ରାଜ୍ୟର ସମସ୍ତ ଅଙ୍ଗ ପ୍ରତିରୋପଣ ହସ୍ପିଟାଲ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍‌ : ଅଙ୍ଗଦାନ ପାଇଁ ଖୁବ୍‌ଶୀଘ୍ର କିଣା ହେବ ନିଜସ୍ୱ ଆମ୍ବୁଲାନ୍ସ

ସୋଟୋ କାର୍ଯ୍ୟାଳୟରେ କେନ୍ଦ୍ରୀୟ ଅନୁଦାନର ସମୀକ୍ଷା କଲେ
ରାଜ୍ୟରେ ଅଙ୍ଗ ଉତ୍ପାଦନ କେନ୍ଦ୍ରର ସଂଖ୍ୟା ବୃଦ୍ଧି ନେଇ ପ୍ରସ୍ତାବ ଦେବ ଟିମ୍‌

କଟକ : ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ଏକ ଦୁଇଜଣିଆ କେନ୍ଦ୍ରୀୟ ପ୍ରତିନିଧିମଣ୍ଡଳୀ ଓଡ଼ିଶା ଗସ୍ତରେ ଆସି ସୋଟୋ କାର୍ଯ୍ୟାଳୟ ଏବଂ ଅଙ୍ଗ ପ୍ରତିରୋପଣ କରୁଥିବା ସମସ୍ତ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏଥିସହ ଅଙ୍ଗଦାନ ଓ ପ୍ରତିରୋପଣ ବ୍ୟବସ୍ଥା କିପରି ଚାଲିଛି ସେ ସଂପର୍କରେ ସମୀକ୍ଷା ମଧ୍ୟ କରିଛନ୍ତି । ପ୍ରଫେସର ଡାକ୍ତର ଭି.କେ. ତିୱାରୀ, ଡାକ୍ତର କିରନ୍‌ ରଙ୍ଗାରୀଙ୍କ ନେତୃତ୍ବରେ ନ୍ୟାସନାଲ ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକ୍ରମର ତଦାରଖ ପାଇଁ ଆସିଥିବା ଏହି ଟିମ୍‌ ଏସ୍‌ସିବି ପରିସରରେ ଥିବା ସୋଟୋ କାର୍ଯ୍ୟାଳୟରେ ପହଞ୍ଚି ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସୋଟୋ ପାଖରେ ଅଙ୍ଗଦାନ ପାଇଁ କୌଣସି ଆମ୍ବୁଲାନ୍ସ ନଥିବାରୁ ତୁରନ୍ତ ଆମ୍ବୁଲାନ୍ସ କିଣିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏଥିସହ କେତେ ଟଙ୍କାର କେନ୍ଦ୍ରୀୟ ଅନୁଦାନ ସୋଟୋକୁ ଆସିଛି, ତାର ବିନିଯୋଗ, କାର୍ଯ୍ୟଧାରା ସଂପର୍କରେ ଏହି ଟିମ୍‌ ସମୀକ୍ଷା କରିଥିଲେ।

ଏଥିସହ ଭୁବନେଶ୍ବର ଆପୋଲୋ, ଆମ୍ରି ତଥା ଅଙ୍ଗ ପ୍ରତିରୋପଣ କରୁଥିବା ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଥିଲେ ଏହି ଟିମ୍‌। ତେବେ ଗୋଟିଏ ମାସରେ ରାଜ୍ୟରେ ଦୁଇ ଦୁଇଟି କାଡାଭରିକ୍‌ ପ୍ରତିରୋପଣ ପରେ ଅଙ୍ଗଦାନ କ୍ଷେତ୍ରରେ ସୋଟୋର କାର୍ଯ୍ୟଧାରା ଓ କରାଯାଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ଉକ୍ତ ପ୍ରତିନିଧିମଣ୍ଡଳୀ ସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ଆବଶ୍ୟକସ୍ଥଳେ ରାଜ୍ୟରେ ଅଙ୍ଗ ଉତ୍ପାଦନ କେନ୍ଦ୍ରର ସଂଖ୍ୟା ବୃଦ୍ଧି କରାଯିବା ଉପରେ ମଧ୍ୟ ଏହି ଟିମ୍‌ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବେ ବୋଲି ସୂଚନା ଦେଇଛନ୍ତି। ତେବେ ଅଙ୍ଗଦାନ ପ୍ରକ୍ରିୟା ଓ ସଚେତନତା‌ କାର୍ଯ୍ୟକ୍ରମକୁ କିପରି ଅଧିକ ବ୍ୟାପକ କରାଯିବ ସେ ସଂପର୍କରେ ଉକ୍ତ ଟିମ୍‌ ଗୁରୁତ୍ବ ଦେଇଥିଲେ। ତେବେ ବିଭିନ୍ନ ଘରୋଇ ହସ୍ପିଟାଲ ପରିଦର୍ଶନ ସମୟରେ ସେଠାରେ ଅଙ୍ଗଦାନ ସଂପର୍କିତ ସଚେତନତା ପୋଷ୍ଟର ଲଗାଯାଇ ନଥିବାରୁ ଏ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଉକ୍ତ କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର