ନୟାଗଡ଼: ଜିଲ୍ଲା ସ୍ତରରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଦାୟିତ୍ବରେ ଥିବା କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ କୁମାର ସାମଲ ଆ‌ଜି ନୟାଗଡ଼ ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସର୍କିଟ୍ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡ. ପୋମା ଟୁଡୁ, ଆର୍‌ଡିସିଙ୍କୁ କରୋନା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଅବଗତ କରାଇଥିଲେ। ବି‌ଶେଷ କରି ଏହି ସମୀକ୍ଷା ବୈଠକରେ ଆର୍‌ଡିସି, ନୟାଗଡ଼ ଜିଲ୍ଲାକୁ ଲକ୍‌ଡାଉନ୍‌ ପରେ ଫେରିବାକୁ ଥିବା ହଜାର ହଜାର ପ୍ରବାସୀ ଶ୍ରମିକ ତଥା ଅନ୍ୟାନ୍ୟ ବ୍ୟକ୍ତି କ୍ବାରାଣ୍ଟିନ୍‌ ସେଣ୍ଟର୍‌ (ସଙ୍ଗରୋଧ କେନ୍ଦ୍ର)ରେ କିଭଳି ରହିବେ, ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ, ସଙ୍ଗରୋଧ କେନ୍ଦ୍ରରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଆଦି ବ୍ୟବସ୍ଥା ସମ୍ପର୍କରେ ତଦାରଖ କରିଥିବା ଜଣାଯାଇଛି। ସଙ୍ଗରୋଧ ଗୃହରେ ରହିବାକୁ ଥିବା ଗର୍ଭବତୀ ମହିଳାଙ୍କ ଯତ୍ନ ନେଇ ବିଶେଷ ଦୃଷ୍ଟି ଦେବାକୁ ଆର୍‌ଡିସି ଗୁରୁତ୍ବାରୋପ କରିଛନ୍ତି। ଲକ୍‌ଡାଉନ୍‌ ପାଇଁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରା‌ଞ୍ଚଳରେ ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡ଼ିପଡ଼ୁଥିବାରୁ ଜିଲ୍ଲାରେ ଅଧିକ ଶ୍ରମ ଦିବସ ସୃଷ୍ଟି କରି, ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ ବ୍ୟବସ୍ଥା କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ସମୀକ୍ଷା ବୈଠକ ପରେ ଆର୍‌ଡିସି, ପୁଲିସ ‌ଟ୍ରେନିଂ ସ୍କୁଲ୍‌ ପରିସରରେ କରାଯାଇଥିବା କୋଭିଡ୍‌ କେୟାର୍‌ ସେଣ୍ଟର୍‌ ସମେତ ଈଶ୍ବର କଲ୍ୟାଣ ମଣ୍ଡପସ୍ଥିତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର, ବାଲୁଗାଁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିଥିଲେ। ଏହା ପରେ ଖଣ୍ଡପଡ଼ାସ୍ଥିତ କୋଭିଡ୍‌ କେୟ‌ାର୍‌ ସେଣ୍ଟର୍‌ ପରିଦର୍ଶନରେ ଆର୍‌ଡିସିଙ୍କ ସମେତ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀଗଣ ଯାଇଥି‌ଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ କୋଭିଡ୍‌-୧୯ ନୋଡାଲ୍‌ ଅଧିକାରୀ ତଥା ଡିଏଫ୍‌ଓ ଧନରାଜ ଏଚ୍‌ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଡିଆର୍‌ଡିଏ ପିଡି ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶ୍ବେତ କୁମାର ମହାପାତ୍ର, ନୟାଗଡ଼ ବିଡିଓ ମନୋଜ କୁମାର ପାତ୍ର, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ରାଜୀବ କୁମାର ପାଣିଗ୍ରାହୀ, ନୟାଗଡ଼ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଖଣ୍ଡପଡ଼ା ସ୍ଥିତି ଅନୁଧ୍ୟାନ କଲେ
ଖଣ୍ଡପଡ଼ା: ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ଏବେ କାୟା ବିସ୍ତାର କରୁଥିବା ବେଳେ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ କୋଭିଡ୍‌ ହେଲଥ୍‌ ସେଣ୍ଟର୍‌ ତଥା କେୟାର ସେଣ୍ଟର୍‌ ପ୍ରାଥମିକ ଅବସ୍ଥାରେ କାର୍ଯ୍ୟକ୍ଷମ କରାଇଥିବା ବେଳେ ଆଗାମୀ ଦିନରେ ମୁକାବିଲା ନିମିତ୍ତ ବଡ଼ ଭିତ୍ତିଭୂମି ନିର୍ମାଣ ପାଇଁ ଲାଗିପଡ଼ିଛନ୍ତି। ଅନ୍ୟପଟେ ମୁକାବିଲା ପାଇଁ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ ସାମଲ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ସମୀକ୍ଷା କରିଛନ୍ତି। ଶ୍ରୀ ସାମଲ ଅପରାହ୍ଣରେ ଖଣ୍ଡପଡ଼ା କୋଭିଡ୍‌ କେୟାର୍‌ ସେଣ୍ଟର୍‌ ପରିଦର୍ଶନ କରିବା ସହ ଭିତ୍ତିଭୂମି ତଦାରଖ କରିଥିଲେ। ଉକ୍ତ ସେଣ୍ଟର୍‌ରେ କରୋନା ସନ୍ଦିଗ୍ଧ ତଥା ଆକ୍ରାନ୍ତଙ୍କ ପାଇଁ ଆଇସୋଲେସନ ୱାର୍ଡରେ ବିଭିନ୍ନ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଉଲ୍ଲେଖଯୋଗ୍ୟ, ୮୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍‌ କେୟାର୍‌ ସେଣ୍ଟର୍‌ରେ କରୋନା ସନ୍ଦିଗ୍ଧଙ୍କୁ ଡାକ୍ତରୀ ପରୀକ୍ଷା, ସ୍ୱାବ୍‌ ସଂଗ୍ରହ ଓ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏହି ପରିଦର୍ଶନ ସମୟରେ ତାଙ୍କ ସହିତ ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପିଡ଼ି ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ୱେତ କୁମାର ମହାପାତ୍ର, ଡିଏଫ୍‌ଓ ଧନରାଜ ଏଚ୍‌ଡି, ଖଣ୍ଡପଡ଼ା ବିଡିଓ ପ୍ରମୋଦ କୁମାର ନାୟକ, ତହସିଲଦାର ପାର୍ଥସାରଥୀ ହାଂସଦା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, କୋଭିଡ୍‌ କେୟାର୍‌ ସେଣ୍ଟର୍‌ ଦାୟିତ୍ୱରେ ଥିବା ଡ଼ା ପ୍ରଦୀପ କୁମାର ପାଇକରାୟ ପ୍ରମୁଖ ଉପସ୍ଥିତ ରହି ଆର୍‌ଡିସିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସେଣ୍ଟର୍‌ର ଭିତ୍ତିଭୂମି ଉପରେ ଅବଗତ କରାଇଥିଲେ। ଆର୍‌ଡିସି ଶ୍ରୀ ସାମଲ ଭିତ୍ତିଭୂମି ଦେଖି ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ସମୟ ପାଇଁ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଏବଂ ପରେ ଭୁବନେଶ୍ୱର ଅଭିମୁଖେ ବାହାରିଯାଇଥିଲେ।