ଗୁରୁପ୍ରିୟା ସେତୁର ଗୁଣବତ୍ତା ଯାଞ୍ଚ, ଅନୁଧ୍ୟାନ କଲେ ୭ ଜଣିଆ କେନ୍ଦ୍ରୀୟ ଟିମ୍‌

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ ପୂର୍ବରୁ ଏହାର ମାନ ନିର୍ଧାରଣ କାର୍ଯ୍ୟ ଆରମ୍ଭ ହୋଇଛି। ୭ ଜଣିଆ କେନ୍ଦ୍ରୀୟ ଦଳ ଆଜି ନିର୍ମାଣସ୍ଥଳରେ ପହଞ୍ଚି ଟିକିନିକି ବିବରଣୀ ସଂଗ୍ରହ କରିଛନ୍ତି। ଏହାର ରିପୋର୍ଟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ଘାଟନ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି ଜଣାପଡ଼ିଛି।

ଉଦ୍‌ଘାଟନ ପୂର୍ବରୁ ସେତୁର ଗୁଣବତ୍ତା ଯାଞ୍ଚ କରିବା ପାଇଁ ରାଜ୍ୟ ପୂର୍ତ୍ତ ବିଭାଗ ନୂଆଦିଲ୍ଲୀସ୍ଥିତ ସିଆର୍‌ଆର୍‌ଆଇ (କେନ୍ଦ୍ରୀୟ ରାସ୍ତା ଗବେଷଣା ପ୍ରତିଷ୍ଠାନ)କୁ ଅନୁରୋଧ କରିଥିଲେ। ଏହି ଅନୁରୋଧ ୭ ଜଣିଆ ପ୍ରତିନିଧି ଦଳ ଏଠାକୁ ଆସିଛନ୍ତି। ଏହି ଯାଞ୍ଚ ଦଳରେ ୪ଜଣ ବୈଜ୍ଞାନିକ ରହିଥିବାବେଳେ ୩ ଜଣ ବୈଷୟିକ ଅଧିକାରୀ ରହିଛନ୍ତି। ସେମାନେ ହେଲେ, ସିନିୟର ପ୍ରିନ୍‌ସିପାଲ ବୈଜ୍ଞାନିକ ଡ.ରାଜୀବ ଗୋଏଲ, ଜି.କେ.ସାହୁ ଏବଂ ଭିଭିଏଲକେ ରାଓ, ବୈଜ୍ଞାନିକ ଏ.କେ ଧଳ, ବରିଷ୍ଠ ବୈଷୟିକ ଅଧିକାରୀ ପ୍ରଦୀପ କୁମାର, କୁମାର ଶଶି ଭୂଷଣ ଏବଂ ସୁରେନ୍ଦ୍ର କୁମାର ବର୍ମା। ସେମାନେ ଆଜି ସେତୁର ନିର୍ମାଣ ଶୈଳୀ ଏବଂ ଗୁଣବତ୍ତା ଯାଞ୍ଚ କରିଥିଲେ। ୩ ଦିନ ଧରି ଯାଞ୍ଚ ଚାଲିବାକୁ ଥିବାବେଳେ ସେତୁ ନିର୍ମାଣ ନିମନ୍ତେ ବ୍ୟବହାର ହୋଇଥିବା କଞ୍ଚା ମାଲ, କେଉଁଭଳି ମାନର କାମ ହୋଇଛି, ଗାଡ଼ି ଚଳାଚଳ ପାଇଁ ଏହି ପୋଲ କେତେ ସୁରକ୍ଷିତ ତାହାର ନିରୀକ୍ଷଣ କରିବେ ବୋଲି ଜଣାପଡ଼ିଛି।

ଏହି ୭ ଜଣିଆ ଦଳ ସହ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପି.କେ ସାହୁ, ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ ଓ କନିଷ୍ଠ ଯନ୍ତ୍ରୀ ସୁରେଶ ମିଶ୍ର ଉପସ୍ଥିତ ଥିଲେ।

ଶ୍ରୀ ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ସେତୁ ସଂପର୍କରେ ବିସ୍ତତ ରିପୋର୍ଟ ଦିଆଯିବ। ଏହି ରିପୋର୍ଟକୁ ଆଧାରକରି ରାଜ୍ୟ ସରକାର ଗୁରୁପ୍ରିୟା ସେତୁର ହିସାବ ନିକାଶ କରିବେ।

ଅନ୍ୟପକ୍ଷରେ, ବର୍ତ୍ତମାନ ଗୁରୁପ୍ରିୟା ସେତୁରେ ପରୀକ୍ଷା ମୂଳକ ଭାବେ ଯାନବାହାନ ଚଳାଚଳ କରୁଛି। ନଦୀର ଅପରପାର୍ଶ୍ୱ (ବିଚ୍ଛିନ୍ନାଞ୍ଚଳ)ରେ ଆପ୍ରୋଚରୋଡ ନିର୍ମାଣ କାର୍ଯ୍ୟ ଚାଲିଛି। ତଥାପି ଭାରୀଯାନ ଚଳାଚଳରେ ବିଶେଷ ସମସ୍ୟା ହେଉନାହିଁ। ଅପରପକ୍ଷରେ ବିଚ୍ଛିନ୍ନାଞ୍ଚଳରୁ ମାଓବାଦୀ ଆସି ପୋଲକୁ କ୍ଷତିଗ୍ରସ୍ତ କରିବାର ସମ୍ଭାବନା ରହିଥିବାରୁ ଯନ୍ତାପାଇରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।

ଆଜିର ଯାଞ୍ଚ ପରେ ବିଶେଷଜ୍ଞ ଦଳ କ’ଣ ପାଇଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ବିଶେଷଜ୍ଞ ଦଳର ରିପୋର୍ଟ ଓ ସରକାରଙ୍କ ଉଦ୍‌ଘାଟନ ତାରିଖକୁ ବିଚ୍ଛିନ୍ନାଞ୍ଚଳବାସୀ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର