କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ପିଜିସିୟୁଇଟି-୨୦୨୪ ପରୀକ୍ଷାରେ ଭାଗ ନେଇଥିବା ଯୋଗ୍ୟ ପ୍ରାର୍ଥୀମାନେ ବି.ଏଡ୍, ଏମ୍.ବି.ଏ, ଏମ୍.ଏ (ଅର୍ଥନୀତି, ଇଂରାଜୀ, ହିନ୍ଦୀ, ସାମ୍ବାଦିକତା ଓ ଗଣଯୋଗାଯୋଗ, ଓଡ଼ିଆ, ସଂସ୍କୃତ ଓ ସମାଜବିଜ୍ଞାନ) ଏବଂ ଏମ୍.ଏସସି (ମାନବବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ ଓ ପରିସଂଖ୍ୟାନ) ଭଳି ବିଷୟରେ ପରୀକ୍ଷା ଦେଇଥିବା ଯୋଗ୍ୟ ପ୍ରାର୍ଥୀମାନେ ଏବେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ କାଉନସେଲିଂ ପାଇଁ ଅନଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ।
ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ମେ ୧, ୨୦୨୪ରୁ ଆରମ୍ଭ ହୋଇ ଯାଇଛି। ଏହା ମେ ୩୧, ୨୦୨୪ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରାର୍ଥୀମାନେ https://cuocuet.samarth.edu.in/pg ଅନଲାଇନ୍ କାଉନସେଲିଂ କମ୍ ରେଜିଷ୍ଟ୍ରେସନ୍ ଲିଙ୍କ୍ ବ୍ୟବହାର କରିପାରିବେ। ଅନଲାଇନ୍ କାଉନସେଲିଂ/ରେଜିଷ୍ଟ୍ରେସନ ଅବଧି ଶେଷ ହେବା ପରେ ବିଶ୍ୱବିଦ୍ୟାଳୟ ଏହାର ଅଫିସିଆଲ ୱେବସାଇଟ www.cuo.ac.in ରେ ପ୍ରୋଭିଜନାଲ ଯୋଗ୍ୟ ମେରିଟ୍ ଲିଷ୍ଟ ଘୋଷଣା କରିବ।
ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଛାତ୍ରଛାତ୍ରୀ ମାନଙ୍କୁ ନାମ ଲେଖାଇବା ପାଇଁ ଶେଷ ତାରିଖର ଯଥେଷ୍ଟ ପୂର୍ବରୁ ପଞ୍ଜୀକରଣ କାରିବାକୁ ପରାମର୍ଶ ଦେଇଛନ୍ତି । ନିକଟରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ସାରିବା ସହିତ ବିଶ୍ୱବିଦ୍ୟାଳୟର ପ୍ରାକୃତିକ ପରିବେଶ ଓ ଶାନ୍ତ ପରିବେଶ ଉପରେ ସେ ଆଲୋକପାତ କରିଥିଲେ। ପ୍ରଫେସର ତ୍ରିପାଠୀ ବିଶ୍ୱବିଦ୍ୟାଳୟର ଜୀବନ୍ତ ଶୈକ୍ଷଣିକ ପରିବେଶ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ, ସେମିନାର ଏବଂ କର୍ମଶାଳା ଆୟୋଜନ କରୁଛି । ଏହି କାର୍ଯ୍ୟକ୍ରମ ଗୁଡିକ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଶିକ୍ଷଣ ଅଭିଜ୍ଞତା ପ୍ରଦାନ କରିଥାଏ, ନେତୃତ୍ୱ ଏବଂ ଦଳଗତ କାର୍ଯ୍ୟ ଭଳି ଦକ୍ଷତାକୁ ପ୍ରୋତ୍ସାହିତ କରିଥାଏ ଯାହା ସେମାନଙ୍କ ଭବିଷ୍ୟତ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ସହିତ ବିଶ୍ବବିଦ୍ୟାଳୟ ଆଇସିଟି ସକ୍ଷମ କ୍ୟାମ୍ପସ, ଇ-ଲର୍ଣ୍ଣିଂ ସୁବିଧା, ଭର୍ଚୁଆଲ କ୍ଲାସରୁମ୍ ଏବଂ ଏନଇପି-୨୦୨୦ ସହ ସଂଯୁକ୍ତ ପାଠ୍ୟକ୍ରମ ଦ୍ୱାରା ସାମଗ୍ରିକ ଛାତ୍ର ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ସମ୍ବଳିତ ବିଜ୍ଞପ୍ତି ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ରାକେଶ ଲେଙ୍କା ସୂଚନା ଦେଇଛନ୍ତି। ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ଇଚ୍ଛୁକ ପ୍ରାର୍ଥୀମାନେ ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବସାଇଟ www.cuo.ac.in ରୁ ଜାଣି ପାରିବେ ବୋଲି ବିଶ୍ଵବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/CUO.jpeg)