ବାତ୍ୟା ‘ୟାସ୍‌’ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍  

ବାତ୍ୟାକ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମର ପ୍ରତିନିଧି ଦଳ

ଭଦ୍ରକ/ଧାମରା: ଭଦ୍ରକ ଜିଲ୍ଲାରେ ବାତ୍ୟା ୟାସ୍‌ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଏଇ ବାସ୍ତବ ଚିତ୍ର ଦେଖିବା ପାଇଁ ଆଜି ଧାମରାଠାରେ ପହଞ୍ଚିଥିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ। ସ୍ବତନ୍ତ୍ର ହେଲିକ୍ୟାପଟର ଯୋଗେ ଏକ ତିନି ଜଣିଆ ପ୍ରତିନିଧି ଦଳ ଧାମରାରେ ପହଞ୍ଚିବା ପରେ ସେଠାରୁ ସେମାନେ ଦୋସିଙ୍ଗା ବାତ୍ୟା ଆଶ୍ରୟସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସାବିତ୍ରୀ ସରାଇ, ପ୍ରାଦ୍ୟୁତନଗର ଅଞ୍ଚଳରେ ବାତ୍ୟାରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଲୋକଙ୍କର ଭଙ୍ଗା ଘର ବୁଲି ଦେଖିଥିଲେ।

ଚନ୍ଦନୀପାଳ, ଧାମରା ନିକଟବର୍ତ୍ତୀ କିଛି ଅଞ୍ଚଳ ବୁଲିବା ପ‌ରେ କାକନାଳୀ ସୁଇସ୍ ଗେଟ୍ ନିକଟରେ ଜଳ ନିଷ୍କାସନ ସଂପର୍କରେ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ। ଜୟଦୁର୍ଗା ନଗର ନିକଟରେ ବାତ୍ୟା ଯୋଗୁଁ ବିଦ୍ୟୁତ୍ ବିଭାଗର ବ୍ୟାପକ କ୍ଷୟକ୍ଷତି ସଂପକରେ ପଚାରି ବୁଝିଥିଲେ। ଜାଗୁଳା ପଞ୍ଚାୟତର ବଳଭଦ୍ରପ୍ରସାଦ, ଅମର ନଗର ଗାଁକୁ ଯାଇ ଲୋକଙ୍କର ସ୍ଥିତି ପରଖିଥିଲେ। ବ୍ୟାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ପ‌ରେ ଧାମରା କମ୍ୟୁନିଟ୍ ସେ‌ଣ୍ଟରରେ ଜିଲ୍ଲା ପ୍ରଶାସନ ସହ ଏକ ବୈଠକ କରିଥିଲେ।

ବୈଠକରେ କେନ୍ଦ୍ରୀୟ ପ୍ରତିନିଧି ଦଳରେ କେନ୍ଦ୍ର କୃଷି ମନ୍ତ୍ର‌ଣାଳୟର ନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବ, ଅର୍ଥ ମନ୍ତ୍ରଣାଳୟର ଜଏଣ୍ଟ ଡାଇରେକ୍ଟର ସୁରଜ କୁମାର ପ୍ରଧାନ, ରାସ୍ତା, ପରିମଳ ଓ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାଶ୍ବତ ମହପାତ୍ର ପ୍ରମୁଖ ଯୋଗଦେଇ ବାତ୍ୟା ୟାସ୍ ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସଂପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ସହ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକା‌ରୀଙ୍କ ସହ ଆଲୋଚନା କରିଥିଲେ।

ସମୀକ୍ଷା ବୈଠକର ଏଇ ଆଲୋଚନା ବେଳେ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ଦାସ ପ୍ରମୁଖ ଯୋଗଦେଇଥିବା ବେଳେ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଏଇ ବୈଠକରେ ବାତ୍ୟାରେ କ୍ଷୟକ୍ଷତିର ଆକଳନ କରାଯାଇଥିବା ବେଳେ ପ୍ରାୟ ୨୬୭ କୋଟି ୨ ଲକ୍ଷ ୮୮ ହଜାର ଟଙ୍କାର ସରକାରୀ ସଂପତ୍ତି ନଷ୍ଟ ହୋଇଥିବା ନେଇ ରିପୋର୍ଟ ଦିଆଯାଇଛି। ସେହିପରି ବାତ୍ୟାରେ ଲୋକଙ୍କର ଘର ଭାଙ୍ଗିଥିବା ବେଳେ ଏହାର ଆକଳନ ତିନି କୋଟି ୨୨ ଲକ୍ଷ ୧୦ ହଜାର ୭ ଶହ ଟଙ୍କା ବୋଲି ଦର୍ଶାଯାଇଛି।

କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ହୋ‌ଇଥିବା ବେଳେ କେନ୍ଦ୍ରୀୟ ଟିମକୁ ଏ ବାବଦରେ ୧ କୋଟି ଏକ ଲକ୍ଷ ୭୦ ହଜାର ୮୮୦ ଟଙ୍କା ର ହିସାବ ଦିଆଯାଇଛି। ମାତ୍ସ୍ୟ ଚାଷୀମାନଙ୍କର ବ୍ୟାପକ କ୍ଷତି ଘଟିଥିବା ବେଳେ ଏଥିରେ ୯୫ ଲକ୍ଷ ୫୯ ହଜାର ୨୨୬ ଟଙ୍କାର କ୍ଷୟକ୍ଷତିର ଆକଳନ କରାଯାଇ କେନ୍ଦ୍ରୀୟ ଟିମକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏଇ ବୈଠକ ପରେ କେନ୍ଦ୍ରୀୟ ଟିମ୍ ବାସୁଦେବପୁର ବ୍ଲକର ବି‌ଦେଇପୁର, ପଦ୍ବପୁରର କିଛି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ତିହିଡି ବ୍ଲକର କିଛି ଅଞ୍ଚଳ ଓ ପରେ ଚାନ୍ଦବାଲିର ବାତ୍ୟାଞ୍ଚଳ ବୁଲି ଦେଖିଥିଲେ। ଆଜି ରାତିରେ ଚାନ୍ଦବାଲିର ଅରଣ୍ୟ ନିବାହସ ଗେଷ୍ଟ ହାଉସରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ସକାଳୁ କେନ୍ଦ୍ରାପଡା ବାତ୍ୟାଞ୍ଚଳ ପରିଦର୍ଶନରେ ଯିବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର