କେନ୍ଦ୍ରୀୟ ଟିମ୍‌ର ଚାଉଳ ଯାଞ୍ଚ ରିପୋର୍ଟ ଦାଖଲ: ଅଖାଦ୍ୟ ଚାଉଳ ଖାଉଛି ଓଡ଼ିଶା

ଗୁଣାତ୍ମକମାନର ନୁହେଁ ୯୦% ନମୁନା, ୩୯% ନମୁନା ଖାଇବା ଅନୁପଯୋଗୀ, ୬୦ରୁ ଅଧିକ ମିଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

ଭୁବନେଶ୍ବର: ସମ୍ବଲପୁର ଏବଂ ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ୯ଟି ଜିଲ୍ଲାରେ କେନ୍ଦ୍ରୀୟ ଟିମ୍‌ ପକ୍ଷରୁ କରାଯାଇଥିବା ଚାଉଳ ଯାଞ୍ଚ ରିପୋର୍ଟ ଆସିଛି। ସଂଗୃହୀତ ୧୧୨ଟି ଚାଉଳ ନମୁନା ମଧ୍ୟରୁ ୧୦୨ଟି ନମୁନା କେନ୍ଦ୍ର ସରକାରଙ୍କ ନିର୍ଧାରିତ ଗୁଣାତ୍ମକମାନର ପରୀକ୍ଷାରେ ଫେଲ୍‌ ମାରିଛି। ଏଥିରୁ ୩୯ଟି ନମୁନା ଖାଇବା ପାଇଁ ଅନୁପଯୋଗୀ। ୬୩% ନମୁନା ଖାଇବା ଯୋଗ୍ୟ ହେଲେ ମଧ୍ୟ ଏହା ନିମ୍ନମାନର। ଏଥିପାଇଁ ଦାୟୀ ୬୦ରୁ ଅଧିକ ମିଲର୍‌, ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ଟିମ୍‌ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ ସୁପାରିସ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏସଂକ୍ରାନ୍ତରେ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁଯାୟୀ, ଫେବ୍ରୁଆରିରେ ଖାଦ୍ୟ ଏବଂ ସାଧାରଣ ବିତରଣ ବିଭାଗ ସହକାରୀ ନିର୍ଦେଶକ ପ୍ରୀତି ଶୁକ୍ଳାଙ୍କ ନେତୃତ୍ବରେ ଗଠିତ ଟିମ୍‌ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କଳାହାଣ୍ଡି ଜିଲ୍ଲାର ଚାଉଳ ଯାଞ୍ଚ କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପରିଚାଳିତ ଚାଉଳ ଗୋଦାମର ଚାଉଳ, ରେକର୍ଡ ସହିତ ଗୋଦାମ ଯାଞ୍ଚ କରାଯାଇଥିଲା। ସଂଗୃହୀତ ନମୁନା ଦିଲ୍ଲୀସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିଲା। ଦୁଇ ମାସ ପରେ ପରୀକ୍ଷାଗାର ରିପୋର୍ଟ ଦେଇଛି। କେନ୍ଦ୍ର ସରକାରଙ୍କ ଖାଦ୍ୟ ନୀତି ଅନୁଯାୟୀ, ରାଜ୍ୟ ସରକାରଙ୍କ ଏଜେଣ୍ଟ ଭାବରେ ପେକ୍ସ ଚାଷୀଙ୍କ ଠାରୁ ଧାନ କ୍ରୟ କରେ ଏବଂ ଚାଉଳ ପାଇଁ ମିଲର୍‌ଙ୍କୁ ଦିଏ। ମିଲର ସେହି ଧାନକୁ ଚାଉଳ କରି ଯୋଗାଣ ବିଭାଗକୁ ଦେଇଥାଏ। ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ସାଧାରଣ ବିତରଣ ବ୍ୟବସ୍ଥାରେ ସେହି ଚାଉଳ ରାସନକାର୍ଡଧାରୀ, ଏମଡିଏମରେ ସ୍କୁଲ ବିଦ୍ୟାର୍ଥୀ, ଆଇସିଡିଏସରେ ଶିଶୁମାନଙ୍କୁ ଦିଆଯାଏ। ଲୋକଙ୍କ ପାଖକୁ ନିମ୍ନମାନର ଚାଉଳ ଯେମିତି ନ ପହଞ୍ଚିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଉଳର ଗୁଣାତ୍ମକମାନ ନେଇ ମାନଦଣ୍ଡ ନିର୍ଧାରଣ କରାଯାଇଛି। ଗୁଣାତ୍ମକମାନର ଚାଉଳ ପ୍ରସ୍ତୁତ ପାଇଁ ଯୋଗାଣ ବିଭାଗକୁ ଲକ୍ଷାଧିକ ଟଙ୍କା ଦେଇଥାଏ।

ମାତ୍ର ଟ୍ୟାଗ୍‌ ହୋଇଥିବା ମିଲର୍‌ମାନେ ବ୍ୟକ୍ତିଗତ ଲାଭ ପାଇଁ ନିମ୍ନମାନର ଚାଉଳ ଯୋଗାଣ ବିଭାଗକୁ ଦେଇଥିବା ଏହି ଯାଞ୍ଚ ରିପୋର୍ଟରେ ସ୍ପଷ୍ଟ ହୋଇଛି। ଏଥିପାଇଁ ଜିଲ୍ଲାର ଯୋଗାଣ ଅଧିକାରୀମାନେ ସେମାନଙ୍କୁ ସହାୟତା କରିଛନ୍ତି। ବର୍ତ୍ତମାନ ନିୟମ ଅନୁଯାୟୀ, ମିଲର୍‌ମାନେ ଯେତିକି ନିମ୍ନମାନର ଚାଉଳ ଦେଇଛନ୍ତି ତା’ ବଦଳରେ ସେତିକି ପରିମାଣର ଗୁଣାତ୍ମକମାନର ଚାଉଳ ପ୍ରଦାନ କରିବେ। ନଚେତ ସେମାନଙ୍କୁ କଳା ତାଲିକାଭୁକ୍ତ କରି ଦିଆଯିବ। ଗତବର୍ଷ ଟିମ୍‌ ଯାଜପୁର, କେନ୍ଦ୍ରାପଡ଼ା, କଟକ ସମେତ ବିଭିନ୍ନ ଅଞ୍ଚଳ ବୁଲି ଚାଉଳର ଗୁଣାତ୍ମକମାନ ଦେଖିଥିଲେ। ଏହି ଅବସରରେ ନିମ୍ନମାନର ଚାଉଳ ବିତରଣ ଲୋକଲୋଚନକୁ ଆସିଥିଲା। ଅନେକ ତଳିଆ କର୍ମଚାରୀ ନିଲମ୍ବିତ ହୋଇଥିଲେ। କିନ୍ତୁ କୌଣସି ସିଏସଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଚଳିତବର୍ଷ ରାଜ୍ୟ ସରକାର କ’ଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର