ଭୁବନେଶ୍ବର/ପୁରୀ/ଖୋର୍ଦ୍ଧା : ଫନି ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଦଳ ଆଜି ଠାରୁ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି। ଆଜି ଦୁଇଟି ଦଳ ପୁରୀ ଓ ଖୋର୍ଦ୍ଧା ଯାଇ ସ୍ଥିତି ପରଖିଥିଲେ। ଗସ୍ତ ସମୟରେ କେନ୍ଦ୍ରୀୟ ଦଳ ଆଗରେ ବିପନ୍ନମାନେ ଯେଉଁ ଆପତ୍ତି ଅଭିଯୋଗ ରଖିଥିଲେ ସେସବୁର ତ୍ବରିତ କାର୍ଯ୍ୟକାରିତା ଉପରେ ପ୍ରତିଶ୍ରୁତି ଦେଇଥିଲେ। ମଙ୍ଗଳବାର ଦିନ ଗୋଟିଏ ଦଳ ପୁଣି ପୁରୀ ଜିଲ୍ଲାରେ ସ୍ଥିତି ପରଖିବା ସହ ଆଉ ଗୋଟିଏ ଦଳ କଟକ ଜିଲ୍ଲା ଗସ୍ତରେ ଯିବେ।

Advertisment

publive-image

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଟିମ୍ ଲିଡ଼ର ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ବିବେକ ଗୋଏଲ, କେରଳ କୋଚିସ୍ଥିତ ନାରିକେଳ ଉନ୍ନୟନ ବୋର୍ଡର ମୁଖ୍ୟ ଅଧିକାରୀ ସରଦିନ୍ଦୁ ଦାସ, ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ରାକେଶ କୁମାର ସାମି ଓ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁରଜ କୁମାର ପ୍ରଧାନ ଆଜି ପୂର୍ବାହ୍ନରେ କୃଷ୍ଣପ୍ରସାଦ ବ୍ଲକର ସାତପଡ଼ା ଅଞ୍ଚଳ ପରିଦର୍ଶନ କରିଥିଲେ। ସେମାନେ ଅରଖକୁଦା ପଞ୍ଚାୟତ ଓ ଗୋପୀନାଥପୁର ପଞ୍ଚାୟତର ମିର୍ଜାପୁର ଗାଁ ବୁଲି ଦେଖିବା ସହ ବାତ୍ୟା ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ପରେ ବ୍ରହ୍ମଗିରି ବ୍ଲକ ଭୁବନପୁର ପଞ୍ଚାୟତର ହସିନିପୁର ଗାଁ ଓ ପାଖ ପଞ୍ଚାୟତ ସ୍ଥିତି ଦେଖିଥିଲେ। ଆଲୋଚନା ଅବସରରେ ଉପରୋକ୍ତ ଅଞ୍ଚଳର ବିପନ୍ନମାନେ ଅଧିକ ବାତ୍ୟା ଆଶ୍ରୟସ୍ଥଳ ଖୋଲିବାକୁ ଦାବି କରିଥିଲେ। ବିପନ୍ନ ମତ୍ସ୍ୟଜୀବୀମାନେ କ୍ଷତିଗ୍ରସ୍ତ ଡଙ୍ଗା ବାବଦକୁ ସହାୟତା ଦାବି କରିଥିଲେ। ଅପରାହ୍ଣରେ କେନ୍ଦ୍ରୀୟ ଦଳ ଜିଲ୍ଲା ପ୍ରଶାସନ ସହ ବାତ୍ୟା କ୍ଷୟକ୍ଷତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ସେମାନେ ପୁରୀ ସହରର ବଳିଆପଣ୍ଡା ବସ୍ତି ସହ ପୌରାଞ୍ଚଳର ବିଭିନ୍ନ ଅଞ୍ଚଳ ବୁଲିବା ସହ ରିଲିଫ୍ ବଣ୍ଟନ ସଂପର୍କରେ ପଚାରି ବୁଝିଥିଲେ। ଅପରାହ୍ନ ସା‌ଢ଼େ ୩ଟାରେ କଣାସ ବ୍ଲକ ଗଡ଼ିଶାଗୋଦା, ଜାମିଲିଗୁଡ଼ା ଅଞ୍ଚଳ ବୁଲି ବିପନ୍ନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଆଲୋଚନା ବେଳେ ବିପନ୍ନମାନେ ଅଧିକ ପକ୍କା ଘର ଯୋଗାଇ ଦେବାକୁ ମତ ଦେବା ସହ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି ରଖିଥିଲେ। କଣାସ ପରେ ଡେଲାଙ୍ଗ ବ୍ଲକର ଜେନାପୁର ପଞ୍ଚାୟତ ସତପଡ଼ା ଗାଁ ବୁଲି ଦେଖିଥିଲେ କେନ୍ଦ୍ରୀୟ ଦଳ। ଡେଲାଙ୍ଗରେ ବହୁ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବାରୁ ଏସବୁକୁ ପକ୍କା କରିବାକୁ ଗାଁ ଲୋକେ ଅନୁରୋଧ କରିଥିଲେ। ଏହି ଅବସରରେ ବିପନ୍ନମାନେ ଜିଲ୍ଲା ପ୍ରଶାସନର ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଥିଲେ। କେନ୍ଦ୍ରୀୟ ଦଳ ସହ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସାମିଲ ହୋଇଥିଲେ।

କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଅଜୟ କୁମାରଙ୍କ ନେତୃତ୍ବରେ ୬ ଜଣିଆ କେନ୍ଦ୍ରୀୟ ଦଳ ଆଜି ଅପରାହ୍‌ଣରେ ଜଟଣୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ। ସେମାନେ ଜଟଣୀ ପୌରପରିଷଦ, ହରିପୁର ପଞ୍ଚାୟତର ଗୋଠ ବଣିଆ ଆଦିବାସୀ ସାହି, ଅରଗୁଳ ଆଦିବାସୀ ସାହି ପରିଦର୍ଶନ କରିବା ପରେ ବେଣାପଞ୍ଜରୀ ପଞ୍ଚାୟତର ତିରିମଲ ଭୋଇସାହି, ରାଇପୁର ପାଟଣା ଓ ତରାବୋଇ ବୁଲିଥିଲେ। । ଖୋର୍ଦ୍ଧା ବ୍ଲକର ବାଜପୁର, ନନ୍ଦପୁର ଓ ଖୋର୍ଦ୍ଧା ପୌର ପରିଷଦ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ରାତି ହୋଇଯିବାରୁ ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ଭୁବନେଶ୍ବର ଫେରି ଯାଇଥିଲେ। ଏହି ଟିମ୍‌ରେ ମହାନଦୀ ଓ ପୂର୍ବାଞ୍ଚଳ ନଦୀ ସମୂହର ସୁପରିନ୍‌ଟେଣ୍ଡେଣ୍ଟ ଅମରିଶ ପାଲ ସିଂହ, ବିହାରର କୃଷି, ସମବାୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡ. ବୀରେନ୍ଦ୍ର ସିଂହ, ସଡ଼କ ଓ ପରିବହନ ମନ୍ତ୍ରଣାଳୟର ଭୁବନେଶ୍ବର ଆଞ୍ଚଳିକ ଅଧିକାରୀ ରାକେଶ କୁମାର, ଗ୍ରାମ୍ୟ ଉନ୍ନୟନ ବିଭାଗ ନୂଆଦିଲ୍ଲୀର ଉପ ସଚିବ ଏସ୍‌ଏସ୍‌ ମୋଦୀ, ନୂଆଦିଲ୍ଲୀ ମତ୍ସ୍ୟ ବିଭାଗର ସହକାରୀ କମିସନର ଏସ୍‌ କେ ରଥ ପ୍ରମୁଖ ଯୋଗ ଦେଇଥିଲେ। ଗସ୍ତ ସମ୍ପର୍କରେ ଟିମ୍‌ର ପ୍ରତିକ୍ରିୟା ଲୋଡ଼ାଯିବାରୁ ଶ୍ରୀ ଅଜୟ କୁମାର କହିଥିଲେ ଯେ ବାତ୍ୟାରେ ଅନେକ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କ ସହ ଓ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛୁ। କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବୁ।