ପିଲାଙ୍କ ଭବିଷ୍ୟତ ସହ ‌ଖେଳ : ପରୀକ୍ଷା ନେଇ କେନ୍ଦ୍ର-ରାଜ୍ୟ ଚିଠି ଯୁଦ୍ଧ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଅଧୀନ ଅଣ୍ଡର ଗ୍ରାଜୁଏଟ୍‌(ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ୍‌(ପିଜି) ପରୀକ୍ଷାକୁ ନେଇ ବିବାଦ ଛିଣ୍ଡୁନି। ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ବାଧ୍ୟତାମୂଳକ କରିଥିବା ବେଳେ ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟ ବର୍ତମାନ ସ୍ଥିତିରେ ପରୀକ୍ଷା କରିବା ସପକ୍ଷରେ ନାହାନ୍ତି। ମହାରାଷ୍ଟ୍ର ସରକାର ଏନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପଶ୍ଚିମବଙ୍ଗ ସରକାର ବି ପରୀକ୍ଷା ନ କରାଇବାକୁ ରୋକଠୋକ୍‌ ‌ଶୁଣାଇ ଦେଇଛନ୍ତି। ତା’ପରେ ବି ପରୀକ୍ଷା କରାଇବା ସପକ୍ଷରେ ୟୁଜିସି ମତପ୍ରକାଶ କରିଛି। କେନ୍ଦ୍ର-ରାଜ୍ୟମାନଙ୍କ ମଧ୍ୟରେ ଗତ ୧୮ ଦିନ ଧରି ଚାଲିଥିବା ବଳ କଷାକଷି ମଧ୍ୟରେ ଏବେ ଛାତ୍ରଛାତ୍ରୀମାନେ କେବଳ ଅକଳରେ ପଡ଼ିଛନ୍ତି ତା ନୁହେଁ, କରୋନା ଭଳି ବିପର୍ଯ୍ୟୟ ସମୟରେ ମାନସିକସ୍ତରରେ ଗଭୀର ଆଘାତ ପାଇଲେଣି।

ଓଡ଼ିଶା ସରକାର ପୂର୍ବରୁ ପରୀକ୍ଷା ବନ୍ଦ ନିଷ୍ପତ୍ତି ନେଇଯାଇଛନ୍ତି। ପରେ ୟୁଜିସି ନିର୍ଦେଶ ଦେବା ପରେ ଏହାର ପ୍ରତିବାଦ କରୁଛି ଓଡ଼ିଶା। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପୁଣିଥରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ଭାରତ ତଥା ଓଡ଼ିଶାରେ କୋଭିଡ୍‌-୧୯ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଆଗକୁ ଆହୁରି ବ୍ୟାପକ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ୟୁଜିସିର ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁଯାୟୀ ୟୁଜି ଓ ପିଜି ଶେଷବର୍ଷ ସେମିଷ୍ଟର ପରୀକ୍ଷା କରାଇବା ସମ୍ଭବ ଓ ସମୀଚିନ ନୁହେଁ। ରାଜ୍ୟର ଦୁଇ ଲକ୍ଷ ୟୁଜି ଓ ପିଜି ଛାତ୍ରଛାତ୍ରୀ ନିମ୍ନ, ମଧ୍ୟବିତ୍ତ ପରିବାରର। ସେମାନଙ୍କ ନିକଟରେ କମ୍ପ୍ୟୁଟର, ଲ୍ୟାପ୍‌ଟପ୍‌, ସ୍ମାର୍ଟଫୋନ୍‌ ନାହିଁ। ଗ୍ରାମାଞ୍ଚଳରେ ରହୁଥିବାରୁ ଉନ୍ନତ ଇଣ୍ଟରନେଟ୍‌ ସୁବିଧା ଅଭାବରୁ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବା ସମ୍ଭବପର ନୁହେଁ। ଏଥିସହ ଅଫ୍‌ଲାଇନ୍‌(କାଗଜ ଓ କଲମ)ରେ କ୍ଲାସ୍‌ରୁମ୍‌ରେ ପରୀକ୍ଷା ଦେବା ଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ସୀମିତ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କର ସାମାଜିକ ଦୂରତ୍ୱ ରକ୍ଷା ନ କରି ପାରିବା, ସାଧାରଣ ପରିବହନ ବ୍ୟବସ୍ଥା ସ୍ୱାଭାବିକ ନ ହେବା, ଭଡ଼ା ଘରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଘର ମାଲିକ ରହିବାକୁ ଅନୁମତି ନଦେବା, ଅଧିକାଂଶ କଲେଜରେ କ୍ୱାରାଣ୍ଟିନ୍‌ ସେଣ୍ଟର, କୋଭିଡ୍‌ କେୟାର ହୋମ୍‌, କୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ କେୟାର ହସ୍ପିଟାଲ୍‌ କରାଯାଇଥିବାରୁ ସେପ୍ଟେମ୍ବର ସୁଦ୍ଧା ଶେଷବର୍ଷ ସେମିଷ୍ଟର ପରୀକ୍ଷା କରାଇବା ସମ୍ଭବପର ହେବ ନାହିଁ। ପରୀକ୍ଷା ବିଳମ୍ବ ହେଲେ ସମ୍ପୂର୍ଣ୍ଣ ଶିକ୍ଷାବର୍ଷ ବାଧାପ୍ରାପ୍ତ ହେବ। ଇଣ୍ଟରମିଡିଏଟ୍‌ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଯଦି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ହୋଇଛି, ତେବେ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହାକୁ ଗ୍ରହଣ କରିବା ଆବଶ୍ୟକ। ଯେଉଁ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ କୋଭିଡ୍‌ ସ୍ଥିତି ସୁଧୁରିଲେ ନଭେମ୍ବର/ଡିସେମ୍ବରରେ ପରୀକ୍ଷା ଦେବାକୁ ଏକ ସୁଯୋଗ ପାଇବେ। ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ଶେଷବର୍ଷ ପରୀକ୍ଷା ଫଳ ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ଘୋଷଣା କରାଯାଇପାରିବ। ଫଳରେ ଶିକ୍ଷାବର୍ଷ ବାଧାପ୍ରାପ୍ତ ହେବ ନାହିଁ ବୋଲି ସେ ପତ୍ରରେ ଦର୍ଶାଇଛନ୍ତି।

ପ୍ରଥମେ ଜୁଲାଇ ୯ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଚିଠି ଲେଖିଥିଲେ। ଏହାର ୨୪ ଘଣ୍ଟା ପରେ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଏହି ମର୍ମରେ କେନ୍ଦ୍ରକୁ ଚିଠି ଲେଖିଥିଲେ। ତା’ ପରେ ବି କେନ୍ଦ୍ର ସରକାର କୌଣସି ଉତ୍ତର ଦେଇ ନାହାନ୍ତି। ଅନ୍ୟପକ୍ଷରେ ୟୁଜିସି କିନ୍ତୁ ନଛୋଡବନ୍ଧା। କର୍ତ୍ତୃପକ୍ଷ ଦୁଇ ଥର ପତ୍ର ଲେଖି ପରୀକ୍ଷା କରିବାକୁ ନିର୍ଦେଶ ଦେଇସାରିଲେଣି। ୟୁଜିସି ଯୁକ୍ତି ବାଢ଼ିଛି ଯେ ଦେଶର ୯୧୮ ବିଶ୍ବବିଦ୍ୟାଳୟ ମଧ୍ୟରୁ ୬୦୩ଟି ବିଶ୍ବବିଦ୍ୟାଳୟ ପରୀକ୍ଷା କରିବା ସପକ୍ଷରେ ଅଛନ୍ତି। ୨୦୯ଟି ବିଶ୍ବବିଦ୍ୟାଳୟ ପରୀକ୍ଷା କରିସାରିଛନ୍ତି। ଆଉ ୩୯୪ଟି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେଣୁ ଅନ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକ ପରୀକ୍ଷା ଦିଗରେ ପଦକ୍ଷେପ ନେବା ଉଚିତ୍।

ପ୍ରଶ୍ନ ଉଠୁଛି, ପିଲାଙ୍କ ଭବିଷ୍ୟତ ପାଇଁ ବାସ୍ତବରେ କିଏ ଠିକ୍ କହୁଛନ୍ତି? ଯଦି କେନ୍ଦ୍ର ସରକାର ଉତ୍ତର ଦେଉନାହାନ୍ତି, ତେବେ ରାଜ୍ୟ ସରକାର ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଟେଲିଫୋନରେ କଥା ହେବା ଲାଗି ପଛଘୁଞ୍ଚା ଦେଉଛନ୍ତି କାହିଁକି?ଓଡ଼ିଶାର ସ୍ବାର୍ଥ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ଚିଠି ଲେଖୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ଚୁପ୍‌ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ସମ୍ବନ୍ଧିତ ଖବର