ଜଳ, ବାୟୁ ପ୍ରଦୂଷଣ ଯାଞ୍ଚ କଡ଼ାକଡ଼ି କରିବାକୁ ସବୁ ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧ୍ୟକ୍ଷଙ୍କୁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ର ନିର୍ଦ୍ଦେଶ

ଯାଞ୍ଚ ନୀତି ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ୧୫ ଦିନ ମଧ୍ୟରେ ସିପିସିବିଙ୍କୁ ରିପୋର୍ଟ ପ୍ରଦାନ କରାଯିବ

ଭୁବନେଶ୍ବର : ଚଳିତ ବର୍ଷ ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ନେଇ ଜନଜୀବନ ଅସ୍ତବ୍ୟସ୍ତ ହେଲା। ଏ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହେବା ପରେ ଏବେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଜଳ ଓ ବାୟୁ ପ୍ରଦୂଷଣ ମାତ୍ରା କଡ଼ାକଡ଼ି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼। ଏଥିପାଇଁ ବୋର୍ଡ଼ ଅଧ୍ୟକ୍ଷ ଏସ.ପି ସିଂହ ପରିହାର ଓଡ଼ିଶା ସମେତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧ୍ୟକ୍ଷମାନଙ୍କୁ ଗତ ୧୨ ତାରିଖରେ ଚିଠି ଲେଖିଛନ୍ତି। ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ଆଦେଶ ମୁତାବକ ବିଭିନ୍ନ ଶିଳ୍ପକୁ ବର୍ଗୀକରଣ କରାଯାଇ ନିୟମିତ ଯାଞ୍ଚ ନୀତି ଅନୁସାରେ ଯାଞ୍ଚ କରିବାର ଅବଧି ସ୍ଥିର କରାଯାଇଛି। ରାଜ୍ୟ ପ୍ରଦୂଷଣ ବୋର୍ଡ଼ ଏହି ନୀତି ଆଧାରରେ ନିଜ ଅଞ୍ଚଳରେ ଥିବା ଶିଳ୍ପମାନଙ୍କୁ ବର୍ଗୀକରଣ କରିବେ। ଏହାସହିତ ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସିପିସିବି ପଠାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ହରିୟାଣା ରାଜ୍ୟ ସରକାରଙ୍କ ମାମଲାରେ ଏନ୍‌ଜିଟି ଦେଇଥିବା ରାୟକୁ ଆଧାର କରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ସିଂହ ଦର୍ଶାଇଛନ୍ତି, ରାଜ୍ୟରେ ଥିବା ଶିଳ୍ପ ପ୍ରତିଷ୍ଠାନରୁ ବାହାରୁ ଥିବା ବର୍ଜ୍ୟ ବସ୍ତୁ ଦ୍ବାରା ଜଳ ଉତ୍ସ ଓ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଏହାକୁ କିପରି ରୋକା ଯାଇପାରିବ ସେଥିପାଇଁ ରାଜ୍ୟ ବୋର୍ଡ଼ମାନେ ତ୍ବରିତ ପଦକ୍ଷେପ ନେବେ। ଏଥିପାଇଁ ପ୍ରଦୂଷିତ କରୁଥିବା ଶିଳ୍ପକୁ ଅତି ପ୍ରଦୂଷଣକାରୀ, ରେଡ୍ ବର୍ଗ, ଅରେଞ୍ଜ ଓ ଗ୍ରିନ୍ ବର୍ଗରେ ବିଭକ୍ତ କରାଯାଇଛି। ମୁଖ୍ୟତଃ ୧୭ ପ୍ରକାର ଶିଳ୍ପକୁ ଅତି ପ୍ରଦୂଷଣକାରୀ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ ଶିଳ୍ପର ଯାଞ୍ଚ ପ୍ରତି ୩ ମାସରେ ଥରେ କରିବାକୁ ସିପିସିବି ନିର୍ଦ୍ଦେଶ ଦେଇଛି। ସେହିପରି ରେଡ଼୍ ବର୍ଗର ଶିଳ୍ପ ଗୁଡ଼ିକୁ ପ୍ରତି ୬ ମାସରେ ଯାଞ୍ଚ ପାଇଁ ଧାର୍ଯ୍ୟ କରାଯାଇଛି। ଅରେଞ୍ଜ ବର୍ଗର ଶିଳ୍ପକୁ ବର୍ଷକୁ ଥରେ ଯାଞ୍ଚ କରାଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରଦୂଷଣ ଆଦୌ କରୁନଥିବା କିମ୍ବା ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣରେ ରଖି ଗ୍ରିନ୍ ବର୍ଗର ପ୍ରମାଣପତ୍ର ପାଇଥିବା ଶିଳ୍ପ ଉପରେ ସତର୍କ ଦୃଷ୍ଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ପ୍ରତି ଦୁଇବର୍ଷରେ ଥରେ ଗ୍ରିନ୍ ବର୍ଗର ଶିଳ୍ପକୁ ଯାଞ୍ଚ କରି ପ୍ରମାଣପତ୍ର ଦେବାକୁ ସ୍ଥିର କରାଯାଇଛି। ଏତଦ ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଶିଳ୍ପମାନେ ବସାଇଥିବା ବିଭିନ୍ନ ପ୍ଲାଣ୍ଟ୍ ଯଥା, ସିବିଡବ୍ଲ୍ୟୁଟିଏଫ୍, ସିଏଚଡବ୍ଲ୍ୟୁଏସଆରଡିଏଫ୍, ସିଏମଏସଡବ୍ଲ୍ୟୁଟିଡିଏଫ୍, ସିଇଟିପି ଓ ଏସଟିପିଗୁଡ଼ିକୁ ନିୟମିତ ପ୍ରତି ୩ ମାସରେ ଥରେ ଯାଞ୍ଚ କରିବାକୁ ମଧ୍ୟ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର