କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା : ଦିନ ତମାମ କେନ୍ଦ୍ରୀୟ ଟିମ୍‌ର ଛାନ୍‌ଭିନ୍

ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହ ବୈଠକ, ପୁଣି ଏକ ହାତୀ ଶାବକର ମୃତ୍ୟୁ, ୨୦ ଦିନରେ ୭ ହାତୀର ମୃତ୍ୟୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା ନେଇ କେନ୍ଦ୍ରୀୟ ଟିମ୍‌ ଶନିବାର ଦିନ ତମାମ ହାତୀ ମୃତ୍ୟୁ ହୋଇଥିବା ସେମେଲପଦର, ତେନ୍ତୁଳିପଦର ଓ ଘୁଷୁରିଗୁଡ଼ି ଅଞ୍ଚଳରେ ତଦନ୍ତ କରିଥିଲେ। ତଦନ୍ତ ବେଳେ ଶନିବାର ଆଉ ଏକ ଶାବକ ହାତୀର ଗଳିତ ମୃତଦେହ ଠାବ କରିଥିଲେ। ଫଳରେ ୨୦ ଦିନରେ ହାତୀ ମୃତ୍ୟୁ ସଂଖ୍ୟା ୭ରେ ପହଂଚିଛି। ଟିମ ପକ୍ଷରୁ ହାତୀ ମୃତ୍ୟୁ ଅଂଚଳରେ ଏକ ଗାଈର ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ କରାଯାଇଛି। ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହ କେନ୍ଦ୍ରୀୟ ଟିମର ବୈଠକ ହୋଇଥିଲା।

ପ୍ରକାଶ ଯେ, ହାତୀ ମଡ଼କ ଘଟଣାର କାରଣ ଖୋଜିବା ପାଇଁ କେନ୍ଦ୍ରୀୟ ଟିମ ଭବାନୀପାଟଣାରୁ ସକାଳ ୬ଟାରେ କର୍ଲାପାଟ ଅଭୟାରଣ୍ୟ ଅଭିମୁଖେ ଗସ୍ତ କରିଥିଲେ। ଏହି ଟିମ୍‌ରେ ଉତ୍ତରପ୍ରଦେଶ ବରେଲିର ସେଣ୍ଟର ଫର ୱାଇଲଡ଼ ଲାଇଫର ବୈଜ୍ଞାନିକ ଡା. କରିକଲାନ ମାଥେସ, ଏଲିଫେଣ୍ଟ ସେଲର ଜାତୀୟ ସଂଯୋଜିକା ଡା. ପ୍ରଜ୍ଞା.ପି ପଣ୍ଡା ଓ ଓୟୁଏଟିର ପ୍ରଫେସର ଡା. ନିରଞ୍ଜନ ସାହୁ ସାମିଲ ହୋଇଥିଲେ। ଏହି ଟିମର ସହାୟତା କରିବା ପାଇଁ ଆରସିସିଏଫ ସୁଦୀପ୍ତ ଦାଶ, ଦକ୍ଷିଣାଞ୍ଚଳ ଡିଏଫଓ ଟି. ଅଶୋକ କୁମାର, ଉତ୍ତର ବନଖଣ୍ଡ ଡିଏଫଓ ନୀତିଶ କୁମାର ଓ ଅନ୍ୟ ବନ କର୍ମଚାରୀ ପ୍ରମୁଖ ସାଥୀରେ ଯାଇଥିଲେ।

କେନ୍ଦ୍ରୀୟ ଟିମ ସକାଳ ସାଢ଼େ ୬ ଟାରେ ଜାକମ ଠାରେ ପହଞ୍ଚି ଜଳପାନ କରି ଆଲୋଚନା କରିଥିଲେ। ଏହାପରେ ସେମେଲପଦର, ତେନ୍ତୁଳି ପଦର ଓ ଘୁଷୁରିଗୁଡ଼ି ଠାରେ ହାତୀ ମୃତ୍ୟୁ ହୋଇଥିବା ଅଞ୍ଚଳ ଗସ୍ତ କରିଥିଲେ। ଘୁଷୁରିଗୁଡ଼ି ନାଳା ନିକଟରେ ଏକ ହାତୀ ଶାବକର ପଚା ଶବ ଠାବ କରିଥିଲେ। ପ୍ରାୟ ୧୫ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଯୋଗୁଁ ଜୀବଜନ୍ତୁ ଖାଇଦେବା ସହିତ ପଚି ଯାଇଥିଲା। ଟିମ ପକ୍ଷରୁ ଏହି ମୃତ ହାତୀର ଚର୍ମ ଓ ବୋନମେରୋ ସଂଗ୍ରହ କରାଯାଇଥିଲା। ଶବ ପଚି ଯାଇଥିବାରୁ ବ୍ୟବଚ୍ଛେଦ ସମ୍ଭବ ହୋଇପାରିନଥିଲା। ବିଭିନ୍ନ ସ୍ଥାନରୁ ହାତୀ ବ୍ୟବହାର କରିଥିବା ନାଳାର ପାଣି, ହାତୀ ମଳ ଓ ଚର୍ମ ସଂଗ୍ରହ କରିଥିଲେ। ଫେରିବା ସମୟରେ ଅପରାହ୍ନ ୨ଟାରେ ତେନ୍ତୁଳିପଦର ନିକଟରେ ହାତୀ ମୃତ ଅଞ୍ଚଳରେ ଏକ ଗାଈର ମୃତଦେହ ଠାବ କରିଥିଲେ। ଗାଈର ଶବ ବ୍ୟବଚ୍ଛେଦ କରାଯାଇ ପରେ ପୋଡ଼ି ଦିଆଯାଇଥିଲା। ସେଠାରୁ ଫେରି ଜାକମରେ ପହଞ୍ଚିଥିଲେ। କେନ୍ଦ୍ରୀୟ ଟିମ ଜାକମ ଠାରେ ଭୋଜନ ବିରତି ପରେ ଭବାନୀପାଟଣା ଫେରି ଆସିଥିଲେ। ସନ୍ଧ୍ୟାରେ ସର୍କିଟ ହାଉସ ଠାରେ କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କୁ ଭେଟି ହାତୀ ମଡ଼କ ନେଇ ବିଷଦ ଭାବରେ ଆଲୋଚନା କରିଥିଲେ। ଉତ୍ତର ବନଖଣ୍ଡ ସମ୍ମିଳନୀ କକ୍ଷରେ ମଧ୍ୟ କେନ୍ଦ୍ରୀୟ ଟିମ, ବନ ବିଭାଗ ଓ ପ୍ରାଣୀ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

କେନ୍ଦ୍ରୀୟ ଟିମର ଗସ୍ତ ବେଳେ ମୃତ ହାତୀ ଶାବକ ଠାବ ହେବା ନେଇ ବନ ବିଭାଗ ଅଡୁଆରେ ପଡ଼ିଛି। ସେହିଭଳି ‘ସମ୍ବାଦ’ରେ ୬ଟି ଟ୍ରାପ କ୍ୟାମେରା ହାତୀ ମଡ଼କର ମାସେ ପୂର୍ବରୁ କଢ଼ା ଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶନ ପରେ ବନ ବିଭାଗ ପକ୍ଷରୁ ତରବରିଆ ଭାବରେ ସେମେଲପଦର ଠାରେ ଆଜି ଏକ ଟ୍ରାପ କ୍ୟାମେରା ଲଗାଯାଇଛି। ଏନେଇ ସାଧାରଣରେ ଭୃକୁଞ୍ଚନ ଦେଖା ଦେଇଛି। ଆଜି କେନ୍ଦ୍ରୀୟ ଟିମ ଗସ୍ତ ବେଳେ ଡ୍ରୋନ କ୍ୟାମେରା ଯୋଗେ ହାତୀ ଗତିବିଧି ନେଇ ଚେଷ୍ଟା କରାଯାଇଥିଲା। କିନ୍ତୁ କୌଣସି ହାତୀ ଠାବ ହୋଇନଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ୨୦ ଦିନରେ ୭ଟି ହାତୀ ମୃତ୍ୟୁ ପରେ ଅନ୍ୟ ହାତୀମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର