ରାଜ୍ୟମାନଙ୍କୁ ୪୪ ହଜାର କୋଟିର ଜିଏସଟି କ୍ଷତିପୂରଣ ରାଶି ପ୍ରଦାନ କଲେ କେନ୍ଦ୍ର ସରକାର, ଓଡ଼ିଶା ଭାଗରେ ୧୭୭୯ କୋଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ  ୪୪ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ମୋଟ ୧ ଲକ୍ଷ ୫୯ ହଜାର କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିସାରିଲେଣି । ପୂର୍ବରୁ ୧୫ ଜୁଲାଇରେ ୭୫ ହଜାର କୋଟି ଓ ୭ ଅକ୍ଟୋବରରେ ୪୦ ହଜାର କୋଟିର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଆଜି ଦିଆଯାଇଥିବା ୪୪ ହଜାର କୋଟି ମଧ୍ୟରୁ ଓଡ଼ିଶା ସରକାର ପ୍ରାୟ ୧୭୭୯ କୋଟି ଟଙ୍କାର କ୍ଷତିପୂରଣ ପାଇଛନ୍ତି । ଏହି କ୍ଷତିପୂରଣ ‘ବ୍ୟାକ୍ ଟୁ ବ୍ୟାକ ଲୋନ’ ଫାସିଲିଟି ଅଧିନରେ ଦିଆଯାଇଛି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଦିଆଯାଇଥିବା ଏହି କ୍ଷତିପୂରଣ ରାଶି ନିୟମିତ ଭାବେ ପ୍ରତି ୨ ମାସରେ ଦିଆଯାଉଥିବା ଜିଏସଟି କ୍ଷତିପୂରଣଠାରୁ ଅଲଗା ଭାବେ ଦିଆଯାଇଛି ।

ଚଳିତ ବର୍ଷ ମେ ୨୮ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ରାଜ୍ୟମାନଙ୍କୁ ୧.୫୯ ଲକ୍ଷ କୋଟିର ଜିଏସଟି କ୍ଷତିପୂରଣ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ସମ୍ବନ୍ଧିତ ଖବର