ଧାନର ଏଫ୍‌ଏକ୍ୟୁ ମାନ କୋହଳ କଲା କେନ୍ଦ୍ର

ଉଭୟ ରାଜ୍ୟ, କେନ୍ଦ୍ରମନ୍ତ୍ରୀ ଚାପ ପକାଇଥିଲେ
ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚିନି ଚିଠି

ଭୁବନେଶ୍ୱର : ଗତ ନଭେମ୍ବର-ଡିସେମ୍ବର ମାସରେ ହୋଇଥିବା ଅଦିନିଆ ବର୍ଷାରେ ଉପକୂଳବର୍ତୀ ୧୯ଟି ଜିଲ୍ଲାର ଚାଷୀଙ୍କ ସୁନାର ଧାନ ଫସଲ ଉଜୁଡ଼ି ଯାଇଥିଲା। ଫଳରେ ଅମଳ ହୋଇଥିବା ଧାନର ମାନ କେତେକାଂଶରେ ଖରାପ ହୋଇଯାଇଥିଲା। ଧାନ ବେରଙ୍ଗ ହେବା ସହିତ ଅମଳ ଧାନରେ ଅଗାଡ଼ି ବି ଭରି ରହିଥିଲା। ଚାଷୀଙ୍କଠାରୁ ଅଣ-ଏଫ୍‌ଏକ୍ୟୁ ମାନର ଧାନ କିଣିବାକୁ ମିଲ୍‌ ମାଲିକମାନେ ରାଜି ହେଉନଥିଲେ। ଏ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। କେନ୍ଦ୍ର ସରକାରଙ୍କ ନିକଟରେ ଧାନର ଏଫଏକ୍ୟୁ ମାନ କୋହଳ କରିବାକୁ ଦାବି କରିଥିଲେ ରାଜ୍ୟ ସରକାର। ଅମଳ ଧାନ ଉପରେ ଅଦିନିଆ ବର୍ଷା ମାଡ଼ ଅନୁଧ୍ୟାନ କରିବାକୁ ଆସିଥିଲେ ୮ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଲାସ ପାଶ୍ୱାନଙ୍କ ନିକଟରେ ଚାପ ପକାଇଥିଲେ। ଶେଷରେ କେନ୍ଦ୍ର ସରକାର ଧାନର ଧାର୍ଯ୍ୟ ମାନ କୋହଳ କରିଥିବା ଶ୍ରୀ ପାଶ୍ୱାନ କହିଛନ୍ତି।

ଏ ନେଇ ଆଜି କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ପାଶ୍ୱାନ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅବଗତ କରିଛନ୍ତି। ଏହି ଚିଠିରେ ଧାନର ଫେୟାର ଆଭରେଜ୍‌ କ୍ୱାଲିଟି ବା ଏଫ୍‌ଏକ୍ୟୁ ମାନ କୋହଳ କରିବାକୁ ତାଙ୍କ ବିଭାଗ ନିଷ୍ପତ୍ତି ନେଇଥିବା ଶ୍ରୀ ପାଶ୍ୱାନ ଜଣାଇଛନ୍ତିି। ତେବେ ଏହି କୋହଳ ମାନ ୧୫ଟି ଜିଲ୍ଲାର ପ୍ରଭାବିତ ଚାଷୀଙ୍କ ପାଇଁ ଲାଗୁ ହେବ। ଏ ସଂପର୍କରେ ଶ୍ରୀ ପ୍ରଧାନ ଏକ ପ୍ରେସ୍‌ ବିବୃତିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାରେ ଅଦିନିଆ ବର୍ଷା ଦ୍ୱାରା ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ଏଫ୍‌ଏକ୍ୟୁ ମାନ କୋହଳ କରି କେନ୍ଦ୍ର ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗାଇ ଦିଆଯିବ। ଏ ନେଇ ସେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କ ନିକଟରେ ଅନେକ ଥର ଆଲୋଚନା କରିଥିଲେ। ଗତ ଜାନୁଆରି ୩ ତାରିଖରେ ଏକ ପତ୍ର ଲେଖି ସେ ତାଙ୍କ ଦାବି ଦୋହରାଇ ଧାନର ମାନ କୋହଳ ପାଇଁ ଅନୁରୋଧ କରିଥିଲେ।

ଏ ନେଇ ରାଜ୍ୟ ସରକାରଙ୍କ ନିକଟରେ କୌଣସି ଚିଠି ପହଞ୍ଚିନଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଚିଠି ଆସିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତିି। ସେହିପରି କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ନିକଟରୁ କୌଣସି ଚିଠି ଖାଦ୍ୟ ଯୋଗାଣ ବିଭାଗର ହସ୍ତଗତ ହୋଇନାହିଁ। ତେବେ ଏ ନେଇ ମାତ୍ରାଧିକ ବିଳମ୍ବ ଘଟିଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିି। ବର୍ତମାନ ରାଜ୍ୟରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଣୁ, କେବେ କେନ୍ଦ୍ରୀୟ ନିୟମାବଳୀ ଆସିବ, କେବେ ତାକୁ ଲାଗୁ ହେବ, ଚାଷୀମାନେ କିପରି ଉପକୃତ ହେବେ ସେ ନେଇ ଅନେକ ପ୍ରଶ୍ନ ରହିଛି। ସୂଚନାଯୋଗ୍ୟ, ଗତ ଜାନୁଆରି ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ୮ଜଣିଆ କେନ୍ଦ୍ରୀୟ ଅଫିସର ଦଳ ଓଡ଼ିଶାର ୧୯ଟି ଜିଲ୍ଲା ଗସ୍ତ କରିଥିଲେ। ସେହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ। ସେମାନେ ମଣ୍ଡିଗୁଡ଼ିକ ବୁଲି ବିଭିନ୍ନ ଧାନର ନମୁନା ସଂଗ୍ରହ କରିବା ପରେ ରାଜ୍ୟ ଏଫ୍‌ସିଆଇ ପରୀକ୍ଷାଗାରରେ ଧାନର ନମୁନା ପରୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର