ଭୁବନେଶ୍ୱର : ଓଡ଼ିଶା ସମେତ ୩ଟି ରାଜ୍ୟର ପୌରସଂସ୍ଥାଗୁଡ଼ିକ ପାଇଁ କେନ୍ଦ୍ର ସରକାର ମୋଟ ୧୬୦୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ୧୪ଶ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ରାଶି ପ୍ରଦାନ କରାଯାଇଛି । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ପ୍ରଥମ କିସ୍ତିର ଅବଶିଷ୍ଟ ରାଶି ଦିଆଯାଇଥିବାବେଳେ ତାମିଲନାଡ଼କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ମୋଟ ୧୬୦୫ କୋଟି ମଧ୍ୟରୁ ଓଡ଼ିଶା ୧୮୬ କୋଟି ୫୮ ଲକ୍ଷ ପାଇଥିବାବେଳେ ଆନ୍ଧ୍ର ୪୩୧ କୋଟି ଟଙ୍କା ପାଇଛି । ତାମିଲନାଡୁ ସଂପୂର୍ଣ୍ଣ ପ୍ରଥମ କିସ୍ତି ବାବଦରେ ୯୮୭ କୋଟି ୮୫ ଲକ୍ଷ ଟଙ୍କା ପାଇଛି ।
ଏହି ତିନିଟି ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କର ନାଗପୁର ଶାଖା ସହିତ ଯୋଗାଯୋଗ କରି ଏହି ଅର୍ଥ ଉଠାଇପାରିବେ । ରାଜ୍ୟମାନେ ଏହି ରାଶି ପୌରସଂସ୍ଥାଗୁଡ଼ିକ ମଧ୍ୟରେ ଆବଣ୍ଟନ କରିବେ । ଏହି ରାଶି ବଣ୍ଟନ ବେଳେ ରାଜ୍ୟ ଅର୍ଥ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ଫର୍ମୁଲା ଅନୁସରଣ କରାଯିବ । ଏହି ଫର୍ମୁଲା ନଥିଲେ, ୨୦୧୧ ଜନସଂଖ୍ୟା ଅନୁସାରେ ଅଧିକ ଜନସଂଖ୍ୟାକୁ ଗୁରୁତ୍ୱ ଦେଇ ରାଶି ବଣ୍ଟନ କରାଯାଇପାରିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।