୭ ଦିନ ଭିତରେ ଭଏସ୍ କଲ୍ ସେବା ସ୍ବାଭାବିକ ହେବ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଟେଲିକମ୍ ଓ ବିଦ୍ୟୁତ ବିଭାଗର ପ୍ରତିନିଧି

ଭୁବନେଶ୍ବର : କେନ୍ଦ୍ର ଟେଲିକମ୍ ଓ ବିଦ୍ୟୁତ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଓ ଟେଲିକମ୍ ସେବା ପୁନରୁଦ୍ଧାର ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳରେ ଟେଲିକମ୍, ବିଦ୍ୟୁତ ଓ ବ୍ୟାଙ୍କ ସେବା ପୁନଃ ସଂସ୍ଥାପନା ନିମନ୍ତେ ଏହି ବିଭାଗ ଦ୍ବୟ ରାଜ୍ୟ ସରକାରଙ୍କ ସହ ଉପଯୁକ୍ତ ସମନ୍ବୟ ରଖି କାର୍ଯ୍ୟ କରୁଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଖୁବ୍ ଶୀଘ୍ର ପ୍ରଭାବିତ ଅଞ୍ଚଳରେ ଉପରୋକ୍ତ ସେବା ଯେପରି ସ୍ବାଭାବିକ ଅବସ୍ଥାକୁ ଫେରିଆସିବ, ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଉପକୂଳ ଅଞ୍ଚଳରେ ବିଦ୍ୟୁତ ଓ ଟେଲି ଯୋଗାଯୋଗ ଭିତ୍ତିଭୂମିକୁ ବିପର୍ଯ୍ୟୟ ପ୍ରତିରୋଧ ସମ୍ପନ୍ନ କରିବା ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଆସନ୍ତା ୭ ଦିନ ଭିତରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଭଏସ୍ ସେବା ପୁନଃ ସଂସ୍ଥାପିତ ହେବ ବୋଲି ‌ବିଭାଗୀୟ ଅତିରିକ୍ତ ସଚିବ ସୂଚନା ଦେଇଥିଲେ। ସେହିପରି ଅଟ୍ରି ଠାରୁ ପୁରୀ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ୨୨୦ କେଭି ଲାଇନ୍‌ର ପୁନରୁଦ୍ଧାର କାର୍ଯ୍ୟ ପିଜିସିଆଇଏଲ୍‌ ନେବ ବୋଲି କୁହାଯାଇଥିଲା। ଆସନ୍ତା ମେ’ ୩୧ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ସରକାରୀ ଉଦ୍ୟୋଗର କର୍ମଚାରୀମାନେ ପ୍ରଭାବିତ ଅଞ୍ଚଳରେ ଟ୍ରାନ୍ସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ ଲାଇନ୍‌ ପୁନଃ ସଂସ୍ଥାପନ ନିମନ୍ତେ ସହ‌େ‌ଯାଗ ଜାରି ରଖିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ବ୍ୟାଙ୍କ ସେବା ସ୍ବାଭାବିକ କରିବା ପାଇଁ ଟେଲିକମ୍ ବିଭାଗ ତ୍ବରିତ ପଦକ୍ଷେପ ନେଇଛି ବୋଲି ବୈଠକରୁ ସୂଚନା ମିଳିଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଶକ୍ତି ସଚିବ, ଉନ୍ନୟନ କମିସନର୍, ଟେଲିକମ୍ ବିଭାଗର ଅତିରିକ୍ତ ସଚିବ, ଏନ୍‌ଟିପିସି ଅଧ୍ୟକ୍ଷ ଓ ପିଜିସିଆଇଏଲ୍‌ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର