ଭୁବନେଶ୍ବର: ୨୦୨୩ ମସିହା ପାଇଁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ବିଶିଷ୍ଟ କବି ଆଶୁତୋଷ ପରିଡ଼ା। କବିତା ପୁସ୍ତକ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଓଡ଼ିଆ ଭାଷା ପାଇଁ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା, ହରପ୍ରସାଦ ଦାସ ଓ ପ୍ରଫେସର କାଳୀପ୍ରସାଦ ମିଶ୍ରଙ୍କୁ ନେଇ ଗଠିତ ଜୁରୀ ଏହି ବହିଟିକୁ ଶ୍ରେଷ୍ଠ ମନୋନୀତ କରିଛନ୍ତି। ପୁରସ୍କାର ବାବଦକୁ କବି ଶ୍ରୀ ପରିଡ଼ାଙ୍କୁ ତାମ୍ରଫଳକ, ଉତ୍ତରୀୟ ସହିତ ୧ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ଜଣେ ନିର୍ବିବାଦୀୟ ଭଲ କବି ଓ ବ୍ୟକ୍ତିତ୍ବ ଭାବେ ପରିଚିତ ଶ୍ରୀ ପରିଡ଼ାଙ୍କ ମନୋନୟନକୁ ନେଇ ଓଡ଼ିଆ ସାହିତ୍ୟ ଜଗତରେ ବେଶ୍‌ ଆନନ୍ଦ ପ୍ରକାଶ ପାଇଛି।

Advertisment

ସାହିତ୍ୟ ଅକାଦେମି ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଅନୁମୋଦନ ଲାଭ କରିବାପରେ ଦେଶର ୨୪ଟି ଭାଷା ପାଇଁ ପୁରସ୍କାର ଘୋଷଣା କରାଯାଇଛି। ପୁରସ୍କାର ପାଇଁ ମନୋନୀତ ପୁସ୍ତକଗୁଡ଼ିକ ମଧ୍ୟରେ ୯ଟି କବିତା ପୁସ୍ତକ ଥିବାବେଳେ ୭ଟି ଉପନ୍ୟାସ, ୫ଟି ଗଳ୍ପ ସଙ୍କଳନ, ୩ଟି ପ୍ରବନ୍ଧ ଓ ଗୋଟିଏ ସାହିତ୍ୟ ଅଧ୍ୟୟନ ପୁସ୍ତକ ରହିଥିବା ଅକାଦେମିର ସଚିବ ଶ୍ରୀନିବାସ ରାଓ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ଏହି କାର୍ଯନିର୍ବାହୀ କମିଟି ବୈଠକରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ କଥାକାର ଗୌରହରି ଦାସ ଉପସ୍ଥିତ ଥିଲେ। ଜଣେ ପ୍ରଗତିବାଦୀ ଓ ଜନବାଦୀ କବି ଭାବେ ପରିଚିତ ଶ୍ରୀ ପରିଡ଼ା ୧୯୪୬ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଉରକେଲାସ୍ଥିତ ଆଞ୍ଚଳିକ ଇଂଜିନିୟରିଂ କଲେଜ (ଆର୍‌ଇସି, ଯାହା ଏବେ ହୋଇଛି ଏନ୍‌ଆଇଟି)ରୁ ଶିକ୍ଷା ଶେଷକରି ଖଡ଼ଗପୁରସ୍ଥିତ ଆଇଆଇଟିରେ ସେ ଗବେଷଣା କରିଥିଲେ ଏବଂ ଡକ୍ଟରେଟ୍ ଡିଗ୍ରୀ ଲାଭ କରିଥିଲେ। ଗବେଷଣା ପରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୩-୯୫ ପର୍ଯ୍ୟନ୍ତ ସେ ସର୍ବଭାରତୀୟ ବିଜ୍ଞାନ କର୍ମୀ ସଂଘର ସଭାପତି ଏବଂ ବହୁବର୍ଷ ଧରି ଭୁବନେଶ୍ବର ଆଞ୍ଚଳିକ ଗବେଷଣାଗାର ବୈଜ୍ଞାନିକ ସଂଘର ସଭାପତି ଥିଲେ। ଭାରତୀୟ ଇଂଜିନିୟରିଂ ପ୍ରତିଷ୍ଠାନର ମଧ୍ୟ ସେ ସମ୍ମାନଜନକ ସଦସ୍ୟ (ଫେଲୋ) ଥିଲେ।

ନବମ ଶ୍ରେଣୀରୁ କବିତା ଲେଖା ଆରମ୍ଭ କରିଥିବା ଶ୍ରୀ ପରିଡ଼ାଙ୍କୁ ଯୁବାବସ୍ଥାରେ ହିଁ ଜଣେ ଶକ୍ତିଶାଳୀ ଜନବାଦୀ କବି ଭାବେ ଓଡ଼ିଆ କାବ୍ୟ ଜଗତର ସ୍ବୀକୃତି ମିଳିଥିଲା ତାଙ୍କ ‘ଚଣ୍ଡାଳ’ କାବ୍ୟ ଜରିଆରେ। ଏବେ ପରିଣତ ବୟସରେ ମଧ୍ୟ ଚେହେରା ଓ ବ୍ୟବହାରରେ ଯୁବସୁଲଭ ସୌମ୍ୟତା ବଜାୟ ରଖିଥିବା ଏ କବି ଅଧିକାଂଶ ସମସାୟିକ ଯେତେବେଳେ ପ୍ରେମ ପ୍ରଣୟ, ଏକାକୀତ୍ବ ଓ ଅନ୍ୟ ରୋମାଣ୍ଟିକ୍ ଭାବଧାରାରେ କବିତା ଲେଖୁଥିଲେ, ସେ ସମୟରେ ଓ ବୟସରେ କବିତାରେ ସାଧାରଣ ଲୋକଙ୍କ କଥାକୁ କହିବାର ପ୍ରୟାସ କରି ସଫଳ ହୋଇଥିଲେ। ତାହା ଆଜିଯାଏ ଜାରି ରହିଛି। ଶୈଳୀ ଦୃଷ୍ଟିରୁ ମଧ୍ୟ ସେ ଅସାଧାରଣ ଭାବେ ସାଧାରଣ। ଶୈଳୀକୁ ନେଇ ବିଶେଷ ପରୀକ୍ଷା ନକରି ସେ ସାଧାରଣ ଭାଷାରେ ଓ ସାବଲୀଳ ଭାବେ ଶକ୍ତିଶାଳୀ ଭାବକୁ ପ୍ରକାଶ କରି ଓଡ଼ିଆ କବିତାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଏଯାବତ୍ ୧୨ଟି କବିତା ସଙ୍କଳନ ପ୍ରକାଶିତ ହୋଇଛି। ପୁରସ୍କୃତ ‘ଅପ୍ରସ୍ତୁତ ମୃତ୍ୟୁ’ ସମେତ ତାଙ୍କର ସ୍ମରଣୀୟ କବିତା ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ଯୁକ୍ତ ଯାଚନା’, ‘ଈପ୍‌ସିତ କ୍ରୋଧ’, ‘ଚଣ୍ଡାଳ’, ‘ଶବ୍ଦଭେଦୀ’, ‘ଲହୁଲୁହାଣ’, ‘ଅନ୍ତରାଳ’, ‘ଦେଶ ନଥିବା ଲୋକ’, ‘ଆକ୍ରାନ୍ତ ଅକ୍ଷର’ ଓ ‘କଥା ସରିନାହିଁ’ ଆଦି। ଏହା ଭିତରୁ ‘ଈପ୍‌ସିତ କ୍ରୋଧ’ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା। ଏତଦ୍‌ବ୍ୟତୀତ ତାଙ୍କର ଅନେକ କାବ୍ୟ ଅଲୋଚନା ଓ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଇଥିବା ବେଳେ ବହୁ କବିତା ଇଂରାଜୀ, ହିନ୍ଦୀ ଓ ଅନ୍ୟ ଭାଷାରେ ଅନୂଦିତ। ଶ୍ରୀ ପରିଡ଼ାଙ୍କର ଚିତ୍ରକଳା କ୍ଷେତ୍ରରେ ମଧ୍ୟ ବେଶ୍‌ ପ୍ରବେଶ ରହିଛି।

ନିଜର ପ୍ରତିକ୍ରିୟାରେ ଶ୍ରୀ ପରିଡ଼ା କହିଛନ୍ତି, ‘‘କିଛିବର୍ଷ ହେବ ମୋ’ ବହି ସମ୍ଭାବ୍ୟ ପୁରସ୍କାର ତାଲିକାରେ ସ୍ଥାନ ପାଉଥିଲା। ଶେଷରେ ଏଥିପାଇଁ ମୁଁ ଯୋଗ୍ୟ ବିବେଚିତ ହୋଇଥିବାରୁ ମୁଁ ବେଶ୍‌ ଆନନ୍ଦିତ। ସାହିତ୍ୟ ଅକାଦେମି ଭଳି ଏକ ଜାତୀୟ ପୁରସ୍କାର ଲାଭ କରିବା ମଧ୍ୟ ମୋ ପାଇଁ ଗୌରବର ବିଷୟ।’’
ଅକାଦେମି ପୁରସ୍କାରର ଖବର ଆସିବା ପରେ ଶ୍ରୀ ପରିଡ଼ାଙ୍କ ପାଖକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରଫେସର ବିଜୟ କୁମାର ଶତପଥୀଙ୍କ ସମେତ ଅନେକ ଲେଖକ ଓ ସାହିତ୍ୟପ୍ରେମୀ କବିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।