ବେକ୍ଷଣ କରିବାକୁ ସଂସ୍ଥା ସ୍ଥିର ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେତେକ ଗାଇଡ୍‌ଲାଇନ୍‌ ମଧ୍ୟ ଧାର୍ଯ୍ୟ କରାଯାଇଛି ଯାହା ଆଧାରରେ ସର୍ବେକ୍ଷଣ ସଂସ୍ଥା ପ୍ରତ୍ୟେକ ଥାନାରେ ସର୍ଭେ କରିବ। ସର୍ଭେ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାର ରାଜ୍ୟୱାରି ଥାନା ରୢାଙ୍କିଙ୍ଗ୍‌ ସହ ସର୍ବଭାରତୀୟ ସ୍ତରରେ ‘ବେଷ୍ଟ ଥାନା’ ବାଛିବେ। ଏଥିପାଇଁ ହୋଇଥିବା ବିଡିଂ ଆସନ୍ତା ସୋମାବାର ସରିବ। ଅଗଷ୍ଟ ୩ ତାରିଖରେ ଟେକ୍ନିକାଲ ବିଡ୍‌ ସରିବ। ଏହାପରେ ଟେଣ୍ଡର ପାଇଥିବା ଠିକା ସଂସ୍ଥା ସର୍ବେକ୍ଷଣ ଆରମ୍ଭ କରିବ।

କେନ୍ଦ୍ର ସରକାର ଏହି ଯୋଜନା ଘୋଷଣା କରିବା ପରେ ରାଜ୍ୟ ପୁଲିସ ସହ କମିସନରେଟ୍‌ ପୁଲିସରେ ମଧ୍ୟ ହଟଚମଟ ହୋଇଛି। କେନ୍ଦ୍ର ସରକାରଙ୍କ ବେଷ୍ଟ ତାଲିକାରେ ଆସିବା ପାଇଁ ଥାନାଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଗାଇଡ୍‌ଲାଇନ୍‌ ମୁତାବକ ଥାନାକୁ ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ପୂର୍ବରୁ ରାଜ୍ୟ ସରକାର କେତୋଟି ଆଦର୍ଶ ଥାନା ଚିହ୍ନଟ କରିଥିଲେ। ଏଥିପାଇଁ ସ୍ବତନ୍ତ୍ର ଗାଇଡ୍‌ ଲାଇନ୍‌ ଧାର୍ଯ୍ୟ କରିବା ସହ ଥାନାରେ କ’ଣ କ’ଣ ରହିବ, ଥାନା କର୍ମଚାରୀ ଓ ଅଧିକାରୀମାନଙ୍କର ଆଚରଣ ଓ ଉଚ୍ଚାରଣ କିଭଳି ହେବ ସେ ନେଇ ସ୍ପଷ୍ଟ କରିଥିଲେ। ହେଲେ ସେହି ସବୁ ଆଦର୍ଶ ଥାନା ଏବେ ଆଦର୍ଶ ଠାରୁ ଦୂରରେ ରହିଛି। ଆଦର୍ଶ ଥାନାରୁ ଅଭିଯୁକ୍ତ ଚମ୍ପଟ ମାରୁଥିବା ବେଳେ ଥାନା ଭିତରେ ଅଭିଯୁକ୍ତକୁ ଗୋଇଠା ମାରି ଇନ୍‌ସ୍‌ପେକ୍ଟର ନିଲମ୍ବିତ ହେବା ନଜିର ରହିଛି।

ନିକଟ ଅତୀତରେ ସରକାର ଥାନାଗୁଡ଼ିକରେ ‘ମୋ ସରକାର’ ଯୋଜନା ଆରମ୍ଭ କରିଥିଲେ। ଏଥିରେ ଏତଲାକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନକୁ ପ୍ରାଥମିକତା ଦେଇଥିଲେ। ଏଥିପାଇଁ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲିବା ସହ ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ଏତଲାକାରୀ ସହ କଥା ହୋଇ ଥାନା ବାବଦରେ ଫିଡ୍‌ବ୍ୟାକ୍‌ ନେଇଥିଲେ। ତେବେ ଅନ୍ୟ ଥାନା ଅପେକ୍ଷା କମିସନରେଟ୍‌ ପୁଲିସରେ ଫିଡ୍‌ବ୍ୟାକ୍‌ ସର୍ବାଧିକ ଭଲ ରହିଥିବା ତତ୍‌କାଳୀନ ପୁଲିସ କମିସନର ପ୍ରକାଶ କରିଥିଲେ। ଏବେ କେନ୍ଦ୍ର ସରକାରଙ୍କ ଏହି ବେଷ୍ଟ ଥାନା ବଛା ଯିବାକୁ ଥିବାରୁ କମିସନରେଟ୍‌ ପୁଲିସ ଅଧୀନରେ ଥିବା ଥାନାଗୁଡ଼ିକ ମଧ୍ୟରୁ କାହା ପାଳି ପଡ଼ିବ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ଅନ୍ୟପଟେ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ପୁଲିସ ଆଧୁନିକୀକରଣ ବିଭାଜନ ଅର୍ଥ ଖର୍ଚ୍ଚ କରି ଥାନାଗୁଡ଼ିକୁ ଉନ୍ନତୀକରଣ କରାଇଛି। ରାଜ୍ୟ ସରକାରମାନେ କେବଳ ଅଥ ଖର୍ଚ୍ଚ କରିସାରିବା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କିନ୍ତୁ ବାସ୍ତବ ଉଦ୍ଦେଶ୍ୟ ପୂରଣ ହୋଇଛି କି ନାହିଁ ତାହାର ହିସାବ କେନ୍ଦ୍ର ସରକାରଙ୍କ ପାଖରେ ନାହିଁ। ଏଣୁ ଏହି ସର୍ବେକ୍ଷଣରେ ଏହାର ମଧ୍ୟ ମୂଲ୍ୟାୟନ ହେବ। ଏଣୁ ରାଜ୍ୟରେ ଏବେ ଏହାକୁ ନେଇ ତନାଘନା ହୋଇଛି। ଉଚିତ୍‌ ମାର୍ଗରେ ଅର୍ଥ ଖର୍ଚ୍ଚ ହୋଇନଥିଲେ ବାସ୍ତବତା ପଦାରେ ପଡ଼ିବାକୁ ଥିବାରୁ ଦାୟିତ୍ବରେ ଥିବା ଅଧିକାରୀମାନେ ଛାନିଆ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଦେଶରେ ୧୬ହଜାର ୬୭୧ଟି ଥାନା ରହିଛି। ୧୦ ହଜାର ୨୧ଟି ଥାନା ସହରାଞ୍ଚଳରେ ରହିଥିବା ‌ବେଳେ ଗ୍ରାମାଞ୍ଚଳରେ ୪ ହଜାର ୮୧୯ ଥାନା ରହିଛି। ଓଡ଼ିଶାରେ ୬୧୨ଟି ଥାନା ରହିଛି। ସାଧାରଣ ଥାନା ସହ ସାଇବର ଥାନା, ମହିଳା ଥାନା, ଟୁରିଷ୍ଟ ଥାନା, ବିଦ୍ୟୁତ ଥାନା ଭଳି ସ୍ବତନ୍ତ୍ର ଥାନା ରହିଛି। ସମସ୍ତ ଥାନା ଏହି ସ୍ବତନ୍ତ୍ର ମୂଲ୍ୟାୟନ ତାଲିକାଭୁକ୍ତ ହେବେ। ସମସ୍ତ ଥାନା ବୁଲି ସମ୍ପୃକ୍ତ ସଂସ୍ଥା ସର୍ବେକ୍ଷଣ କରିବ। ଅଭିଯୋଗ ଶୁଣିବା ପାଇଁ ଥାନାଗୁଡ଼ିକ କେତେ ଆଗ୍ରହୀ? ଏତଲା ନେବା ବେଳେ ବା ଅଭିଯୋଗ ଶୁଣିବା ବେଳେ ପୁଲିସର ଭାଷା କିଭଳି ଥିଲା? ଗତ ବର୍ଷେ ହେବ ପୁଲିସର କିଛି ପରିବର୍ତ୍ତନ ଲକ୍ଷ୍ୟ କରିଛ କି? ଅଭିଜ୍ଞତାକୁ ନେଇ ଥାନାକୁ ତୁମେ କେତେ ନମ୍ବର ଦେବ? ଥାନାରେ ଏତଲା ଦେଇ ଫେରୁଥିବା ଅଭିଯୋଗକାରୀ ଠାରୁ ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଣି ସଂସ୍ଥା ରେକର୍ଡ କରିବ। ଏଭଳି ସାଧାରଣ ଲୋକଙ୍କ ଠାରୁ ମଧ୍ୟ ଫିଡ୍‌ବ୍ୟାକ୍‌ ନିଆଯିବ। ଯେଉଁଥିପାଇଁ ଏକ ହଜାରରୁ ଊର୍ଦ୍ଧ୍ବ ପ୍ରଶ୍ନ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର