ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ସ୍ବପ୍ନ ସାକାର କରିବାକୁ ହେଲେ ଆମକୁ ନୂତନ ଟେକ୍ନୋଲୋଜି ସହିତ ଜଡ଼ିତ ହେବାକୁ ପଡ଼ିବ। ଆଧୁନିକ ଜ୍ଞାନ କୌଶଳକୁ ଆଧାର କରି ନିଜକୁ ସୁଦୃଢ଼ କରିବାକୁ ପଡ଼ିବ। ଏଥିପାଇଁ ସେଣ୍ଟ୍ରାଲ୍‌ ଟୁଲ୍‌ରୁମ୍‌ ଏବଂ ଟ୍ରେନିଂ ସେଣ୍ଟର୍‌(ସିଟିଟିସି)ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏମ୍‌ଏସ୍‌ଏମ୍‌ଇ ସେକ୍ଟର୍‌କୁ ଆବଶ୍ୟକ ପରାଶର୍ମ ଓ ଟେକ୍ନୋକ୍ରାଟ୍‌ସ ଯୋଗାଇବା ପାଇଁ ବ୍ରହ୍ମପୁରରେ ଉଦ୍‌ଘାଟିତ ହୋଇଛି ଏହି ସେଣ୍ଟର୍‌। ଯାହାକି ଦକ୍ଷିଣାଞ୍ଚଳରେ ଶିଳ୍ପର ବିକାଶ ପାଇଁ ବାଟ ଫିଟାଇଛି ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ପାର୍ଶ୍ବରେ ଏହି ନୂତନ ସେଣ୍ଟର୍ ଆଜି‌ ଉଦ୍‌ଘାଟିତ ହୋଇଛି।

Advertisment

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ସାରା ଭାରତରେ ମୋଟ ୧୮ଟି ସିଟିଟିସି ରହିଛି। ତନ୍ମଧ୍ୟରେ ଭୁବନେଶ୍ବରରେ ଏକ କେନ୍ଦ୍ର ଅଛି। ଭୁବନେଶ୍ବର କେନ୍ଦ୍ର ଅଧୀନରେ ବ୍ରହ୍ମପୁର କେନ୍ଦ୍ର କାର୍ଯ୍ୟ କରିବ। ଏହି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ, କ୍ଷୁଦ୍ର ଓ ମଧ୍ୟମଧରଣ ଉଦ୍ୟୋଗକୁ ବୈଷୟିକ ପରାମର୍ଶ ଦେବ। କେନ୍ଦ୍ର ସରକାରଙ୍କ ନୂତନ ଯୋଜନା ଅନୁସାରେ କିପରି ଶିଳ୍ପର ବିକାଶ ହୋଇ ପାରିବ ସେ ଦିଗରେ କେନ୍ଦ୍ର କାମ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ନୂତନ ଭାବେ ବିଭିନ୍ନ ଉଦ୍ୟୋଗ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏଠାରୁ ଆବଶ୍ୟକ ବୈଷୟିକ ସହଯୋଗ ଓ ପରାମର୍ଶ ପ୍ରଦାନ କରାଯିବ। ସେହିପରି ବିଭିନ୍ନ ବୈଷୟିକ ଶିକ୍ଷା ଲାଭ କରିଥିବା ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ କରି ଆତ୍ମନିର୍ଭରଶୀଳ କରିବା ଦିଗରେ ମଧ୍ୟ ଏହି କେନ୍ଦ୍ର କାର୍ଯ୍ୟ କରିବ। ଯେଉଁମାନେ କି ପ୍ରଶିକ୍ଷଣ ସମାପ୍ତ ପରେ ଟେକ୍ନୋକ୍ରାଟ୍‌ସ ଭାବେ ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇ ପାରିବେ। ଭବିଷ୍ୟତରେ ଏହି କେନ୍ଦ୍ର ଦକ୍ଷିଣାଞ୍ଚଳର ବିକାଶର ସୂତ୍ରଧର ସାଜିବ ବୋଲି ମନ୍ତ୍ରୀ କହିଛନ୍ତି।

publive-image

ଓଡ଼ିଶାରେ ଏଭଳି ୪ଟି କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ତନ୍ମଧ୍ୟରେ ଗୋଟିଏ ବ୍ରହ୍ମପୁରରେ ଆରମ୍ଭ ହୋଇଛି। ସେହିପରି ବିଶ୍ବବ୍ୟାଙ୍କ ସହାୟତାରେ ମଧ୍ୟ ଭାରତରେ ୧୫ଟି କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ରହିଛି। ଏହି କେନ୍ଦ୍ରଗୁଡ଼ିକ ଶିଳ୍ପର ବିକାଶ, ଇଂଜନିୟରିଂ ଆଣ୍ଡ ଡିଜାଇନ୍‌, ମେସିନ୍‌ ମରାମତି, ନୂତନ ସରଞ୍ଜାମ ଓ ଯନ୍ତ୍ରପାତି ତିଆରି ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥାଏ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ରର ମ୍ୟାନେଜର ଏସ୍‌.କେ କର ପ୍ରାରମ୍ଭିକ ସୂଚନା ଦେଇ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଏମ୍‌ ଏଲ୍‌. ରାଜଶେଖର, ଏସ୍‌.କେ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।