ଭୁବନେଶ୍ବର : କୋଟିଆରେ ଆନ୍ଧ୍ର ସରକାର ବାରମ୍ବାର ନିର୍ବାଚନ କରିବା ନେଇ ଘୋଷଣା କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା। କିନ୍ତୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଭାବରୁ ସମସ୍ୟାର ସମାଧାନ ହୋଇପାରୁନି। ଆଜି ଏକ ପ୍ରେସ୍ ବିବୃତି ଜାରି କରି ଉଭୟ ସରକାରଙ୍କୁ ଏପରି ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ମାଟିକୁ ସୁରକ୍ଷା ଦେବାରେ ବିଜେଡି ସରକାର ଅସମର୍ଥ। ପଡ଼ୋଶୀମାନେ ଧୀରେ ଧୀରେ ମାଡ଼ି ଆସୁଛନ୍ତି। କିନ୍ତୁ ଆମ ସରକାର ନିରବତା ଅବଲମ୍ବନ କରିଚାଲିଛନ୍ତି। ଏହାଠାରୁ ଦୁଃଖଦାୟକ ଘଟଣା ଆଉ କ'ଣ ହୋଇପାରେ?
ଶ୍ରୀ ପଟ୍ଟନାୟକ କହିଛନ୍ତି, ମହାପୁରୁଷମାନେ ତ୍ୟାଗ କରି ଓଡ଼ିଶା ଗଠନ କରିଥିଲେ। ଆଜି ସେମାନଙ୍କୁ ପରିହାସ କରାଯାଉଛି। ଆନ୍ଧ୍ର ସରକାର ଓଡ଼ିଶାର କୋଟିଆ ଅଞ୍ଚଳରେ ଗତ ୩ ମାସ ମଧ୍ୟରେ ଦୁଇ ଦୁଇଥର ନିର୍ବାଚନ ଘୋଷଣା କରି ସାରିଲେଣି। ନିର୍ବାଚନ କରିବା ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଉଛନ୍ତି। ଏପରିକି ନିର୍ବାଚନ ଚାଲିଥିବା ବେଳେ ଓଡ଼ିଶା ସରକାର ୧୪୪ ଧାରା ଜାରି କଲେ। ତାକୁ ମଧ୍ୟ ଆନ୍ଧ୍ର ସରକାର ମାନିଲେ ନାହିଁ। ବହୁ ପୂର୍ବରୁ ସୁପ୍ରିମକୋର୍ଟ କହିଛନ୍ତି ସୀମା ବିବାଦ ମାମଲା କୋର୍ଟର ପରିସରଭୁକ୍ତ ନୁହେଁ। ଏହା କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ। ସଂସଦରେ ଏହାର ସମାଧାନର ବାହାରିପାରିବ। କିନ୍ତୁ କେନ୍ଦ୍ରର ବିଜେପି ସରକାରଙ୍କ ଓଡ଼ିଶା ପ୍ରତି ତିଳେମାତ୍ର ଆନ୍ତରିକତା ନାହିଁ। ସେହିପରି ଓଡ଼ିଶା ସରକାର ମଧ୍ୟ କୌଣସି ଆନ୍ତରିକତା ଦେଖାଉନାହାନ୍ତି। ଏହାଠୁ ଲଜ୍ଜାକର ଘଟଣା କଣ ହୋଇପାରେ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଅତୀତରେ ମହାନଦୀ ପାଣିକୁ ରାଜ୍ୟ ସରକାର ବଞ୍ଚାଇ ପାରିଲେ ନାହିଁ। ଏବେ ଓଡ଼ିଶା ମାଟିକୁ ହରାଇବାକୁ ବସିଲେଣି। ବିଜେଡି ସରକାର ଥରେ ମାତ୍ର ସୀମା ବିବାଦ ପ୍ରସଙ୍ଗ ସଂସଦରେ ଉଠାଇଲେ ନାହିଁ। ସବୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ସଂସଦରେ ବିଜେଡି ସମର୍ଥନ ଦେଉଛି ଅଥଚ ରାଜ୍ୟ ସ୍ବାର୍ଥ ପାଇଁ ସରକାର ପଦୁଟିଏ ଜୋର କରି ଦାବି ରଖୁନାହାନ୍ତି। ତୁରନ୍ତ ଏହି ପ୍ରସଙ୍ଗ ଯେପରି ସଂସଦରେ ଉଠିବ ସେ ନେଇ ରାଜ୍ୟ ସରାକର ପ୍ରୟାସ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି। ତା ନ ହେଲେ ରାଜ୍ୟବାସୀ ଏହି ଐତିହାସିକ ଭୁଲ ପାଇଁ କେବେ ବି ସରକାରଙ୍କୁ କ୍ଷମା ଦେବେ ନାହିଁ ବୋଲି ପିସିସି ସଭାପତି ଚେତେଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/niranjan-patnaik.jpeg)