ଭୁବନେଶ୍ବର : ବାତ୍ୟା ପରବର୍ତୀ ରାଜ୍ୟରେ ସ୍ବାସ୍ଥ୍ୟାବସ୍ଥାର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ ଓଡ଼ିଶାରେ ପହଞ୍ଚିଛନ୍ତି। କେନ୍ଦ୍ରର ୧୨ଜଣିଆ ବିଶେଷଜ୍ଞ ଦଳ ସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୧୦ଜଣିଆ ଟିମ୍ ବାତ୍ୟା ପ୍ରଭାବିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି।
ବାତ୍ୟା ପରେ ସାଧାରଣତଃ ବିଭିନ୍ନ ମହାମାରୀ ଆଶଙ୍କା ରହିଥାଏ। କୌଣସି ସ୍ଥାନରେ ମହାମାରୀର ପୂର୍ବାଭାସ ପାଇବାମାତ୍ରେ ଏହି ବିଶେଷଜ୍ଞ ଦଳ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିବେ। ଏଥିପାଇଁ ସମ୍ବେଦନଶୀଳ ଅଞ୍ଚଳରେ ପିଇବା ପାଣିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରି ବିଶେଷଜ୍ଞ ଦଳ ପରୀକ୍ଷା ଚଳାଇଛନ୍ତି। ବାତ୍ୟା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ବିଦ୍ୟୁତ୍ ଓ ଜଳଯୋଗାଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଏବେ ସୁଦ୍ଧା ପ୍ରଭାବିତ ଜିଲ୍ଲାର ପ୍ରାୟ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଆଲୋକ ଓ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ଏଥିସହିତ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସ୍ବାଭାବିକ ଅବସ୍ଥା ଫେରାଇ ଅଣାଯାଇ ପାରିଛି େବାଲି ସରକାରୀ ସୂତ୍ରରୁ ପ୍ରକାଶ।
ସ୍ବାସ୍ଥ୍ୟ ବିଭାଗ କହିଛି, ବାତ୍ୟାରେ ପୁରୀ ଜିଲ୍ଲାର କ୍ଷତିଗ୍ରସ୍ତ ୧୬ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୧୨ଟିରେ ଶତ ପ୍ରତିଶତ ସୁବିଧା ଉପଲବ୍ଧ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ବାଭାବିକ ହୋଇପାରିଛି। ଖୋର୍ଧାରେ ୧୨ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୯ଟି, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସ୍ଥିତି ସ୍ବାଭାବିକ ହୋଇଛି। ଏସବୁ ସ୍ଥାନରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ମହଜୁଦ ଥିବା ବେଳେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। କୌଣସି ସ୍ଥାନରେ ବାତ୍ୟା ପରବର୍ତୀ ମହାମାରୀକୁ ରୋକିବା ପାଇଁ ଗାଁ କଲ୍ୟାଣ ସମିତି ଜରିଆରେ ୫୯୪୧ଟି ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୩୬ହଜାର ୩୦୯ ମୁକ୍ତ ଜଳାଶୟ ବିଶୋଧନ ହୋଇଛି। ସମନ୍ବିତ ରୋଗ ସର୍ବେକ୍ଷଣ ବ୍ୟବସ୍ଥାକୁ ଚଳଚଞ୍ଚଳ କରାଯାଇ ପ୍ରତ୍ୟେକ ଦିନ ରିପୋର୍ଟ ସଂଗ୍ରହ ଉପରେ ଗୁରୁତ୍ବ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/central-team.jpg)