କୋରାପୁଟ: ଗଣିତ ବିଭାଗର ଦ୍ବିତୀୟ ସେମିଷ୍ଟର ଛାତ୍ରୀ ସ୍ୱର୍ଗତ ସନ୍ଧ୍ୟାରାଣୀ ଦାସଙ୍କ ସ୍ମୃତିକୁ ସମ୍ମାନ ଜଣାଇ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାମ୍ପସସ୍ଥିତ ଏକାଡେମିକ୍ ବ୍ଲକ-୩ ନିକଟରେ ଏକ ଶୋକସଭା ଅନୁଷ୍ଟିତ ହୋଇଯାଇଛି। କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ନେତୃତ୍ବରେ ବିଶ୍ୱବିଦ୍ୟାଳୟ ସମୁଦାୟ ଏକତ୍ରିତ ହୋଇ ତାଙ୍କ ସ୍ମୃତିକୁ ସ୍ମରଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Advertisment

ପ୍ରଫେସର ତ୍ରିପାଠୀଙ୍କ ସହ ଭାରପ୍ରାପ୍ତ କୁଳସଚିବ ପ୍ରଫେସର ଏନ୍ ସି ପଣ୍ଡା, ପରାମର୍ଶଦାତା-ଏକାଡେମିକ ଓ ପ୍ରଶାସନ ପ୍ରଫେସର ଭିସି ଝା, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପଳିତା, ରାଜଭାଷା ସେଲ୍‌ର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ହେମରାଜ ମୀନା, ଅଧ୍ୟାପକ, ଅଧିକାରୀ, ଗବେଷକ ଓ ଛାତ୍ରଛାତ୍ରୀମାନେ ଏହି ଅବସରରେ ଗଭୀର ଶୋକ ପ୍ରକାଶ କରିଥିଲେ। ସମସ୍ତେ ମିଶି ସନ୍ଧ୍ୟା ରାଣୀ ଦାସଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମର ଆତ୍ମାର ସଦ୍ ଗତି ପାଇଁ ପ୍ରାର୍ଥନା କରିଥିଲେ।

publive-image

"ଆମ ଛାତ୍ରୀ ସନ୍ଧ୍ୟାରାଣୀ ଦାସ ଆଜି ଆଉ ଆମ ଭିତରେ ନାହାନ୍ତି। ତାଙ୍କ ଅକାଳ ବିୟୋଗ ଆମ ବିଶ୍ୱବିଦ୍ୟାଳୟ ସମୁଦାୟ ପାଇଁ ଏକ ବିରାଟ ଓ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ଆମେ ଗଭୀର ଶୋକ ପ୍ରକାଶ କରୁଛୁ ଏବଂ ବିଶ୍ୱବିଦ୍ୟାଳୟ ତରଫରୁ ଆମେ ତାଙ୍କ ଆତ୍ମାର ଶାନ୍ତି ଏବଂ ତାଙ୍କ ଶୋକସନ୍ତପ୍ତ ପରିବାର ପାଇଁ ସାହସ ଓ ଶକ୍ତି ପ୍ରଦାନ ନିମନ୍ତେ ପ୍ରାର୍ଥନା କରୁଛୁ ବୋଲି ପ୍ରଫେସର ତ୍ରିପାଠୀ କହିଥିଲେ।

ବିଶ୍ୱବିଦ୍ୟାଳୟ ସମୁଦାୟ ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବତା ପାଳନ କରିଥିଲେ। ସନ୍ଧ୍ୟାରାଣୀ ଦାସଙ୍କ ସ୍ମୃତିରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କରାଯିବ, ଯାହା କି ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ତପନ କୁମାର ଦାସ ଓ ସ୍ୱପ୍ନାରାଣୀ ଦାସଙ୍କ ଝିଅ ସନ୍ଧ୍ୟାରାଣୀ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗରେ ଜଣେ ପ୍ରତିଭାବାନ ଛାତ୍ରୀ ଥିଲେ। ଗତ ୧୦ ତାରିଖରେ ତାଙ୍କ ଦୁଃଖଦ ବିୟୋଗ ବିଶ୍ୱବିଦ୍ୟାଳୟ ସମୁଦାୟ, ଆତ୍ମୀୟ ସ୍ଵଜନ ଓ ତାଙ୍କୁ ଚିହ୍ନିଥିବା ସମସ୍ତଙ୍କୁ ଗଭୀର ଦୁଃଖଦେଇଛି ବୋଲି ବିଶ୍ୱବିଦ୍ୟାଳର ଜନସମ୍ପର୍କ ଅଧିକାରୀ, ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି।