କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ କମୁଛି

ଉଦ୍‌ବେଗ ପ୍ରକାଶ କଲେ ବିଧାୟକ

ଭୁବନେଶ୍ବର : ଚତୁର୍ଦ୍ଦଶ ଅର୍ଥ କମିସନ୍ ୨୦୧୫-୧୬‌ରୁ ୨୦୧୯-୨୦ ମଧ୍ୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦରେ ମୋଟ୍‌ ୧,୮୪,୦୭୦ କୋଟି ଟଙ୍କା ସୁପାରିସ୍ କରିଥିଲେ। ତାହା ମଧ୍ୟରୁ ୨୦୧୫-୧୬ରୁ ୨୦୧୮-୧୯ ପର୍ଯ୍ୟନ୍ତ ସୁପାରିସ୍ ପରିମାଣ ୧,୩୫,୮୨୦ କୋଟି ଟଙ୍କା ଥିଲା ବେଳେ କେନ୍ଦ୍ର ସରକାର ୧,୧୮,୫୨୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ତେଣୁ ଏହି ସମୟ ମଧ୍ୟରେ ୧୭,୨୯୯ କୋଟି ଟଙ୍କା କମ୍ ମିଳିଛି। ପୁଣି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସୁପାରିସ୍ କରାଯାଇଥିବା ପରିମାଣ ୪୮,୨୫୦ କୋଟି ଟଙ୍କା ଥିଲା ବେଳେ କେନ୍ଦ୍ର ସରକାରଙ୍କ ୨୦୧୯-୨୦ ବଜେଟ୍‌ ଆକଳନରେ ୩୭,୫୬୦ ‌େକାଟି ଟଙ୍କାର ବ୍ୟବସ୍ଥା ରଖାଯାଇଛି। ଏହା ସୁପାରିସ୍ ପରିମାଣ ଠାରୁ ୧୦,୬୯୦ କୋଟି ଟଙ୍କା କମ୍। ସଂଗୃହୀତ ଟିକସର ପରିମାଣ କମ୍ ରହୁଥିବାରୁ ୨୦୧୫-୧୬ରୁ ଅଦ୍ୟାବଧି ଅର୍ଥ କମିସନ୍‌ଙ୍କ ସୁପାରିସ୍ ତୁଳନାରେ କେନ୍ଦ୍ର ସରକାରଙ୍କ ବାର୍ଷିକ ବଜେଟ୍‌ରେ ରାଜ୍ୟମାନଙ୍କ ପାଇଁ ଆବଣ୍ଟନ ଅଟକଳ କମ୍ ରହୁଛି।

ଆଜି ବିଧାନସଭାର ପ୍ରଶ୍ନକାଳରେ ଅଶ୍ବିନୀ କୁମାର ପାତ୍ରଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି ଜଣାଇଛନ୍ତି, ଚତୁର୍ଦ୍ଦଶ ଅର୍ଥ କମିସନ୍ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଂଶ ବାବଦରେ ୩୭୧୮ କୋଟି ଟଙ୍କାର ଅନୁଦାନ ସୁପାରିସ୍ କରିଛନ୍ତି। ତାହା ମଧ୍ୟରୁ ୨୦୧୫-୧୬ରୁ ୨୦୧୮-୧୯ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅଂଶ ୨୯୦୦ କୋଟି ଟଙ୍କା ଥିବା ବେଳେ କେନ୍ଦ୍ର ସରକାର ୨୫୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏ ବାବଦରେ ୩୫୫ କୋଟି ଟଙ୍କା କମ୍ ମିଳିଛି। ସେହିପରି ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ରୀୟ ଅଂଶ ୮୧୮ କୋଟି ଟଙ୍କା ଥିବା ବେଳେ ୫୫୨ କୋଟି ଟଙ୍କା ମିଳିଛି। ଏ ବାବଦରେ ୨୬୬ କୋଟି ଟଙ୍କା କମ୍ ମିଳିଛି।

ମନ୍ତ୍ରୀ ସୂଚନା ଦେଇଛନ୍ତି, ଅର୍ଥ କମିସନ୍‌ଙ୍କ ସୁପାରିସ୍ ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଂଶ ୯୦ ଓ ୧୦ ପ୍ରତିଶତ ହେବ ବୋଲି ଅର୍ଥ କମିସନ୍‌ ସୁପାରିସ୍ କରିଥିଲେ। ମାତ୍ର କେନ୍ଦ୍ର ସରକାର କମିସନ୍‌ଙ୍କ ସୁପାରିସ୍ ଅନୁପାଳନ ସଂକ୍ରାନ୍ତ ବ୍ୟାଖାତ୍ମକ ଜ୍ଞାପକରେ ଦର୍ଶାଇଲେ ଯେ ‌େଦଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ପ୍ରଚଳନ ହେବା ପର୍ଯ୍ୟନ୍ତ ଉପରୋକ୍ତ ଅଂଶ ୭୫:୨୫ ହାରରେ ଚାଲୁ ରହିବ ଏବଂ ଜିଏସ୍‌ଟି ପ୍ରଚଳନ ହେବା ପରେ କେନ୍ଦ୍ର ଓ ରାଜ୍ୟ ଅଂଶର ଅନୁପାତ ୯୦:୧୦ ହେବ। ୨୦୧୭ ଜୁଲାଇରୁ ଜିଏସ୍‌ଟି ପ୍ରଚଳନ ହେବା ପରେ ୨୦୧୮-୧୯ରେ କେନ୍ଦ୍ରରୁ ଅନୁଦାନ ୯୦:୧୦ ହାରରେ ମିଳିଥିଲା। ମାତ୍ର ପରବର୍ତ୍ତୀ କାଳରେ ସେହି ଅର୍ଥକୁ ୭୫:୨୫ ହାରରେ ହିସାବ କରି ରାଜ୍ୟକୁ ଅଧିକ ଅର୍ଥ ଦିଆଯାଇଥିବା ଦର୍ଶାଇ ୨୦୧୯-୨୦ ବର୍ଷର ଧାର୍ଯ୍ୟ ଅନୁଦାନରୁ ଉକ୍ତ ତଥାକଥିତ ଅଧିକ ଅର୍ଥକୁ କାଟି ଦେଇଛନ୍ତି। ଜିଏସ୍‌ଟି ପ୍ରଚଳନ ପରେ ୨୦୧୮-୧୯ରୁ ରାଜ୍ୟର ଅଂଶ ୯୦:୧୦ ହିସାବରେ ବିଚାର କଲେ ରାଜ୍ୟକୁ ୨୬୬ କୋଟି ଟଙ୍କା କମ୍ ମିଳିଛି। ଜିଏସ୍‌ଟିରେ ସ୍ଥିରତା ଆସି ନ ଥିବାରୁ ପୂର୍ବ ପରି ଅନୁଦାନର ଅଂଶ ୭୫:୨୫ ରହିବ। ଓଡ଼ିଶା ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି ଓ ବକେୟା ଅନୁଦାନ ଅର୍ଥ ପ୍ରଦାନ କରିବାକୁ ଚଳିତ ମାସରେ ଅର୍ଥ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ପାତ୍ରଙ୍କ ସମେତ ଅମର ଶତପଥୀ, ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ସୁଧୀରଞ୍ଜନ ସାମଲ, ଭୂପିନ୍ଦର ସିଂହ ଓ ସୁରେଶ ରାଉତରାୟ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। କେନ୍ଦ୍ରୀୟ ଅନୁଦାନ ଅଂଶ କମୁଥିବାରୁ ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।‌ କେନ୍ଦ୍ର ନିକଟରେ ଏ ନେଇ ଦୃଢ଼ ଦାବି ଉପସ୍ଥାପନ କରିବାକୁ ମତପ୍ରକାଶ ପାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ନେତୃ୍ତ୍ବରେ ଏକ ହାଉସ୍‌ କମିଟି ଗଠନ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ସୁରେଶ ରାଉତରାୟ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧିତ ଖବର