ଭୁବନେଶ୍ବର: ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ପି.କେ ରାଏଙ୍କ ନେତୃତ୍ବରେ ଏକ ସାତ ଜଣିଆ ଟିମ୍ ୨୪ ତାରିଖରେ ଆସି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି।
ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ବର ଜିଲ୍ଲାରେ କ୍ଷୟକ୍ଷତି ଆକଳନ କଲେ 
ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ 
ଭୁବନେଶ୍ବରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦେଲେ
ଆଜି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କ୍ଷୟକ୍ଷତିର ଭରଣା ପାଇଁ ସହାୟତା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ପ୍ରତି ବର୍ଷ ବାତ୍ୟା, ବନ୍ୟା ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି। ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହେଉଥିଲେ ହେଁ ବିଭିନ୍ନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହେଉଛି। ଏହାର ପୁନଃ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପଡ଼ୁଛି। ତେଣୁ ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି ଆଦି ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହା ସହିତ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମତ ରଖିଥିଲେ। ଏ ଦିଗରେ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସେ ପ୍ରସ୍ତାବ ରଖିଥିଲେ।
ଆଲୋଚନାରେ ଅଂଶଗ୍ରହଣ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରାଯାଇ ପାରିଲେ ଓଡ଼ିଶାର ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହୋଇପାରିବ। ଏହି ଅବସରରେ କେନ୍ଦ୍ରୀୟ ଟିମ୍ର ମୁଖ୍ୟ ଶ୍ରୀ ରାଏ ବାତ୍ୟା ‘ଦାନା’ର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିସନର ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/27/RnZ4rhdjzFJowq48tsJk.jpg)
