ଭଦ୍ରକ/ଧାମରା/ବାଲେଶ୍ୱର : ବାତ୍ୟା ‘ୟାସ୍’ କ୍ଷୟକ୍ଷତି ଆକଳନ ପାଇଁ ସୋମବାର ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର କୃଷି ମନ୍ତ୍ରାଳୟର ନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ବରେ ଅର୍ଥ ମନ୍ତ୍ରାଳୟର ସହନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ, ରାସ୍ତା ଓ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାଶ୍ବତ ମହାପାତ୍ର ଭଦ୍ରକ ଗସ୍ତରେ ଆସିଥିବାବେଳେ ଅନ୍ୟ ଏକ ଟିମ୍ରେ ସ୍ବରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏସ୍ ସିଂହ ବର୍ଣ୍ଣୱାଲଙ୍କ ନେତୃତ୍ବରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ କୈଳାସ କୁମାର, ଶକ୍ତି ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଶିଶିର ପ୍ରଧାନ ଓ ମତ୍ସ୍ୟସମ୍ପଦ ବିଭାଗର ଟେକ୍ନିକାଲ ଅଧିକାରୀ ଦିଗାମ୍ବର ସ୍ବାଇଁ ବାଲେଶ୍ବର ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।
ଦିନ ୧୨.୪୫ରେ ଏକ ସ୍ବତନ୍ତ୍ର ବିମାନ ଯୋଗେ କେନ୍ଦ୍ରୀୟ ଟିମ୍ ଧାମରାରେ ପହଞ୍ଚିବା ପରେ ବାତ୍ୟା ପ୍ରଭାବିତ ଦୋସିଙ୍ଗା ପଞ୍ଚାୟତର ସାବିତ୍ରୀସରାଇ, ପ୍ରଦ୍ୟୁତନଗର, ଜାଗୁଳା ପଞ୍ଚାୟତର ଜୟଦୁର୍ଗାପାଟଣା, ବଳଭଦ୍ରପ୍ରସାଦ, ଅମରନଗର, ଜୟଦୁର୍ଗାନଗର, ଚନ୍ଦନୀପାଳ ଆଦି ବୁଲି ଦେଖିଥିଲେ। ଏହି ସବୁ ଅଞ୍ଚଳରେ ଭାଙ୍ଗି ଯାଇଥିବା ଘର, ଉପୁଡ଼ି ପଡ଼ିଥିବା ବିଦ୍ୟୁତ ଖୁଣ୍ଟ, ଧୋଇ ଯାଇଥିବା ରାସ୍ତା ଅବସ୍ଥା ଅନୁଧ୍ୟାନ କରିଥିଲେ। ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲକ୍ଷ ଲକ୍ଷ ଘର ଆସୁଥିବା ବେଳେ ଧାମରା ଅଞ୍ଚଳରେ ଏତେସଂଖ୍ୟାରେ ମାଟି ଓ ଚାଳ ଛପର ଘର ଦେଖି ପ୍ରତିନିଧି ଦଳ ବିସ୍ମିତ ହୋଇଥିଲେ। ପରେ ଧାମରା କମ୍ୟୁନିଟି ସେଣ୍ଟରଠାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ଟିମ୍। ବାତ୍ୟା ‘ୟାସ୍’ରେ ୨୬୭ କୋଟି ୨ ଲକ୍ଷ ୮୮ ହଜାର ଟଙ୍କାର ସରକାରୀ ସଂପତ୍ତି ନଷ୍ଟ ହୋଇଥିବା ବେଳେ ଘରଭଙ୍ଗା ବାବାଦରେ ୩ କୋଟି ୨୨ ଲକ୍ଷ ୧୦ ହଜାର ୭ ଶହ, କୃଷି କ୍ଷୟକ୍ଷତି ୧ କୋଟି ଏକ ଲକ୍ଷ ୭୦ ହଜାର ୮୮୦ ଓ ମତ୍ସ୍ୟଚାଷ ବାବଦରେ ୯୫ ଲକ୍ଷ ୫୯ ହଜାର ୨୨୬ ଟଙ୍କା କ୍ଷତି ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ଟିମ୍କୁ ରିପୋର୍ଟ ଦିଆଯାଇଥିଲା। ସମୀକ୍ଷା ବୈଠକରେ ଭଦ୍ରକ ଜିଲ୍ଲାପାଳ ଡ.ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ଦାସ, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ବିଡିଓ ଜ୍ୟୋତି ବିକାଶ ଦାସ, ଦାଶରଥୀ ଦାସଙ୍କ ସହିତ ଆର୍ଡି, ଡ୍ରେନେଜ୍, ଜଳସମ୍ପଦ ଓ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ କେନ୍ଦ୍ରୀୟ ଟିମ୍ ବାସୁଦେବପୁର ବ୍ଲକର ବିଦେଇପୁର, ପଦ୍ମପୁର, ତିହିଡି ଓ ଚାନ୍ଦବାଲି ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ଆଜି ରାତିରେ ଚାନ୍ଦବାଲି ଅରଣ୍ୟ ନିବାସ ଗେଷ୍ଟ ହାଉସରେ ରାତ୍ରିଯାପନ ପରେ କେନ୍ଦ୍ରୀୟ ଟିମ୍ ଆସନ୍ତାକାଲି କେନ୍ଦ୍ରାପଡା ବାତ୍ୟାଞ୍ଚଳ ପରିଦର୍ଶନରେ ଯିବେ ବୋଲି ଜଣାପଡ଼ିଛି।
ସେହିପରି ସୋମବାର ପୂର୍ବାହ୍ନ ସାଢ଼େ ୧୦ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏସ୍ ସିଂହ ବର୍ଣ୍ଣୱାଲଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ହେଲିକପ୍ଟରରେ ଆସି ବାଲେଶ୍ବର ରିଜର୍ଭ ପୁଲିସ ପଡ଼ିଆରେ ଓହ୍ଲାଇବା ପରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ବାତ୍ୟାଞ୍ଚଳ ପରିଦର୍ଶନରେ ବାହାରି ଯାଇଥିଲେ। ବାଲେଶ୍ବର ସଦର ବ୍ଲକର କୁରାଢ଼ିହା, ଚକସାର୍ଥା ଅଞ୍ଚଳରେ ଭାଙ୍ଗିଯାଇଥିବା ଲୁଣିବନ୍ଧ ଓ ତାର ପ୍ରଭାବରେ ନଷ୍ଟ ହୋଇଥିବା ଚାଷଜମି, ବିଦ୍ୟୁତ୍ ଭିତ୍ତିଭୂମି, ମାଛ ପୋଖରୀ, ଚିଙ୍ଗୁଡ଼ିଘେରି, ରାସ୍ତାଘାଟ ଆଦି ବୁଲି ଦେଖିଥିଲେ। ସେଠାରୁ ଏହି ଟିମ୍ ଚାନ୍ଦିପୁର, ବଳରାମଗଡ଼ି, ବାହାନଗା ବ୍ଲକର ପଞ୍ଚୁବିଶା ଜେଟି ଓ ସୋର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ନଷ୍ଟ ହୋଇଥିବା ରାସ୍ତା ଓ ଚାଷଜମିର ସ୍ଥିତି ପରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/balasore.jpg)