ବିଜେପିର ଜନ ଆଶୀର୍ବାଦ ଯାତ୍ରା ଲାଗି ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଗୁରୁବାର ଠାରୁ ବିଜେପିର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଏଥିରେ ସାମିଲ୍‌ ହେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଗୁରୁବାର ପୂର୍ବାହ୍ନ ୯ଟାରେ ଦୁଇ ମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନବନ୍ଦରରେ ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ।

ପୂର୍ବାହ୍ନ ୯ଟା ୩୦ରେ ରାଜ୍ୟ ସଂଗ୍ରହାଳୟ ଛକ, ୧୦ଟାରେ ସାମନ୍ତରାପୁର ଛକ, ୧୦ଟା ୩୦ରେ ଲିଙ୍ଗିପୁର ଛକରେ ଦୁଇ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭୁବନେଶ୍ବରରୁ ପୁରୀ ମଧ୍ୟରେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଉଥିବା ଜଣାଯାଇଛି। ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଏକ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ଯାଇଛନ୍ତି। ଦୁଇ ମନ୍ତ୍ରୀ ଏହି ଗସ୍ତ ସମୟରେ ବକୁଳ ବନ ପରିଦର୍ଶନ‌ରେ ଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏଣେ ଆଜି ସଂଧ୍ୟାରେ ଟ୍ରେନ ଯୋଗେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଯିବେ। ୨୦ ତାରିଖରେ କୋରାପୁଟରେ ରହଣୀ, ୨୧ ତାରିଖରେ ଜୟପୁର କାର୍ଯ୍ୟକ୍ରମ ସହ ନବରଙ୍ଗପୁର, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝି, ପାଟଣାଗଡ଼ ଦେଇ ବଲାଙ୍ଗିର ଯିବେ । ୨୨ ତାରିଖରେ  ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି ।

ସମ୍ବନ୍ଧିତ ଖବର