ବାଲେଶ୍ବର: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ଆଜି ବାଲେଶ୍ବର ଗସ୍ତରେ ଆସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ କରାଯାଇଥିବା ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ, ନିଲୁ ମହାପାତ୍ର, ପିଡି-ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ତଥା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଈଶ୍ବର ପାଟିଲ, ବାଲେଶ୍ବର ଉପଜିଲ୍ଲାପାଳ କୁନାଲ ଚୌହାନ, ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଅତିରିକ୍ତ ଏସ‌୍ପି ଅମରେଶ କୁମାର ପାଣିଗ୍ରାହୀ, ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

ଏହି ଅବସରରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଥାନାରେ ପଞ୍ଜୀକରଣ ହୋଇଥିବା ଆପରାଧିକ ମାମଲା, ତାହାର ତଦନ୍ତ, ଫଇସଲା ଏବଂ ପୁଲିସ ବିଭାଗ ପକ୍ଷରୁ ଜାରି ରହିଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ଇତ୍ୟାଦି ସମ୍ପର୍କରେ ବିଭାଗୀୟ ଅଧିକାରୀ ତଥ୍ୟ ରଖିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ଶୌଚାଳୟ ନିର୍ମାଣ, ବାହ୍ୟ ମଳମୁକ୍ତ ଗ୍ରାମ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ବାଲେଶ୍ବର ଜିଲ୍ଲା ଏକ ବାତ୍ୟାପ୍ରବଣ ଜିଲ୍ଲା ହୋଇଥିବାରୁ ଆବାସ ଯୋଜନାରେ ସମ୍ପ୍ରତି ଚାଲିଥିବା ଗୃହନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ରାଜସ୍ବ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଜିଓ ଟ୍ୟାଗିଂ ମାଧ୍ୟମରେ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ସେ କହିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ମଧ୍ୟରେ ସଂଯୋଗୀକରଣ(ଲିଙ୍କେଜ୍) ଉପରେ ସେ ଗୁରୁତ୍ବାରୋପ କରିବା ସହିତ ଗ୍ରାମୀଣ କୌଶଳ ଯୋଜନାରେ ଯୁବକ-ଯୁବତୀଙ୍କ ଦକ୍ଷତା ବୃଦ୍ଧି, ମିସନ ଶକ୍ତି ଗୃହ ନିର୍ମାଣ ଶେଷ, ଆମ ଗାଁ-ଆମ ବିକାଶ ଯୋଜନାର କାର୍ଯ୍ୟାନ୍ବୟନ ଉପରେ ସେ ଜୋର୍ ଦେଇଥିଲେ।

ଜିଲ୍ଲାରେ ଶିକ୍ଷା ଓ ସ୍ବାସ୍ଥ୍ୟର ଭିତ୍ତିଭୂମି ଓ ଏହି ଦୁଇ ବିଭାଗର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଜଙ୍ଗଲ ଅଧିକାର ଅଧିନିୟମର କାର୍ଯ୍ୟକାରିତା ପ୍ରସଙ୍ଗରେ ବନଖଣ୍ତ ଅଧିକାରୀଙ୍କ ପାଖରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହିତ ବନୀକରଣକୁ ତ୍ବରାନ୍ବିତ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନୁରୂପ ଭାବେ ଜିଲ୍ଲାରେ ଧାନସଂଗ୍ରହ ସ୍ଥିତି, ଜମି ଅଧିଗ୍ରହଣ ସମେତ କୃଷି, ଉଦ୍ୟାନକୃଷି, ପୂର୍ତ୍ତ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଜଳସେଚନ, କ୍ଷୁଦ୍ର ଜଳସେଚନ, ଡ୍ରେନେଜ୍ ଇତ୍ୟାଦି ବିଭାଗର ବିଭିନ୍ନ ପ୍ରକଳ୍ପ ଓ ସେ ସମ୍ପର୍କିତ ସମସ୍ୟା ସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀମାନେ ଗୃହରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଜମିଜମା ମାମଲା ପାଇଁ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁ ନ ଥିବାରୁ ଏଥିପାଇଁ ବରିଷ୍ଠ ଇଞ୍ଜିନିୟର, ତହସିଲଦାର ଓ ରାଜସ୍ବ ବିଭାଗ ଅଧିକାରୀମାନେ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଚାଲୁ କରିବାକୁ ସେ ତାଗିଦ୍‌ କରିଥିଲେ। ଜିଲ୍ଲାର ସହରାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜାଗା ମିଶନ୍ ସମ୍ପର୍କରେ ସେ ସମୀକ୍ଷା କରିବା ସହ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଗ୍ରୀଷ୍ମପ୍ରବାହରେ ଯେପରି ଶ୍ରମିକମାନେ ଦିନ ୧୧ଟାରୁ ସାଢ଼େ ୩ଘଟିକା  ପର୍ଯ୍ୟନ୍ତ ଯେପରି କାମ ନ କରନ୍ତି ତାହା ନିଶ୍ଚିତ କରିବାକୁ ଶ୍ରମ ବିଭାଗକୁ ନିେର୍ଦ୍ଦଶ ଦେଇଥିଲେ। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ବିଭାଗ ସମ୍ପର୍କରେ ମଧ୍ୟ ସଂକ୍ଷେପରେ ଆଲୋଚନା କରିଥିଲେ। ଶେଷରେ ଜିଲ୍ଲାରେ ଚାଲିଥିବା ସରକାରୀ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।