ଓଡ଼ିଶାର କରୋନା ଦ୍ୱିଗୁଣିତ ହାର ଦେଶରେ ସର୍ବୋତ୍ତମ, ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନାକୁ କେନ୍ଦ୍ରର ପ୍ରସଂଶା

ନୂଆଦିଲ୍ଲୀ : ଓଡ଼ିଶା ଓ କେରଳର କରୋନା ମହାମାରୀ ପରିଚାଳନାକୁ କେନ୍ଦ୍ର ସରକାର ପ୍ରସଂଶା କରିଛନ୍ତି । ଉତ୍ତମ ପରିଚାଳନା ଯୋଗୁଁ ଏହି ଦୁଇ ରାଜ୍ୟର ଦ୍ୱିଗୁଣିତ ହାର ବା ଡବଲିଂ ରେଟ ଦେଶରେ ସର୍ବୋତ୍ତମ ଅଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । ସେ କହିଛନ୍ତି ଯେ ଜାତୀୟ ଡବଲିଂ ହାର ୭.୫ ଦିନକୁ ବୃଦ୍ଧି ପାଇଥିବାବେଳେ ଓଡ଼ିଶା ଓ କେରଳରେ ତାହା ପ୍ରାୟ ୩୦ ଦିନରୁ ଅଧିକ ରହିଛି । ଅର୍ଥାତ ପ୍ରତି ୩୦ ଦିନରେ ଓଡ଼ିଶା ଓ କେରଳର ପଜିଟିଭ ସଂଖ୍ୟା ଦୁଇଗୁଣ ହେଉଛି । ଦେଶର ୧୮ଟି ରାଜ୍ୟର ଡବଲିଂ ହାର ଜାତୀୟ ହାରଠାରୁ ଅଧିକ ରହିଛି ।
ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୫୫୩ଟି ନୂଆ ମାମଲା ଜଣାପଡ଼ିଛି ଓ ୩୬ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ଦେଶର ମୋଟ ସଂଖ୍ୟା ୧୭,୨୬୫କୁ ବୃଦ୍ଧି ପାଇଛି ।
ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ କେରଳ ସରକାରଙ୍କୁ ପତ୍ର ଲେଖି ଲକଡାଉନ ନିୟମରେ କରାଯାଇଥିବା କୋହଳତାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । କେତେକ କ୍ଷେତ୍ରରେ କୋହଳତା କରି କେରଳ ସରକାର ଗୃହ ମନ୍ତ୍ରାଳୟର ଗାଇଡଲାଇନକୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି ଏଥିରେ ଦର୍ଶାଯାଇଛି । ଏହା ସହିତ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁୁପତ୍ର ଲେଖି ଲକଡାଉନ ଗାଇଡଲାଇନ ଗୁଡ଼ିକର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।

ସମ୍ବନ୍ଧିତ ଖବର