ଭୁବନେଶ୍ୱର : ୨୦୧୭-୧୮ ଲାଗି ଧାର୍ଯ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୧୫୫୦ ଟଙ୍କା ଯଥେଷ୍ଟ। ଏଥିରେ ବୃଦ୍ଧି କରିବାର କୌଣସି ସମ୍ଭାବନା ନାହିଁ ବୋଲି କେନ୍ଦ୍ର କୃଷି ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ପ୍ରକାଶ କରିବା ଚାଷୀକୂଳ ପାଇଁ ଦୁର୍ଭାଗ୍ୟଜନକ। ରାଜ୍ୟ ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ରାଜ୍ୟର ଚାଷୀକୂଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।
ଆଜି ଶ୍ରୀ ହରିଚନ୍ଦନ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ବର୍ତମାନ କ୍ୱିଣ୍ଟାଲ୍ ପିଛା ସହାୟକ ମୂଲ୍ୟ ୧୫୫୦ ଟଙ୍କା ଉପରେ ଜଣେ ଚାଷୀ ୪୩୩ ଟଙ୍କା ଲାଭ ପାଉଥିବା ନେଇ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କର ଉକ୍ତି ହାସ୍ୟାସ୍ପଦ। କେନ୍ଦ୍ର ସରକାରଙ୍କର ‘ଏଗ୍ରିକଲଚରାଲ କଷ୍ଟ୍ ଆଣ୍ଡ ପ୍ରାଇସ୍ କମିଶନ’ ଧାନର ଉତ୍ପାଦନ ଖର୍ଚ୍ଚ ୧୧୧୭ ଟଙ୍କା ଉପରେ ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟଠାରୁ ଚାଷୀ ୪୩୩ ଟଙ୍କା ଲାଭ ପାଉଛି ବୋଲି କିପରି ଆକଳନ କଲେ, ତାହା ସନ୍ଦେହଜନକ। ରାଜ୍ୟ ସରକାର ମଧ୍ୟ ଚାଷୀଙ୍କୁ ଧୋକା ଦେବାରେ ପଛରେ ପଡିନାହାନ୍ତି। ଦୁଇବର୍ଷ ତଳେ ମୁଖ୍ୟମନ୍ତ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୨୦୦ ଟଙ୍କା ବୋନସ୍ ଦେବେ ବୋଲି ଘୋଷଣା କରିଥିଲେ। ସେହି ଘୋଷଣା ଘୋଷଣାରେ ରହିଗଲା ବୋଲି ସେ କହିଛନ୍ତି। ସେହିପରି ଧାନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ବିଜେପି ସରକାରଙ୍କ ଦୋମୁହାଁ ନୀତିକୁ କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ନିନ୍ଦା କରିଛନ୍ତିି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/paddy.jpg)