ଶିମିଳିପାଳରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍‌, ଆଜି ବୁଲିବ କୋର୍ ଏରିଆ

ବନାଗ୍ନି ପ୍ରଶମିତ: ମୋନା ଶର୍ମା

ବାରିପଦା : ଶିମିଳିପାଳରେ ନିଆଁର ଅନୁଧ୍ୟାନ କରିବା ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍‌। ଟିମ୍‌ର ସଦସ୍ୟ ଥିବା ନ୍ୟାସନାଲ ଟାଇଗର କଞ୍ଜର୍‌ଭେସନ୍‌ ଅଥରିଟି(ଏନ୍‌ଟିସିଏ) ଆଇଜି ଅମିତ ମଲ୍ଲିକ ଆଜି ସକାଳେ ଭୁବନେଶ୍ବରରେ ପହଞ୍ଚିଥିଲେ। ଏହା ପରେ ଟିମ୍‌ର ଅନ୍ୟତମ ସଦସ୍ୟ ତଥା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ସୁବ୍ରତ ମହାପାତ୍ରଙ୍କ ସହ ସେ ଅପରାହ୍ନରେ ଶିମିଳିପାଳ ଗସ୍ତ କରିଥିଲେ। କରଞ୍ଜିଆ, ଠାକୁରମୁଣ୍ଡା, ଅପର୍‌ ବାର୍‌ହାକାମୁଡ଼ା ବନାଞ୍ଚଳ ଗସ୍ତ କରିଛନ୍ତି। ଆସନ୍ତାକାଲି ଶିମିଳିପାଳର କୋର୍‌ ଏରିଆ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଟିମ୍‌ର ଅନ୍ୟ ସଦସ୍ୟ ଆର. ପି. ଚୌଧୁରୀ ଓଡ଼ିଶା ଆସି ନ ଥିବା ଜଣାପଡ଼ିଛି।

ଅପର ପକ୍ଷରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଗତକାଲି ରାତିରେ ଶିମିଳିପାଳରେ ପହଞ୍ଚି ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଆଜି ସେ କୋର୍ ଏରିଆ ସମେତ ଏକାଧିକ ବନାଗ୍ନି ପ୍ରଭାବିତ ସ୍ଥାନ ପରିଦର୍ଶନ କରିଥିଲେ। ତାଙ୍କ ସହ ଜିଲ୍ଲାପାଳଙ୍କ ସମେତ ବାରିପଦା ଡିଏଫ୍‌ଓ ସନ୍ତୋଷ କୁମାର ଯୋଶୀ, ଏସ୍‌ଟିଆର୍‌ ଉପନି‌ର୍ଦ୍ଦେଶକ ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ସେ ପାର୍ଶ୍ବବର୍ତ୍ତୀ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ବନାଗ୍ନି ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ସଚେତନା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ବନ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗସ୍ତ ପରେ ଶ୍ରୀମତୀ ଶର୍ମା କହିଛନ୍ତି ଯେ ଶିମିଳିପାଳରେ ଆଉ ନିଆଁ ନାହିଁ। କୋର୍ ଏରିଆରେ ମଧ୍ୟ ଜଙ୍ଗଲ ନିଆଁ ଲିଭିସାରିଛି। କିଛି ଦିନ ତଳେ ଯେଉଁ ନିଆଁ ଲାଗିଥିଲା, ତାହା କେବଳ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲାଗିଥିଲା।

ତେବେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶିମିଳିପାଳରେ ଆଉ ନିଆଁ ନଥିବା କହିଥିଲେ ମଧ୍ୟ ଏବେ‌ ବି କିଛି ସ୍ଥାନରେ ନିଆଁ ଜଳୁଥିବା ଦାବି କରିଛନ୍ତି ପରିବେଶବିତ୍‌। ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ଏବେ ବି ଡୁକୁରା, ଭଞ୍ଜବସା, ପୋଡ଼ାଡ଼ିହା, ବାର୍ହାକାମୁଡ଼ା ରେଞ୍ଜ୍‌ର କିଛି ସ୍ଥାନରେ ବନାଗ୍ନିର ପ୍ରକୋପ ରହିଛି। ସେହିପରି କୋର୍ ଏରିଆକୁ ନିଆଁ ଆଦୌ ଯାଇନଥିବା ତଥ୍ୟ ସତ ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଗତକାଲି ସନ୍ଧ୍ୟାରେ ମଧ୍ୟ ଦେବକୁଣ୍ଡ ନିକଟସ୍ଥ ଜଙ୍ଗଲରୁ ନିଆଁ ଶିଖା ଉପରକୁ ସ୍ପଷ୍ଟ ଦିଶୁଥିଲା। ତେବେ ବନ ବିଭାଗ ପୂର୍ବରୁ ସ୍ଥାନୀୟ ଅଧିବାସୀଙ୍କ କଥାକୁ କାହିଁକି ବିଶ୍ବାସକୁ ନେଉ ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି। ଯଦି ଏବେ‌ ଶିମିଳିପାଳରେ ନିଆଁ ନାହିଁ, ତାହା ଖୁବ୍‌ ଭଲ କଥା। କିନ୍ତୁ ନିଆଁ ଲାଗିବା ସମୟରେ ଏସ୍‌ଟିଆର୍‌ ଅଧିକାରୀମାନେ କଣ ପାଇଁ ସ୍ଥାନୀୟ ଜନ ପ୍ରତିନିଧି, ଗ୍ରାମବାସୀଙ୍କୁ ସାଥୀରେ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହିତ ନିଆଁ ଲିଭା କାମ ତଦାରଖ କରୁନଥିଲେ, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିମିଳିପାଳ ଅଗ୍ନିକାଣ୍ଡ ପାଇଁ ଦାୟୀ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମାଇତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର