କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

କୋରାପୁଟ : କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଦ୍ବାଦଶତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ତଥା ବିଶ୍ବବିଦ୍ୟାଳୟର ଭିଜିଟର୍ ରାମନାଥ କୋବିନ୍ଦ ବିଶ୍ବବିଦ୍ୟାଳୟର ମୂଲ୍ୟବୋଧଯୁକ୍ତ ଶିକ୍ଷାକୁ ଗୁରୁତ୍ବ ଦେବା ସହିତ ସେ ଯୁବଶକ୍ତିର ପ୍ରତିଷ୍ଠା ନେଇ ନୂତନ ଆଶା ସଂଚାର କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶିକ୍ଷାର ମୂଳଭିତ୍ତି ଓ ଆଦର୍ଶ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ଅତୀତ ଓ ସାଂପ୍ରତିକ ଭାରତର ମହତ୍ବପୂର୍ଣ୍ଣ ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରୀୟାଲ ନିଶଙ୍କ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅନ୍-ଲାଇନ୍ ପ୍ରତିଷ୍ଠା ଦିବସ ପାଳନରେ ନିଜର ବାର୍ତ୍ତା ପ୍ରଦାନ କରବା ସହିତ ନୂତନ କେନ୍ଦ୍ରୀୟ ପାଠାଗାର, ଶୈକ୍ଷିକ ଗୃହ, ଷ୍ଟାଫ କ୍ବାର୍ଟର, ଅଫିସ/ପ୍ରଶାସନିକ ଗୃହ ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରୀୟାଲ ନିଶଙ୍କ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମହାମାରୀ କୋଭିଡ-୧୯ ସମୟରେ ଭରସା ଭଳି କାର୍ଯ୍ୟକ୍ରମ ଦ୍ବାରା କରୋନା ବିରୋଧରେ କରାଯାଇଥିବା ସଚେତନତା ମୂଳକ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଥିଲେ। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଷ୍ଠା ଦିବସ ପାଇଁ ଶୁଭେଚ୍ଛା ବାର୍ତ୍ତା ଦେବା ସହିତ କୋରାପୁଟ ତଥା ଓଡ଼ିଶାର ଶୈକ୍ଷିକ ବିକାଶ ସହିତ ରାଷ୍ଟ୍ରର ବିକାଶ ଏବଂ କେତେକ ସ୍ବତନ୍ତ୍ର ଦିଗରେ ବିଶ୍ବବିଦ୍ୟାଳୟ କାର୍ଯ୍ୟ ନେଇ ଆଶା ସଂଚାର କରିଥିଲେ। ନୂତନ ଶିକ୍ଷା ନୀତି ଆଧାରରେ ଶୈକ୍ଷିକ ପ୍ରତିଷ୍ଠାନ ଏବଂ ଶିଳ୍ପସଂସ୍ଥାକୁ ଯୋଡିହୋଇ ଜନଜାତୀୟ ଓ ନୃତାତ୍ତ୍ବିକ ବିଷୟ ସମ୍ପର୍କିତ ଗବେଷଣା ଦ୍ବାରା ସାମୂହିକ ବିକାଶ ସାଧିତ ହୋଇପାରିବ ବୋଲି ମତ ରଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ଓ ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଡି.ପି. ସିଂହ ପ୍ରମୁଖ ବିଶ୍ବବିଦ୍ୟାଳୟର ଉନ୍ନତି କାମନାପୂର୍ବକ ନିଜର ଅଭିନନ୍ଦନ ବାର୍ତ୍ତା ଜଣାଇଥିଲେ।

ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ୍ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ। କୁଳପତି ଉତ୍ସବରେ ସମସ୍ତଙ୍କୁ ସ୍ବାଗତ କରିବା ସହ ବିଶ୍ବବିଦ୍ୟାଳୟର ନୂତନ ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ସ୍ମୃତିମୟ ଏକାଦଶ ବର୍ଷର ଅନୁଭୂତିକୁ ଭିତ୍ତି କରି ପ୍ରସ୍ତୁତ ହୋଇଥିବା ‘ସ୍ମରଣିକାକୁ ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରୀୟାଲ ନିଶଙ୍କ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ମିଳିତ ଭାବେ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ବିଶ୍ବବିଦ୍ୟାଳୟର ପ୍ରଫେସର ଶରତ କୁମାର ପଳିତା ସ୍ବାଗତ ଭାଷଣ ଦେଇଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ବବିଦ୍ୟାଳୟର କୁଳସଚିବ ଡ. ଅସିତ କୁମାର ଦାସ। ସାମ୍ବାଦିକତା ଓ ଜନସଞ୍ଚାର ବିଭାଗର ଅଧ୍ୟାପକ ଡ. ସୌରଭ ଗୁପ୍ତା କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର