କଟକଣା ଜାରି କଲା ଅର୍ଥ ବିଭାଗ, ୬ଟି କ୍ଷେତ୍ରରେ ଖର୍ଚ୍ଚକୁ ଫୋକସ
କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଠିକ୍ ସମୟରେ ଆସୁନି
କେନ୍ଦ୍ର ଅଂଶ ନ ମିଳିଲେ ରାଜ୍ୟ ଅଂଶ ଆଗତୁରା ଖର୍ଚ୍ଚରେ କଟକଣା
ଅନୁଦାନ ପ୍ରଦାନରେ ବି ଟାଳଟୁଳ ନୀତି; ପୂର୍ବବର୍ଷଠୁ ଏଥର କମ୍ ମିଳିବ

Advertisment

ଭୁବନେଶ୍ବର : କେନ୍ଦ୍ରୀୟ ସହାୟତା ବାବଦ ଅର୍ଥ ମିଳିଥିଲେ ଯାଇ ସଂପୃକ୍ତ କାର୍ଯ୍ୟକ୍ରମ ବା ଯୋଜନାରେ ରାଜ୍ୟ ଅଂଶ ପ୍ରଦାନ କର। ଯଦି କେନ୍ଦ୍ରୀୟ ଭାଗ ମିଳିନାହିଁ ତେବେ ଅର୍ଥ ବିଭାଗର ଅନୁମତି ବିନା ବିଭାଗମାନେ ନିଜେ ନିଜେ ରାଜ୍ୟ ଅଂଶ ଅର୍ଥ ପ୍ରଦାନ ବା ଖର୍ଚ୍ଚ କରିପାରିବେ ନାହିଁ। ଏଭଳି କଟକଣା ସହ ସମସ୍ତ ବିଭାଗର ମୁଖିଆମାନଙ୍କୁ ଅର୍ଥ ବିଭାଗ ପକ୍ଷରୁ ଗୋଟିଏ ସ୍ପଷ୍ଟ ନିର୍ଦେଶନାମା ଯାଇଛି। ପୁଞ୍ଜି ସଂପତ୍ତି ସୃଷ୍ଟି ଲାଗି ପୁଞ୍ଜି ଖର୍ଚ୍ଚ ଉପରେ ଗୁରୁତ୍ବ ଦେବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛନ୍ତି। ସେହିଭଳି ସାମାଜିକ କ୍ଷେତ୍ରରେ ବ୍ୟୟ ବୃଦ୍ଧି, ଶୂନ୍ୟ ଆଧାରିତ ନିବେଶ ଭିତ୍ତିକ ପ୍ରକଳ୍ପ ଶେଷ ଲାଗି ଅର୍ଥ ବିନିଯୋଗ ଆଦି ପ୍ରସଙ୍ଗରେ ୬ଟି ସୂତ୍ର ପ୍ରଦାନ କରିଛନ୍ତି।

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଏଭଳି ନିର୍ଦେଶନାମା ପରେ କେନ୍ଦ୍ର-ରାଜ୍ୟ ଅନୁଦାନ ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାକୁ ନେଇ ଚାଲିଥିବା ଅଦୃଶ୍ୟ ବିବାଦ ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। କାରଣ ଅଧିକାଂଶ ଯୋଜନାରେ କେନ୍ଦ୍ର-ରାଜ୍ୟ ଅଂଶ ୬୦:୪୦ ପ୍ରତିଶତ ରହିଛି। କିଛି ଯୋଜନାରେ ୫୦:୫୦ ଓ ଆଉ କିଛି ଯୋଜନାରେ ୭୫: ୨୫ ମଧ୍ୟ ରହିଛି। ଏହା ଜରିଆରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପାଖାପାଖି ୩୧ ହଜାର କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ୍ ୧୮ ହଜାର କୋଟିରୁ ଅଧିକ କେନ୍ଦ୍ରରୁ ଆସିବ ଓ ୧୨ ହଜାର କୋଟି ରାଜ୍ୟ ସରକାର ଖର୍ଚ୍ଚ କରିବେ। ହେଲେ ଠିକ୍ ସମୟରେ କେନ୍ଦ୍ର ସରକାର ନିଜ ଅଂଶଧନ ନ ଦେବା ଫଳରେ ରାଜ୍ୟ ସରକାର ଅକଳରେ ପଡୁଛନ୍ତି। ଯୋଜନା କାର୍ଯ୍ୟାନ୍ବୟନରେ ଭୀଷଣ ପରିସ୍ଥିତି ସୃଷ୍ଟି ହେଉଛି।

publive-image Facebook

ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ଯେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା କ୍ଷେତ୍ରରେ ରାଜ୍ୟ ସରକାର ମାନେ ସଂପୃକ୍ତ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ଆକାଉଣ୍ଟ ଖୋଲିବେ। ଏହି ଫର୍ମୁଲା ପ୍ରୟୋଗ କରାଯିବା କାରଣରୁ କେନ୍ଦ୍ରୀୟ ଅର୍ଥ ମିଳିବାରେ ବି ସମସ୍ୟା ସୃଷ୍ଟି ହୋଇଛି। ଅର୍ଥ ବିଭାଗ ଆହୁରି କହୁଛି ଯେ କିଛି କାର୍ଯ୍ୟକ୍ରମ ଅଛି, ଯେଉଁଥିପାଇଁ କେନ୍ଦ୍ର ସରକାର ଅର୍ଥ ନ ଦେଲେ ବି ରାଜ୍ୟ ସରକାରଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ। ହେଲେ ଯଦି ଏହାକୁ ସବୁ କ୍ଷେତ୍ରରେ ପ୍ରୟୋଗ କରାଯିବ, ତେବେ ରାଜ୍ୟର ଆର୍ଥିକ ସ୍ଥିତି ଖରାପ ହେବ; ସମାନ୍ତରାଳ ଭାବେ କୌଣସି ପ୍ରକଳ୍ପ ଲକ୍ଷ୍ୟ ହାସଲ କରିପାରିବ ନାହିଁ।

କେବଳ ସେତିକି ନୁହେଁ, କେନ୍ଦ୍ରୀୟ ଅନୁଦାନ କ୍ଷେତ୍ରରେ ମଧ୍ୟ ସ୍ଥିତି ଆହୁରି ଗମ୍ଭୀର। ଅର୍ଥ ବିଭାଗ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ୨୦୨୧ ଆର୍ଥିକବର୍ଷରେ ଅନୁଦାନ ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି। ଏମିତିକି ୨୦୨୦ ତୁଳନାରେ ୨୦୨୧ ବର୍ଷରେ କେନ୍ଦ୍ରୀୟ ଅନୁଦାନ ପାଖାପାଖି ୨୫ ପ୍ରତିଶତ କମିଯାଇଛି। ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି, ୨୦୨୦ ମସିହାରେ ଓଡ଼ିଶାକୁ କେନ୍ଦ୍ର ସରକାର ୨୩ ହଜାର କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ଡିସେମ୍ବର ସୁଦ୍ଧା ପାଖାପାଖି ୧୬ହଜାର ୬୦୦ କୋଟି ଟଙ୍କା ମିଳିଥିଲା। ଏବର୍ଷ କିନ୍ତୁ ସ୍ଥିତିରେ ଅନେକ ଉନ୍ନତି ଆସିଥିଲେ ହେଁ କେନ୍ଦ୍ରୀୟ ଅନୁଦାନ ୧୨ହଜାର ୩୦୦ କୋଟି ଟଙ୍କାକୁ କମିଯାଇଛି।

publive-image Image Courtesy of India Today

ଅର୍ଥ ବିଭାଗର ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୩୭ ହଜାର ୯୬୩ କୋଟି ୩୨ଲକ୍ଷ ଟଙ୍କା କେନ୍ଦ୍ରରୁ (ଅନୁଦାନ) ଆଶା କରିଥିଲେ। ଏଥିରେ ଜିଏସଟି ଅନୁଦାନ ମଧ୍ୟ ବିଚାରକୁ ନିଆଯାଇଥିଲା। ମାତ୍ର କେନ୍ଦ୍ର ସରକାର ଇତିମଧ୍ୟରେ ଗତବର୍ଷ ଭଳି ଋଣ ସୂତ୍ରରେ ୬୫୦୦ କୋଟି ଟଙ୍କା ଜିଏସ୍‌ଟି ଅର୍ଥ ପ୍ରଦାନ କରିଛନ୍ତି। ଅତଏବ କେନ୍ଦ୍ରୀୟ ଅନୁଦାନ ଲକ୍ଷ୍ୟ ପାଖାପାଖି ୩୧ ହଜାର କୋଟିକୁ ଖସିଆସିଛି। ଏବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ଆର୍ଥିକ ବର୍ଷର ପ୍ରଥମ ୯ମାସରେ ଅର୍ଥାତ୍ ଡିସେମ୍ବର ସୁଦ୍ଧା ଏହାର ଏକ ତୃତୀୟାଂଶ ପ୍ରଦାନ କରିଥିବା ବେଳେ ବାକି ତିନିମାସରେ ୧୯ ହଜାର କୋଟି ପ୍ରଦାନ କରିବେ ତ?

ଅର୍ଥନୀତିଜ୍ଞମାନେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଉଛନ୍ତି। ସେମାନଙ୍କର ମତ ହେଲା, ରାଜ୍ୟ ସରକାର ନିଜ ଅର୍ଥରେ ଯଦି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବେ, ତେବେ ଗୋଟିଏ ବାର୍ତ୍ତା ଯିବ ଯେ ଠିକ୍ ସମୟରେ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରୁଛନ୍ତି। କେବଳ ସେତିକି ନୁହେଁ, ଆଗତୁରା ଅର୍ଥ ଦେଇ ଯଦି ଯୋଜନା ଚାଲୁ ରଖିଲେ, ତେବେ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ରହିବ। ଏଣୁ ଅର୍ଥ ବିଭାଗ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରିବାରେ କୌଣସି ଅସ୍ବାଭାବିକତା ନାହିଁ।

ଦ୍ବିତୀୟ ଦିଗଟି ହେଲା, ଓଡ଼ିଶାରେ ଗୋଟିଏ ଆଞ୍ଚଳିକ ଦଳ ଶାସନରେ ଅଛି। କେନ୍ଦ୍ରୀୟ ଅବହେଳା ତାଙ୍କ ପାଇଁ ଏକମାତ୍ର ରାଜନୈତିକ ଅସ୍ତ୍ର। ଯେହେତୁ ମୋଦୀ ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ କଥା କହୁଛନ୍ତି; କେନ୍ଦ୍ର ସରକାରଙ୍କ ଯୋଜନାରେ ଅଚଳାବସ୍ଥା କଥା ସାମ୍ନାକୁ ନ ଆସିଲେ, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଆଦୌ ଜୋର୍ ଧରିବ ନାହିଁ। ଏହା ଏକଥା ବି ପ୍ରମାଣ କରିବ ଯେ କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଅଭିଯୋଗ ମିଥ୍ୟା ବା ଅମୂଳକ ନୁହେଁ।