ଭୁବନେଶ୍ବର : ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଅକାଦେମିର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଚଳିତବର୍ଷର ଯୁବ ଓ ବାଲ୍ ସାହିତ୍ୟ ପୁରସ୍କାର ଘୋଷିତ ହୋଇଛି। ଚଳିତବର୍ଷ ପାଇଁ ଓଡ଼ିଆ ଭାଷାରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ନରେନ୍ଦ୍ର ପ୍ରସାଦ ଦାସ ‘ବାଲ୍ ସାହିତ୍ୟ ପୁରସ୍କାର’ ଏବଂ ଗାଳ୍ପିକ ଦିଲ୍ଲୀପ ବେହେରା ‘ଯୁବ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି।
ଶ୍ରୀ ଦାସ ‘କୋଳାହଳ ନା ହଳାହଳ’ ପୁସ୍ତକ ପାଇଁ ବାଲ୍ ସାହିତ୍ୟ ପୁରସ୍କାର ପାଇବେ। ୧୯୪୨ରେ ଯାଜପୁର ଜିଲ୍ଲାର ସମିଆ ଗାଁରେ ତାଙ୍କର ଜନ୍ମ। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି ‘ବିଜ୍ଞାନ ଓ ବିଜ୍ଞାନୀ’, ‘ବଡ଼ ସାନ ନାହିଁ ପରିବେଶରେ’, ‘ବିଜ୍ଞାନ ଭୋଜି’ ଏବଂ ‘ବିଜ୍ଞାନର ସ୍ବର’ ଇତ୍ୟାଦି। ସେ ‘ମାତୃଭୂମି’ର କିଶୋର ଫଉଜ ପୁରସ୍କାର, ସଂସାର ସମ୍ମାନ, ଝୁମୁକା ପୁରସ୍କାର ଏବଂ ପ୍ରଜାତନ୍ତ୍ର ପ୍ରଚାର ସମିତିର ମୀନାବଜାର ପୁରସ୍କାର ଆଦି ଲାଭ କରିଛନ୍ତି। ବାଲ୍ ସାହିତ୍ୟ ପୁରସ୍କାର ପାଇବା ଅବସରରେ ସେ କହିଛନ୍ତି, ‘ବର୍ତ୍ତମାନ ସମୟରେ ଲେଖାଯାଉଥିବା ଶିଶୁ ସାହିତ୍ୟରେ ଉଭୟ ମନୋରଞ୍ଜନ ଏବଂ ସଚେତନତା ମୂଳକ ବାର୍ତ୍ତା ରହିବା ଉଚିତ। ଏହାଦ୍ବାରା ସମାଜର ଉନ୍ନତି ହେବ। ଏହି ପୁସ୍ତକରେ ୯ଟି ଗଳ୍ପ ମାଧ୍ୟମରେ ଶବ୍ଦ ପ୍ରଦୂଷଣ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରାଯାଇଛି।’
ସେହିପରି ଓଡ଼ିଆ ଗଳ୍ପ ସଂକଳନ ‘ଲଣ୍ଠନ’ ପାଇଁ ଯୁବ ପୁରସ୍କାର ପାଇବେ ଗାଳ୍ପିକ ଦିଲ୍ଲୀପ ବେହେରା। ୧୯୮୮ରେ ମୟୂରଭଞ୍ଜ ଜିଲ୍ଲାର ମଡାମପୁର ଗାଁରେ ଜନ୍ମିତ ଶ୍ରୀ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଏହି ପୁରସ୍କାର ଗୋଟିଏ ଆନୁଷ୍ଠାନିକ ସ୍ବୀକୃତି। ଲେଖା ମାଧ୍ୟମରେ ବାଣୀ ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ ଏହା ମୋତେ ପ୍ରେରଣା ଦେବ।’ ତାଙ୍କ ଦ୍ବାରା ରଚିତ ଅନ୍ୟ ପୁସ୍ତକ ଗୁଡ଼ିକ ହେଉଛି ‘ପାନ୍ଥଶାଳା’, ‘ଆସ୍ ଟ୍ରେ’, ‘ଶବସତ୍କାର ଓ ଅନ୍ୟାନ୍ୟ ନାଟକ’। ୨୦୧୧ ମସିହାରେ ସେ ‘କଥା’ ନବପ୍ରତିଭା ପୁରସ୍କାର’ ଏବଂ ୨୦୨୧ରେ କିଶୋରୀ ଚରଣ ଗଳ୍ପ ପୁରସ୍କାର ପାଇଥିଲେ।
ଯୁବ ପୁରସ୍କାର ପାଇଁ ବିଚାରକ ଥିଲେ ଭଗବାନ ଜୟସିଂହ, ଦେବବ୍ରତ ମଦନରାୟ ଏବଂ ଗାୟତ୍ରୀବାଳା ପଣ୍ଡା। ବାଲ୍ ସାହିତ୍ୟ ପୁରସ୍କାର ପାଇଁ ବିଚାରକ ଥିଲେ ପ୍ରଫେସର ଆଦିକନ୍ଦ ସାହୁ, ଗାୟତ୍ରୀ ସରାଫ୍ ଏବଂ ଡ. ପ୍ରଫୁଲ୍ଲ କୁମାର ମହାନ୍ତି। ଶ୍ରୀ ଦାସ ଏବଂ ଶ୍ରୀ ବେହେରାଙ୍କୁ ପୁରସ୍କାର ସ୍ବରୂପ ତାମ୍ର ଫଳକ ସହିତ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ବୈଠକରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ଯୋଗ ଦେଇଥିଲେ।