ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଦଳ ପାଇଁ ପ୍ରଚାର କରିଛନ୍ତି। ଆଠମଲ୍ଲିକ ନିର୍ବାଚନମଣ୍ଡଳୀର କିଆକଟା ଓ ମାଧପୁର ସମେତ ବିଭିନ୍ନ ସ୍ଥାନରେ ପଦଯାତ୍ରା ଓ ୬୦ କିମି ରୋଡ୍‌ ସୋ’ କରି ବିଜେପି ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏହି ଅବସରରେ ସେ ରାଜ୍ୟ ସରକାରକୁ ଟାର୍ଗେଟ୍‌ କରିବା ସହ ଏଥର ଓଡ଼ିଶାବାସୀ ଅତ୍ୟାଚାରୀ ସରକାର ବିରୋଧରେ ନିର୍ଣ୍ଣାୟକ ମତ ଦେବେ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ନିର୍ବାଚନ ପ୍ରଚାର କରୁଛନ୍ତି। ତେବେ ବିଗତ ବର୍ଷ ମାନଙ୍କରେ ହିଞ୍ଜିଳିରୁ କେତେ ଲୋକ ଦାଦନ ଯାଇଛନ୍ତି, ସେସମ୍ପର୍କରେ ସାମାଜିକ ସଂଗଠନର ଦାବି କ୍ରମେ ଶ୍ୱେତପତ୍ର ପ୍ରକାଶ କରନ୍ତୁ।

Advertisment

ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲହର ଚାଲିଛି। ଓଡ଼ିଶାରେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି। ଏଥର ଲୋକକଲ୍ୟାଣକରୀ ସରକାର ପ୍ରତିଷ୍ଠା ହେବ। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ଏବଂ ଦେଶରେ ବିଜେପି ସରକାର ଗଠନ କରିବା ଆମର ସଂକଳ୍ପ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଜାଣିଶୁଣି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି। ଓଡ଼ିଶାରେ କ’ଣ ଅସୁବିଧା ରହିଛି ତାହା ସରକାର ହିଁ ଜାଣିଥିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ। ନିର୍ବାଚନ ପ୍ରଚାର କାଳରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଏବଂ ଦେଶରେ ବିଜେପି ସରକାର ଗଠନ କରିବା ପାଇଁ ଜନତାଙ୍କୁ ପଦ୍ମଫୁଲରେ ଆଶୀର୍ବାଦ କରିବା ପାଇଁ ନିବେଦନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଜିଲ୍ଲା ଦେଉଳଝରୀ ନିକଟ ସିଦ୍ଧେଶ୍ୱର ବାବା, ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀ, ଓଳଥରେ ଥିବା ରାମ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।