କ୍ଷୟକ୍ଷତି ଆକଳନ କ‌େଲ କେନ୍ଦ୍ରୀୟ ଦଳ, ଲଗାତାର ଦ୍ବିତୀୟ ଦିନ ପୁରୀରେ ସ୍ଥିତି ଅନୁଧ୍ୟାନ

କଟକରେ ବି ବୁଲି ପ୍ରଭାବିତଙ୍କ ଦୁଃଖ ଦେଖିଲେ, ଆଜି ଭୁବନେଶ୍ବରରେ ବୁଲି ଦିଲ୍ଲୀ ଫେରିବେ

ଭୁବନେଶ୍ବର/କଟକ/କଣ୍ଟାପଡା/ନିଆଳି/ପୁରୀ/ନିମାପଡ଼ା/ଡେଲାଙ୍ଗ, ୧୩/୫(ଇମିସ): ଫନି ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଦୁଇଟି କେନ୍ଦ୍ରୀୟ ଦଳ ଲଗାତର ଦ୍ବିତୀୟ ଦିନ ପାଇଁ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଛନ୍ତି। ଗୋଟିଏ ଦଳ ଲଗାତର ଦ୍ବିତୀୟ ଦିନ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିଥିଲା ବେଳେ ଆଉ ଗୋଟିଏ ଦଳ କଟକ ଜିଲ୍ଲା ଗସ୍ତରେ ଯାଇଥିଲେ। ଗସ୍ତ ସମୟରେ କେନ୍ଦ୍ରୀୟ ଦଳ ଆଗରେ ବିପନ୍ନମାନେ ନିଜ ଦୁଃଖ କାହାଣୀ ବଖାଣିଥିଲେ। ବୁଧବାର ଦିନ ଦୁଇଟି ଯାକ ଦଳ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳର ଗସ୍ତ କରି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିବେ। ତାହା ପରେ ସେମାନେ ନୂଆଦିଲ୍ଲୀ ଫେରିଯିବେ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ କେନ୍ଦ୍ରୀୟ ଦଳ କଣ୍ଟାପଡା ବ୍ଲକ୍‌ର ବାଇରୋଇ ଗ୍ରାମର ମଲ୍ଲିକ ସାହି ଓ ଭୋଇ ସାହି, ଅଡଶପୁର ପଞ୍ଚାୟତର ସଲେଇ, ବେଦପୁର ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ବାସ୍ତବ ସ୍ଥିତି ପରଖି ଥିଲେ। ଏହାପରେ ନିଆଳି ବ୍ଲକ୍‌ର ଅଁ‌େଳା ପଞ୍ଚାୟତର କପିଳେଶ୍ବର, ମାଧବ ପଞ୍ଚାୟତର ମୁଣ୍ତା ସାହି ଓ ବାଲି ସାହି ଆଦି କ୍ଷତିଗ୍ରସ୍ତ ଅ˚ଚଳ ବୁଲି ଦେଖିବା ସହ ବିପନ୍ନଙ୍କୁ ଭେଟି ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପଚାରିଥିଲେ। ସେମାନଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା, ବାତ୍ୟା ପରବର୍ତ୍ତି ସମସ୍ୟା, ଫସଲ କ୍ଷୟକ୍ଷତି ଓ ଥଇଥାନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ନିଆଳି ଅଞ୍ଚଳ ଗସ୍ତ କରିବା ସମୟରେ ବାତ୍ୟା ପ୍ରଭାବିତ ବିପନ୍ନମାନେ କେନ୍ଦ୍ରୀୟ ଦଳ ଆଗରେ ନିଜ ନିଜର ଆପତ୍ତି ଅଭିଯୋଗ ରଖିଥିଲେ। କେନ୍ଦ୍ରୀୟ ଦଳ ନିଆଳି ବ୍ଲକର ଅଁଳୋରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିବା ବେଳେ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ କପିଳେଶ୍ବରପୁର ଗ୍ରାମରେ ପହଞ୍ଚି ଗାଁ ବୁଲି ଦେଖିବା ସହିତ ବାତ୍ୟା ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ଶହ ଶହ ହେକ୍ଟର ଜମିରେ ଚାଷ ହୋଇଥିବା ମୁଗ, ବିରି ନଷ୍ଟ ହୋଇଯାଇଥିବା ସଂପର୍କରେ ଗ୍ରାମବାସୀମାନେ ଅଭିଯୋଗ କରିବା ସହିତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସହାୟତା ଦାବି କରିଥିଲେ। ସେହିପରି ପାନ ଚାଷୀମାନଙ୍କ କ୍ଷତିଗ୍ରସ୍ତ ପାନ ବରଜ ନଷ୍ଟ ହୋଇଯାଇଥିବା ସଂପର୍କରେ ପାନଚାଷୀମାନେ ଅଭିଯୋଗ କରିବା ସହିତ ନିଆଳିରେ ସରକାରୀ ବାଉଁଶ ଡିପୋ ଖୋଲିବା ସହିତ ସହାୟତା ଦାବି କରିଥିଲେ। କେନ୍ଦ୍ରୀୟ ଟିମର ପରିଦର୍ଶନ ସମୟରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜିବ୍‌ ଚୋପ୍ରା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓାଲ, ଏସ୍‌ପି ରାଧା ବିନୋଦ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀକାନ୍ତ ତରାଇ, ପିଡି ଡିଆାରଡିଏ ସରୋଜକାନ୍ତ ମହାନ୍ତି, ସଦର ଉପଜିଲ୍ଲାପାଳ ସୁକାନ୍ତ କୁମାର ପ୍ରଧାନ, ବାଙ୍କୀ ଉପଜିଲ୍ଲାପାଳ ଅରୁଣ ବିଶ୍ବାଳ, ଆଠଗଡ ଉପଜିଲ୍ଲାପାଳ ଅମୀୟ କୁମାର ସାହୁ, ନିଆଳି ବିଡିଓ ଦାୟିତ୍ବରେ ଥିବା ତହସିଲଦାର ରଂଜନ କୁମାର ଜେନା, କଣ୍ଟାପଡା ବିଡିଓ କେ. ଅଶୋକ କୁମାର, ତହସିଲଦାର ଆର୍ତ୍ତତ୍ରାଣ ମଲ୍ଲିକ୍‌ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦେଶକ ଅଜୟ କୁମାରଙ୍କ ନେତୃତ୍ବରେ ଆଉ ଏକ ଦଳ ଆଜି ଦ୍ବିତୀୟ ଦିନରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳ ପରିଦର୍ଶନ କରିଥିଲେ। ନିମାପଡ଼ା ବ୍ଲକ୍‌ର ବାମନାଳ ପଞ୍ଚାୟତର ହରିଜନ ସାହିରେ କେନ୍ଦ୍ରୀୟ ଦଳ ପହଞ୍ଚି ବାତ୍ୟା ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ସରକାର ଯୋଗାଇ ଦେଇଥିବା ରିଲିଫ୍‌, ପଲିଥିନ୍ ଓ ରନ୍ଧାଖାଦ୍ୟ ଲୋକମାନଙ୍କୁ ମିଳିଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ପ୍ରତିନିଧି ଦଳ ଫେରିବା ପରେ ବାଟରେ ସଲଙ୍ଗ ପଞ୍ଚାୟତର ଆମରଙ୍ଗଠାରେ କିଛି ସମୟ ରହି ଲୋକମାନଙ୍କୁ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ପଚାରିଥିଲେ। ସ୍ଥାନୀୟ ତହସିଲଦାର କମଳଜିତ୍‌ ଦାସ ଏବଂ ବିଡିଓ ଶ୍ରୀଧର ବିଶ୍ବାଳ କେନ୍ଦ୍ରୀୟ ଟିମ୍‌କୁ ବିଭିନ୍ନ ଅଞ୍ଚଳ ବୁଲାଇଥିଲେ। ପରେ କେନ୍ଦ୍ରୀୟ ଦଳ ପୁରୀ ପୌରାଞ୍ଚଳ ଅନ୍ତର୍ଗତ ପେଣ୍ଠକଟା ବସ୍ତି ବୁଲି ମତ୍ସ୍ୟଜୀବୀଙ୍କ ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ। ଭାଙ୍ଗିଥିବା ଡଙ୍ଗା, ଜାଲ ଆଦିର କ୍ଷୟକ୍ଷତି ଆକଳନ କରିବା ସହ ରିଲିଫ୍ ବଣ୍ଟନ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ନୃସିଂହ ଚରଣ ସ୍ବାଇଁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ବାତ୍ୟାରେ ଧ୍ବସ୍ତବିଧ୍ବସ୍ତ ହୋଇଥିବା ଡେଲାଙ୍ଗ ବ୍ଲକ ଜେନାପୁର ପଞ୍ଚାୟତକୁ କେନ୍ଦ୍ରୀୟ ଦଳ ବୁଲି ଦେଖିବା ସହ ଝଡ଼ବର୍ଷାରେ ନଷ୍ଟ ହୋଇଥିବା ଧାନମୁଗ ଏବଂ ଅନ୍ୟାନ୍ୟ ଫସଲ କ୍ଷତି ସମ୍ପର୍କରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରୀୟ ଦଳର ଗସ୍ତ ସମୟରେ ପୁରୀ ଜିଲ୍ଲାର ବରିଷ୍ଠ ପଦାଧିକାରୀ, ଡେଲାଙ୍ଗ ବିଡିଓ କ୍ଷୀରୋଦ ପ୍ରଧାନ, ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜେନାପୁର ସମିତି ସଭ୍ୟ ପ୍ରଭାତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର