ଦରଦାମ ସ୍ଥିରତା ପାଣ୍ଠିକୁ ୫୦ କୋଟି ଦେବାକୁ କେନ୍ଦ୍ରୀୟ ମଞ୍ଜୁରି

ଭୁବନେଶ୍ୱର : ରାଜ୍ୟରେ ଅତ୍ୟାବଶ୍ୟକୀୟ ଦରଦାମ ସ୍ଥିର ରଖିବା ସହିତ ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପ୍ରଦାନ ଉଦ୍ଦେଶ୍ୟରେ ଦରଦାମ ସ୍ଥିରତା ପାଣ୍ଠି ବା ପ୍ରାଇସ୍‌ ଷ୍ଟାବିଲାଇଜେସନ ଫଣ୍ଡ ଗଠିତ ହୋଇଛି। ଏହି କର୍ପସ ପାଣ୍ଠିକୁ ରାଜ୍ୟ ସରକାର ଗତ ପ୍ରାୟ ଦୁଇବର୍ଷ ହେଲା ୫୦ କୋଟି ଦେଇସାରିଛନ୍ତି। ବିଳମ୍ବରେ ହେଲେ ବି କେନ୍ଦ୍ର ସରକାର ନିଜସ୍ୱ ଅଂଶଧନ ବାବଦରେ ଅବଶିଷ୍ଟ ୫୦ କୋଟି ପ୍ରଦାନ କରିବାକୁ ମଞ୍ଜୁରି ଦେଇଛନ୍ତି। କିନ୍ତୁ ଏହି ପାଣ୍ଠିର ବିନିଯୋଗ କରି ସରକାର ବଜାର ଦରଦାମ ବିଶେଷ କରି ଆଳୁ, ପିଆଜ, ଡାଲି ଭଳି ସାମଗ୍ରୀଗୁଡ଼ିକର ଚଢ଼ା ଦର ରୋକିବାରେ ସମର୍ଥ ହେବେ କି ବୋଲି ପ୍ରଶ୍ନ ଉଠୁଛି।

ଖାଦ୍ୟ ଯୋଗାଣ ବିଭାଗ ସୂଚନା ଅନୁଯାୟୀ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ମାଗିଥିଲା। ବିଭାଗ ପକ୍ଷରୁ ଆକାଉଣ୍ଟ ନମ୍ବର ଦେବା ପରେ କେନ୍ଦ୍ରୀୟ ବିଭାଗ ପାଣ୍ଠି ନିମନ୍ତେ ୫୦ କୋଟି ପ୍ରଦାନ କରିବାକୁ ମଞ୍ଜୁରି ଦେଇଛି। ଏ ନେଇ ବିଭାଗ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ ଅବଗତ କରାଯାଇଛି। ଏଣୁ, କେନ୍ଦ୍ରୀୟ ଅଂଶଧନ ବାବଦ ଅର୍ଥ ରାଶି ଶୀଘ୍ର ମିଳିବ ବୋଲି ଆଶା କରାଯାଉଛି। ଏହି କର୍ପସ ପାଣ୍ଠିରେ ୧୦୦ କୋଟି ରହିବ। ଏହି ପାଣ୍ଠି ଜରିଆରେ ଚାଷୀଙ୍କଠାରୁ ଆଳୁ, ପିଆଜ, ଡାଲି ସମେତ ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ନିମନ୍ତେ ସେହି ଅର୍ଥ ଖର୍ଚ ହେବ।

ପାଣ୍ଠି ସକ୍ରିୟ ହେବା ଫଳରେ ଆଳୁ ଓ ପିଆଜ ମିସନ କାର୍ଯ୍ୟ କରିବା କଥା। ଏହା ସହିତ ବିଭିନ୍ନ ଖାଦ୍ୟଶସ୍ୟ ଉତ୍ପାଦନ କରି ଅଭାବୀ ବିକ୍ରିର ସାମ୍ନା କରୁଥିବା ଚାଷୀମାନେ ଉପକୃତ ହୋଇପାରିବେ। ଫଳରେ ଖାଉଟିମାନେ ତିରୋଟ ସମୟରେ ଚଢ଼ା ଦର ଦେଇ କ୍ଷତିଗ୍ରସ୍ତ ହେବାରୁ ତ୍ରାହି ପାଇବେ। ଆଜି ଖୋଲା ବଜାରରେ ଆଳୁ କିଲୋ ପିଛା ୧୮ରୁ ୨୦ ଟଙ୍କା ଥିବା ବେଳେ ପିଆଜ ଦର କିଲୋ ପିଛା ୧୬ ଟଙ୍କା ରହିଛି। କିନ୍ତୁ ଏହି ପାଣ୍ଠିର ସହାୟତା ନେଇ ସରକାର ଦରଦାମ ସ୍ଥିର ରଖିବା ନିମନ୍ତେ ହସ୍ତକ୍ଷେପ କରିପାରିବେ। ଆଗାମୀ ଦିନରେ କେନ୍ଦ୍ରୀୟ ଅଂଶ ବାବଦକୁ ୫୦ କୋଟି ମିଳିବା ପରେ ଏ ଦିଗରେ ସରକାର କି ପଦକ୍ଷେପ ନେଉଛନ୍ତିି ଦେଖିବାକୁ ଅପେକ୍ଷା କରାଯାଉଛି।

ସମ୍ବନ୍ଧିତ ଖବର