ଭୁବନେଶ୍ବର: କେନ୍ଦ୍ର ସରକାର ତଥ୍ୟ ଦେଲେ ଓଡ଼ିଶାରେ ବାଘଙ୍କ ସଂଖ୍ୟା କମିଛି। ୨୦୧୮ରେ ୨୮ଟି ବାଘ ଥିଲେ, ୨୦୨୩ରେ ତାହା ୨୦କୁ ଖସିଛି। ଏଭଳି ତଥ୍ୟକୁ ରାଜ୍ୟ ସରକାର ଗ୍ରହଣ କଲେନି। ପ୍ରକୃତ ତଥ୍ୟ ଜଣାଇବାକୁ ରାଜ୍ୟ ସରକାର ନିଜସ୍ବ ବାଘ ଗଣନା କରୁଛନ୍ତି। ଏଭଳି ସମୟରେ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଡ୍ରପ୍ଆଉଟ୍ ତଥ୍ୟକୁ ନେଇ ପୁଣିଥରେ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ୨୦୨୧-୨୨ରେ ଓଡ଼ିଶାରେ ଡ୍ରପ୍ଆଉଟ୍ ହାର ୪୯.୯% ରହିଥିଲା। ଯାହାକି ଦେଶରେ ୧ନମ୍ବର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ତଥ୍ୟ ମାନିବାକୁ ନାରାଜ। ବିଭାଗୀୟ ଅଧିକାରୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ଡ୍ରପ୍ଆଉଟ୍ ହାର ୧୬% ରହିଛି। କୋଭିଡ୍ ସମୟରେ ପିଲାଙ୍କ ତଥ୍ୟ ଠିକ୍ ଭାବେ ଯାଞ୍ଚ କରା ନ ଯାଇ ଉତ୍ତର ଦିଆଯାଇଛି।
ମାଟ୍ରିକ୍ ଡ୍ରପ୍ ଆଉଟ୍ରେ ଓଡ଼ିଶା ନମ୍ୱର ୱାନ୍
ଡ୍ରପ୍ଆଉଟ୍ ହାର ୪୯.୯% ରହିଛି: କେନ୍ଦ୍ର ଶିକ୍ଷାମନ୍ତ୍ରୀ
୧୬% ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି: ଗଣଶିକ୍ଷା ବିଭାଗ
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ, ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାର ୪୯.୯% ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଏହି ସଂଖ୍ୟା ୨୦୨୦-୨୧ ଶିକ୍ଷାବର୍ଷରେ ୩୯.୪% ଥିବା ବେଳେ ୨୦୧୯-୨୦ରେ ୩୮.୩୫% ଓ ୨୦୧୮-୧୯ରେ ୧୨.୮% ରହିଥିଲା। ଡ୍ରପ୍ ଆଉଟ୍ ହାର ନିୟମିତ ଭାବେ ବୃଦ୍ଧି ପାଇଥିବା ବେଳେ କେନ୍ଦ୍ର ସରକାର ‘ସମଗ୍ର ଶିକ୍ଷା’ ଯୋଜନାରେ ଓଡ଼ିଶାକୁ ୨୦୧୯-୨୦ରେ ୧୮୯୪.୮୩ କୋଟି, ୨୦୨୦-୨୧ରେ ୧୪୯୭.୪୫ କୋଟି, ୨୦୨୧-୨୨ରେ ୧୪୫୩.୩୪ କୋଟି ଓ ୨୦୨୨-୨୩ରେ ୧୮୪୧.୦୭ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ମଣିପୁର ଭଳି ରାଜ୍ୟରେ ଡ୍ରପଆଉଟ୍ ହାର ଶୂନ୍ ରହିଛି। ୪ ଶିକ୍ଷାବର୍ଷ ହେଲା ଛତିଶଗଡ଼ର କୌଣସି ତଥ୍ୟ ନାହିଁ। ଦିଲ୍ଲୀରେ ଡ୍ରପ୍ଆଉଟ୍ ହାର ୧.୩% ଥିବା ବେଳେ ହିମାଚଳ ପ୍ରଦେଶରେ ୨.୫, ତ୍ରିପୁରାରେ ୩.୮, ଆଣ୍ଡାମାନରେ ୫.୯, ହରିଆଣାରେ ୭.୪, ଲାଦାଖରେ ୭.୮, ତାମିଲନାଡ଼ୁରେ ୯, ଉତ୍ତରପ୍ରଦେଶରେ ୯.୨, ମଧ୍ୟପ୍ରଦେଶରେ ୯.୮, ଡାମନ ଡ୍ୟୁରେ ୯.୮% ରହିଛି। କେବଳ ବିହାରରେ ୪୨.୧%କୁ ବାଦ୍ ଦେଲେ ଅନ୍ୟ କୌଣସି ରାଜ୍ୟରେ ଡ୍ରପ୍ଆଉଟ୍ ହାର ୪୦% ଛୁଇଁପାରି ନାହିଁ। ଦେଶରେ ଡ୍ରପ୍ ଆଉଟ ହାର କମୁଛି। ୨୦୧୮-୧୯ ଶିକ୍ଷାବର୍ଷରେ ଡ୍ରପ୍ ଆଉଟ୍ ହାର ୨୮.୪% ଥିବାବେଳେ ୨୦୧୯-୨୦ରେ ୨୬%, ୨୦୨୦-୨୧ରେ ୨୫.୪% ଓ ୨୦୨୧-୨୨ରେ ୨୦.୬%କୁ ହ୍ରାସ ପାଇଥିଲା।
ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଯେଉଁ ଲିଖିତ ଉତ୍ତର ଦେଇଛନ୍ତି ତାହା ଗ୍ରହଣ ଯୋଗ୍ୟ ନୁହେଁ। ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷ କୋଭିଡ୍ ଯୋଗୁଁ ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ତେଣୁ ଠିକ୍ ତଥ୍ୟ ଉପସ୍ଥାପିତ ହୋଇପାରି ନାହିଁ। ପିଲାମାନେ ମାଟ୍ରିକ୍ ପରେ କେବଳ ଯେ ଯୁକ୍ତ୨ କିମ୍ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବେ ତାହାର କିଛି ମାନେ ନାହିଁ। ବହୁ ପିଲା ଆଇଟିଆଇ, ଡିପ୍ଲୋମା ପରି ବୈଷୟିକ ଶିକ୍ଷାକୁ ଆପଣାଉଛନ୍ତି। ଯେଉଁମାନଙ୍କ ତଥ୍ୟକୁ ହିସାବକୁ ନିଆଯାଇ ନାହିଁ। ଓଡ଼ିଶାରେ ଡ୍ରପ୍ଆଉଟ୍ ହାର ୧୬.୪% ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଭଲ ସ୍ଥିତିରେ ରହିଛି। ୫-ଟି ଅଧୀନରେ ହାଇସ୍କୁଲଗୁଡ଼ିକର ରୂପାନ୍ତର ହେବା ପରେ ଛାତ୍ରଛାତ୍ରୀ ପାଠପଢ଼ା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି।