ରଥ ନିର୍ମାଣକୁ ଅନୁମତି ଦେଲା କେନ୍ଦ୍ର : ସମ୍ପୂର୍ଣ୍ଣ କଟକଣା ଭିତରେ ରଥନିର୍ମାଣ କରାଯିବ

ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ଉପରେ ଛାଡିଲା କେନ୍ଦ୍ର
ସେତେବେଳ ସ୍ଥିତି ଦେଖି ସରକାର ନିଷ୍ପତ୍ତି ନେେବ
ରାଜ୍ୟ ସରକାର କେନ୍ଦ୍ର କୋର୍ଟକୁ ବଲ୍ ଠେଲିଥିଲେ
ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କିନ୍ତୁ କେନ୍ଦ୍ରର ଆଗ୍ରହ
ମୋଦୀ ଓ ଶାହଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ମହାପ୍ରଭୁଙ୍କ ରଥ ନିର୍ମାଣ ହେବ କି ନାହିଁ, ତାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଆଜି ଦୂର ହୋଇଛି। ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନର ସୁପାରିସକୁ ପାଖାପାଖି ୩୬ ଘଣ୍ଟା ଧରି ରଖିବା ପରେ ଶେଷ ମୁହୂର୍ତରେ କେନ୍ଦ୍ର ଉପରକୁ ଠେଲିଦେଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇ କୋଭିଡ଼ କଟକଣା ଭିତରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଲାଗି ବାଟ ଖୋଲିଛନ୍ତି। ରଥ ନିର୍ମାଣକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସର୍ତମୂଳକ ଅନୁମତି ଦିଆଯାଇଛି।

କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସଂପର୍କରେ ଆଗୁୁଆ ସ୍ପଷ୍ଟ କରିଦେଇଛନ୍ତି। ଏବେଠାରୁ ଜଣାଇ ଦେଇଛନ୍ତି ଯେ ସେ ସମୟ (ଜୁନ୍‌ ୨୩ ତାରିଖ)ର ପରିସ୍ଥିତି ଦେଖି ରଥଯାତ୍ରା େହାଇପାରିବ କି ନାହିଁ, ତାହା ରାଜ୍ୟ ସରକାର ସ୍ଥିର କରିବେ। ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଅନୁଶାସନ ସଚିବ ଆଶିଷ କୁମାର ସିଂହ, ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ଏସବୁ ସଂପର୍କରେ ଏକ ବିଶଦ ପତ୍ର ଲେଖିଛନ୍ତି।

କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ କରିଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଇଥିଲେ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହିତ ଆଲୋଚନା କରିଥିଲେ। ମହାପ୍ରଭୁଙ୍କ ସହିତ ସମଗ୍ର ବିଶ୍ବର ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଆଶା, ଆସ୍ଥା ଓ ବିଶ୍ବାସ ଯୋଡିହୋଇଥିବା କାରଣରୁ ରଥଯାତ୍ରା ସଂପର୍କରେ ସକାରାତ୍ମକ ଆଭିମୁଖ୍ୟ ଶ୍ରୀ ଶାହ ପ୍ରକଟ କରିଥିବା ସୂଚନା ମିଳିଛି। ଆଜି କେନ୍ଦ୍ରର ଏଭଳି ନିର୍ଦେଶନାମା ପରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ରଥ ନିର୍ମାଣ ପାଇଁ ଅନୁମତି ଦେଇ ସାଢେ ଚାରିକୋଟି ଓଡ଼ିଆ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ସମ୍ମାନ ଦେଇଥିବାରୁ କୃତଜ୍ଞତା ପ୍ରକାଶ କରିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମନ୍ତ୍ରୀ ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖି ଅନୁରୋଧ କରିଥିଲେ।

ତେବେ କେନ୍ଦ୍ର ସରକାର ଯେଉଁ ସର୍ତମୂଳକ ଅନୁମତି ଦେଇଛନ୍ତି, ସେଥିରେ ସ୍ପଷ୍ଟ କରିଦିଆଯାଇଛି ଯେ ରଥ ନିର୍ମାଣ ବେଳେ ଲକଡାଉନ ନିୟମ କଡ଼ାକଡ଼ି ଭାବେ ପାଳନ ହେବ। ରଥ ନିର୍ମାଣ ବେଳେ କୌଣସି ଧାର୍ମିକ ସମାବେଶ ବା ଏକତ୍ରୀକରଣ ହୋଇପାରିବ ନାହିଁ। ରଥଖଳାରେ ବ୍ୟାରିକେଡ୍ ଲଗାଇ ଲୋକଙ୍କୁ ଦୂରେଇ ରଖାଯିବ ବୋଲି କେନ୍ଦ୍ର ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଛି।

ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଆଧାରରେ ଗତ ୪ ତାରିଖ ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ରାଜ୍ୟ ସରକାରଙ୍କ ଆଇନ ସଚିବଙ୍କୁ ଏକ ପତ୍ର ଲେଖିଥିଲେ। ଏହା ପୂର୍ବରୁ ଖୋଦ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ନିର୍ମାଣ ଧାର୍ମିକ ଉତ୍ସବ ନୁହେଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଗଜପତିଙ୍କ ଏଭଳି ମନ୍ତବ୍ୟ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ କରିଥିଲା। ହେଲେ ମୁଖ୍ୟପ୍ରଶାସକଙ୍କ ଚିିଠି ଉପରେ ସରକାର ତତ୍କାଳ କୌଣସି ନିଷ୍ପତ୍ତି ନେବା ପରିବର୍ତେ ଏହାକୁ ଝୁଲାଇ ରଖି େକନ୍ଦ୍ରର ଅନୁମତି ଲୋଡିଥିଲେ। ପରିଣାମ ହେଲା, ମହାପ୍ରଭୁଙ୍କର ଶହ ଶହ ବର୍ଷର ରଥ ନିର୍ମାଣ ବିଧି ଭାଙ୍ଗିଯାଇଥିଲା।

ଏବେ କେନ୍ଦ୍ର ସରକାର ପଦକ୍ଷେପ ନେବା ପରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କି ଆଭିମୁଖ୍ୟ ରଖୁଛନ୍ତି, ରଥନିର୍ମାଣ ପ୍ରକ୍ରିୟାକୁ କିଭଳି ତ୍ବରାନ୍ବିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଉଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର