ମୁଣ୍ଡ ପୂରାଇଲା କେନ୍ଦ୍ର : ୧୨ରେ ଆସିବ କେନ୍ଦ୍ରୀୟ ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାରେ ମରୁଡ଼ି ଓ ରୋଗ ପୋକ ଆକ୍ରମଣ ପ୍ରସଙ୍ଗ ନୂଆଦିଲ୍ଲୀରେ ଉଠିଛି। ପୋକ ଜନିତ ସମସ୍ୟାକୁ ନେଇ ରାଜ୍ୟରେ ଘଣ୍ଟା ଚକଟା ଚାଲିଥିବା ବେଳେ ଏଥିରେ ମୁଣ୍ଡ ପୂରାଇଛନ୍ତି କେନ୍ଦ୍ର ସରକାର। ଏହି ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ଦୋଷ ଲଦିବା ସହିତ ପରିସ୍ଥିତିର ଅନୁଧ୍ୟାନ ଲାଗି ଟିମ୍‌ ପଠାଇବ। ଆଜି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସମୀକ୍ଷା ବୈଠକରେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସିଆର୍‌ଆର୍‌ଆଇ ଓ କେନ୍ଦ୍ର କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୪୫ ମିନିଟ୍‌ ଧରି ହୋଇଥିବା ଏହି ବୈଠକରେ ସମସ୍ୟାର କାରଣ ନେଇ ତନାଘନା ହେଲା। ବୈଠକ ପରେ ଚକଡ଼ା ପୋକରେ ଫସଲହାନୀ ନେଇ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଥିଲେ କୃଷି ମନ୍ତ୍ରୀ ଶ୍ରୀ ସିଂହ। ସେ କହିଥିଲେ, ରୋଗ ପୋକ ନେଇ ରାଜ୍ୟକୁ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର(ସିଆର୍‌ଆର୍‌ଆଇ), କଟକ ଦ୍ୱାରା ଯେଉଁ ପରାମର୍ଶବଳୀ ଜାରି କରାଯାଇଥିଲା, ସେହି ଅନୁଯାୟୀ ପଦକ୍ଷେପ ନିଆଯାଇ ନ ଥିଲା। ଗତ ଅକ୍ଟୋବର ୪ ଓ ୫ ତାରିଖରେ ସିଆର୍‌ଆର୍‌ଆଇ ପକ୍ଷରୁ ଚକଡ଼ା ପୋକ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଧାରିତ କରାଯାଇଥିବା କୀଟନାଶକ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ସରକାର ତାହାକୁ ପାଳନ କରିବାକୁ ବିଫଳ ହୋଇଥିଲେ। ଯଦି ସରକାର ପାଳନ କରିଥା’ନ୍ତେ, ଏପରି ସ୍ଥିତି ଉପୁଜି ନ ଥା’ନ୍ତା। ତେବେ ଏହି ଘଟଣାରେ କେନ୍ଦ୍ର ଦ୍ୱାରା ରାଜ୍ୟକୁ ସମସ୍ତ ସହଯୋଗ କରାଯିବ ବୋଲି କୃଷି ମନ୍ତ୍ରୀ କହିଥିଲେ।

ପରିସ୍ଥିତି ଅନୁଧ୍ୟାନ ଲାଗି କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀଙ୍କ ନେତୃତ୍ୱରେ କୃଷି ବୈଜ୍ଞାନିକମାନଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତିନିଧି ଦଳ ବରଗଡ଼ ସମେତ ଅନ୍ୟ ପ୍ରଭାବିତ ଅଞ୍ଚଳ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ। ରାଜ୍ୟ ସରକାରଙ୍କ ସହ ମଧ୍ୟ ପ୍ରତିନିଧି ଦଳ ଆଲୋଚନା କରିବେ।

ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ କହିଲେ, ସମୀକ୍ଷା ବୈଠକରୁ ମିିଳିଥିବା ତଥ୍ୟରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାର ଚାଷୀମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ନିଜ ମୁଣ୍ଡକୁ ଦାୟିତ୍ୱ ନ ନେଇ କେବଳ ପ୍ୟାକେଜ୍‌ ଘୋଷଣା ମୋହରେ ରହିଛନ୍ତି। କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଷୀମାନଙ୍କୁ ବିହନ ଓ କୀଟନାଶକ ବାବଦରେ ଓଡ଼ିଶା ସରକାରଙ୍କୁ ୫୩.୭୮ କୋଟି ଟଙ୍କା ଉପଲବ୍ଧ ଥିଲା ବେଳେ ରାଜ୍ୟ ସରକାର ମାତ୍ର ୧.୯୮ କୋଟି ଟଙ୍କା ସେଥିରୁ ଖର୍ଚ୍ଚ କରିଥିଲେ। ରୋଗପୋକ ଆକ୍ରମଣ ପୂର୍ବରୁ ଏହାର ଆଶଙ୍କା ଥିବା ଓ ଏହାକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ନେବାକୁ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। କେନ୍ଦ୍ରୀୟ ଦଳ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିଥିଲେ। ଏହି ଯୁଗ୍ମ ନୀରିକ୍ଷଣ ସମୟରେ ପ୍ରଭାବିତ ଅଞ୍ଚଳରେ କୀଟନାଶକ ନ ପଡ଼ିବା ପରି ତଥ୍ୟ ସାମ୍ନାକୁ ଆସିଥିଲା ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର