ମହାନଦୀ ଜଳ ବିବାଦ ପ୍ରସଙ୍ଗ: ଟ୍ରିବ୍ୟୁନାଲ ଗଠନକୁ ମନା କଲା କେନ୍ଦ୍ର

ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ମାଧ୍ୟମରେ ସମସ୍ୟାର ସମାଧାନ ହେଉ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ହୋଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି  ବିବାଦର  ଆପୋଷ ସମାଧାନ ହେଉ ବୋଲି କେନ୍ଦ୍ର ସରକାର ପ୍ରସ୍ତାବ ରଖିଛନ୍ତି। ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ ନ କରିବାକୁ କୋର୍ଟଙ୍କୁ  ଅନୁରୋଧ କରିଛନ୍ତି  କେନ୍ଦ୍ର ସରକାର । କେନ୍ଦ୍ର କହିଛି, ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ମାଧ୍ୟମରେ ସମସ୍ୟାର ସମାଧାନ ହେଉ।

ଓଡ଼ିଶା ସରକାରଙ୍କ ଦ୍ୱାରା ଜଳ ଆବଣ୍ଟନ ତଥ୍ୟ ଦିଆଯାଇ ନଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପୂର୍ବରୁ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ପାଖରେ ଦାବି କରିଥିଲା। ଗତ ନଭେମ୍ବର ୧୯ରେ ଟ୍ରିବ୍ୟୁନାଲ ଗଠନ ପାଇଁ ଶେଷ ତାରିଖ ଧାର୍ଯ୍ୟ ହୋଇଥିଲେ ହେଁ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ସବିଶେଷ ତଥ୍ୟ ଦାଖଲ କରି ନଥଲେ।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି, ବର୍ଷକ ତଳେ ରାଜ୍ୟ ଆବଶ୍ୟକ ତଥ୍ୟ ସହ ଦାବି ଉପସ୍ଥାପନ କରିଛି। କେନ୍ଦ୍ରକୁ ଦିଆଯାଇଥିବା ତଥ୍ୟରେ ଯଦି ଅଭାବ ଥିଲା, ତେବେ ରାଜ୍ୟକୁ କାହିଁକି ଜଣାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଓଡ଼ିଶା ତଥ୍ୟ ନଦେବା କହିବା ହାସ୍ୟାସ୍ପଦ କଥା, ବିଜେପିର ନିଷ୍ଠା, ଉଦ୍ଦେଶ୍ୟ ଓଡ଼ିଶା ପ୍ରତି ଠିକ ନୁହେଁ ବୋଲି ପ୍ରମାଣିତ ହୋଇଛି। ସେ କହିଛନ୍ତି, ଦୀର୍ଘ ବର୍ଷେ ଧରି ଟାଳଟୁଳ ନୀତି ପରେ କେନ୍ଦ୍ର ଟ୍ରିବୁନାଲ ପାଇଁ ମନା କରିଛି। ରାଜ୍ୟକୁ ଦୋଷ ଦେଇ ନିଜ ମୁଣ୍ଡରୁ ଦୋଷ ଖସାଉଛି।

ସମ୍ବନ୍ଧିତ ଖବର