ମାଲକାନଗିରି : ବଦଳିବ ମାଓବାଦୀଙ୍କ ରଣନୀତି। ବଦଳିବେ ମାଓ ମୁଖିଆ। ମାଓ ନେତୃତ୍ୱ ବଦଳାଇବାକୁ ସଂଗଠନରେ ଚାଲିଛି ମାନସ ମନ୍ଥନ।ଏଥିସହିତ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ଟାର୍ଗେଟରେ ଓଡ଼ିଶା ରହିଥିବା ସୂଚନା ମିଳିଛି। ମାଓ ସଂଗଠନର କେନ୍ଦ୍ରୀୟ କମିଟିର ମୁଖ୍ୟ ମୁଲାପା ଲକ୍ଷ୍ମଣ ରାଓ ଓରଫ ଗଣପତି ପରିବର୍ତ୍ତେ ସଂଗଠନର ଦ୍ୱିତୀୟ ଶକ୍ତିକେନ୍ଦ୍ର କୁହାଯାଉଥିବା ଜାମ୍ପାନୀ କେଶବ ରାଓଙ୍କୁ ମୁଖିଆ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ପ୍ରାୟତଃ ଚୂଡ଼ାନ୍ତ ହୋଇ ସାରିଥିବା କୁହାଯାଉଛି। ମାଓ ମୁଖିଆ ପରିବର୍ତ୍ତନ ପରେ ଓଡିଶା ଉପରେ କି ପ୍ରଭାବ ପଡିବ ସେ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ଏବଂ ଛତିଶଗଡରେ ସୁରକ୍ଷା ବାହିନୀର ଘନ ଘନ ଚଢ଼ଉ ଯୋଗୁଁ ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ଏହି ଦୁଇରାଜ୍ୟ ମାଓବାଦୀଙ୍କ ପାଇଁ ଆଉ ସୁରକ୍ଷିତ ନ ଥିବାରୁ ଓଡ଼ିଶାକୁ ସୁରକ୍ଷିତ ଅଞ୍ଚଳ ରୂପେ ଚୟନ କରିଛନ୍ତି। ଏଥିପାଇଁ ମାଓ ସଂଗଠନ ପକ୍ଷରୁ ପ୍ରସ୍ତୁତ କରାଯାଇଛି ବ୍ଲୁ ପ୍ରିଣ୍ଟ। ମାଓବାଦୀଙ୍କ ସେଣ୍ଟ୍ରାଲ କମିଟି ପକ୍ଷରୁ ପ୍ରସ୍ତୁତ ଏହି ରଣନୀତି ଅନୁସାରେ ଝାଡ଼ଖଣ୍ଡ, ଛତିଶଗଡ ଏବଂ ଓଡିଶାକୁ ସଂଯୋଗ କରି ଏକ ନୂତନ କରିଡର ହେବ। ମାଓ ହିଂସା କ୍ଷେତ୍ରରେ ଦେଶରେ ଚତୁର୍ଥର୍ ସ୍ଥାନରେ ରହିଥିବା ଓଡିଶା ହେବ ମାଓବାଦୀଙ୍କ ସୁରକ୍ଷିତ ଅଂଚଳ ଓ କର୍ମକ୍ଷେତ୍ର। ଦେବଗଡ,ସମ୍ବଲପୁର ଓ ସୁନ୍ଦରଗଡକୁ ନେଇ ଗଠନ କରାଯାଇଛି ନୂତନ ଏସଡିଏସ ଡିଭିଜନ। କେବଳ ଏତିକି ନୁହେଁ ଝାଡ଼ଖଣ୍ଡ-ଓଡିଶା ସୀମାକୁ ଯୋଡିବା ପାଇଁ ସରଣ୍ଡାରୁ ବଣେଇ, ସମ୍ବଲପୁର,ଦେବଗଡ, ବୌଦ୍ଧ, କନ୍ଧମାଳ, କଳହାଣ୍ଡି ଓ ନୂଆପଡାକୁ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ।
କେନ୍ଦ୍ରୀୟ କମିଟିର ସଦସ୍ୟ ଏମ.ବାଲକ୍ରିଷ୍ଣା ରେଡ୍ଡିଙ୍କୁୁ ରାୟଗଡା ଦାୟିତ୍ୱରେ ଥିବା ବେଳେ କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଜେ.ନରସିଂହ ରେଡ୍ଡି , କଳାହାଣ୍ଡି ଏବଂ ନୂଆପଡାରେ ମୁରଲୀ ଓରଫ ମାଲାରାଜୁ ରେଡ୍ଡି ଦାୟିତ୍ୱରେ ରହିଥିଲେ। ଏମାନେ ପ୍ରାୟ ଏକ ବର୍ଷରୁ ଅଧିକା ସମୟ ହେଲା ଏହି ଅଞ୍ଚଳରେ ରହି ରଣନୀତି ପ୍ରସ୍ତୁତ କରିଥିଲେ ବୋଲି ସୂଚନା ମିଳିଛି। କଳାହାଣ୍ଡିରେ ମାଓବାଦୀଙ୍କ ଏକ ବୈଷୟିକ ଦଳ ସକ୍ରିୟ ରହିଛନ୍ତି। ସରଣ୍ଡାଏବଂ ନୂଆପଡା ନୂଆ ମିଲିଟାରି ପ୍ଲାଟୁନ ମୁତୟନ କରାଯାଇଛି।ଏଥିସହିତ ଦେବଗଡ,ସୁନ୍ଦରଗଡ,କନ୍ଧମାଳ,ରାୟଗଡା ଓ ମାଲକାନଗିରି ଜଂଗଲରେ ୩୦ରୁ ୪୦ ଲେଖାଏଁ ସଦସ୍ୟ ବିଶିଷ୍ଟ ଛତିଶଗଡି ନକ୍ସଲଙ୍କ ଦଳକୁ ଠୂଳ କରାଯାଇଛି। ମାଓବାଦୀଙ୍କ ଏଭଳି ନୂତନ ରଣନୀତି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ଏହି ରଣନୀତିକୁ ବିଫଳ କରାଯାଇ ପାରିଲେ ମାଓ ସଂଗଠନକୁ ଶକ୍ତ ଧକ୍କା ଲାଗିବ ଏବଂ ପୁନର୍ବାର ସୁରକ୍ଷିତ ସ୍ଥାନ ବାଛିବାରେ ଆଉ ସଫଳ ହେବେ ନାହିଁ ବୋଲି ମଧ୍ୟ ଅନୁମାନ କରାଯାଉଛି।