ସଚିବାଳୟରେ ମେଗା ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ମେଗା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରକଳ୍ପ ଅନୁଧ୍ୟାନ ଗ୍ରୁପ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ୪୩ ହଜାର କୋଟି ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ୧୫ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଏସ. ଡି. ଶର୍ମା କହିଛନ୍ତି, ଏସବୁ ପ୍ରକଳ୍ପର ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଜମି ଅଧିଗ୍ରହଣ ଓ ଥଇଥାନ କାର୍ଯ୍ୟ ତ୍ୱରାନ୍ଵିତ ହୋଇଛି। ରାଜ୍ୟରେ ଭିତ୍ତିଭୂମିର ବିକାଶ ଓ ନିଯୁକ୍ତି ସୃଷ୍ଟିରେ ଏହା ସହାୟକ ହେବ।

ସମୀକ୍ଷା ପ୍ରକଳ୍ପ ମଧ୍ୟରେ ୩୫୫୦ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଖୋର୍ଧା-ବଲାଙ୍ଗୀର ରେଳପଥ, ୧୧୧୧ କୋଟି ଟଙ୍କାର ସମ୍ବଲପୁର-ବାମୁର ଦୋହରୀକରଣ ପ୍ରକଳ୍ପ, ୧୦୦୦ କୋଟି ଟଙ୍କା ବ୍ୟୟରେ ଚାଲିଥିବା ହରିଦାସପୁର-ପାରାଦୀପ ପ୍ରକଳ୍ପ, ୮୧୧ କୋଟି ଟଙ୍କାର ତାଳଚେର-ବିମଳାଗଡ଼ ପ୍ରକଳ୍ପ, ୬୩୮୬ କୋଟି ଟଙ୍କାର ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ରହିଥିଲା। ସେହିଭଳି ଜାତୀୟ ରାଜପଥ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଚଣ୍ଡିଖୋଲ-ଡୁବୁରି-ତାଳଚେର ପ୍ରକଳ୍ପ, ବିଞ୍ଜାବାହାଲ-ତେଲେଇବଣି ପ୍ରକଳ୍ପ, ସିଙ୍ଗାରା-ବିଞ୍ଜାବାହଲ ପ୍ରକଳ୍ପ, ଅନୁଗୁଳ-ସମ୍ବଲପୁର ଟୋଲ ରୋଡ ପ୍ରକଳ୍ପ, ପାଣିକୋଇଲି-ରିମୁଳି ପ୍ରକଳ୍ପ ରହିଥିଲା। ଏତଦ୍‌ବ୍ୟତୀତ ରେଙ୍ଗାଳି ଜଳସେଚନ ପ୍ରକଳ୍ପ, ଓପିଟିସିଏଲ୍‌ର ଝାରସୁଗୁଡ଼ାସ୍ଥିତ ୭୬୫ କେଭି ଲାଇନ ପ୍ରକଳ୍ପ, ଟେକ୍ନିକାଲ ଆମୋନିୟମ ନାଇଟ୍ରେଟ ପ୍ରକଳ୍ପ, ଦର୍ଲିପାଲି ଏସ୍‌ଟିପିପି ଆଦି ପ୍ରକଳ୍ପର ସମୀକ୍ଷା ମଧ୍ୟ କରାଯାଇଥିଲା। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ କେତେକ ପ୍ରକଳ୍ପର ସମୀକ୍ଷା ମଧ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର