ଭୃଗୁ ଜ୍ୟୋତିଷ ଗଣନା : କେନ୍ଦ୍ର-ରାଜ୍ୟ ସମ୍ପର୍କ ଆହୁରି ଦୃଢ଼ ହେବ, ବଦଳିପାରେ ମନ୍ତ୍ରିମଣ୍ଡଳର ଚେହେରା

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ରାଜନୀତିରେ କିଛି ବଦଳିବାର ନାହିଁ। ଯିଏ ଯେଉଁଠି ଥିଲେ, ସେଇଠି ସହି ସଲାମତ ରହିବେ। ବିରୋଧୀଙ୍କ ଆନ୍ଦୋଳନ ତୀବ୍ର ହେଲେ ବି ଶାସନ କଳ ଉପରେ ବିଶେଷ ପ୍ରଭାବ ପଡ଼ିବନି। ଉଲ୍ଲେଖନୀୟ ପ୍ରସଙ୍ଗ ହେଲା କେନ୍ଦ୍ର-ରାଜ୍ୟ ସମ୍ପର୍କ ୨୦୨୦ରେ ଆହୁରି ଦୃଢ଼ ହେବ। ଉଭୟ ନିଜ ନିଜର ଆବଶ୍ୟକତା ପାଇଁ ପରସ୍ପର ଉପରେ ମାତ୍ରାଧିକ ନିର୍ଭରଶୀଳ ହେବେ। ୨୦୨୦କୁ ନେଇ ଏମିତି ଗଣନା କରିଛନ୍ତି ଭୃଗୁ ଜ୍ୟୋତିଷ ପଣ୍ତିତ ଶ୍ରୀଧର ଆଚାର୍ଯ୍ୟ।

ଓଡ଼ିଶା ସମ୍ପର୍କରେ ପଣ୍ଡିତ ଆଚାର୍ଯ୍ୟଙ୍କ ଗଣନା ଆହୁରି କହୁଛି, କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ସୁସମ୍ପର୍କ ରଖିବେ। ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ବହୁତ ଆସିବ। ନିର୍ଦ୍ଦିଷ୍ଟ ଭାବେ ଶିକ୍ଷା କ୍ଷେତ୍ରରେ ଅଧିକ କେନ୍ଦ୍ରୀୟ ଅନୁଦାନ ଆସିବା ସହ କେନ୍ଦ୍ରୀୟ ପ୍ରତିଷ୍ଠାନ ବି ଖୋଲିପାରେ। ତେବେ କିଛି କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବ ଦେଖାଦେବାର ଆଶଙ୍କା ରହିଛି। ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ। କିଛିଟା କେନ୍ଦ୍ରୀୟ ଯୋଜନାରୁ ରାଜ୍ୟ ବଞ୍ଚିତ ହୋଇପାରେ।

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶାସନ ବ୍ୟବସ୍ଥା ସମ୍ପର୍କରେ ପଣ୍ଡିତ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆସନ ପ୍ରତି କିଛି ବିପଦ ନାହିଁ। ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନା ସରକାର ହାତକୁ ନେବେ। କିଛିଟା ପଦକ୍ଷେପ ସରକାରଙ୍କୁ ବଦନାମ କରିପାରେ। ଖଣି ଦୁର୍ନୀତି ଓ ଚିଟ୍‌ଫଣ୍ଡ୍‌ ଦୁର୍ନୀତି ସରକାରଙ୍କୁ ଅଡ଼ୁଆରେ ପକାଇପାରେ। ସରକାରୀ ଦଳରେ ଆଭ୍ୟନ୍ତରୀଣ ବିବାଦ ଦେଖାଦେଇପାରେ। ମଝିରେ ମଝିରେ ବିରୋଧୀଙ୍କ ଆନ୍ଦୋଳନ ଅଣାୟତ ପରିସ୍ଥିତି ସୃଷ୍ଟି କରିପାରେ। ବଜେଟ୍‌ ଅଧିବେଶନ ପରେ ମନ୍ତ୍ରିମଣ୍ଡଳ‌ରେ ଅଦଳବଦଳ ହୋଇପାରେ। ରାଜ୍ୟରେ ମରୁଡ଼ି ସ୍ଥିତି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିବାର ଆଶଙ୍କା ରହିଛି। ୨୦୨୦ ଚାଷୀଙ୍କ ପାଇଁ ଅନୁକୂଳ ହେବ। ନୂଆ ଚାଷୀ ନୀତି ଚାଷୀମାନଙ୍କୁ ଲାଭ ଦେବ। ଭଲ ଫସଲ ଅମଳ ହେବ। କିନ୍ତୁ ବିଭିନ୍ନ ସମୟରେ ଏକାଧିକ ଲଘୁଚାପ ଧନଜୀବନକୁ ଅସ୍ତବ୍ୟସ୍ତ କରିଦେବାର ଆଶଙ୍କା ରହିଛି।

ରାଜ୍ୟନୈତିକ ବ୍ୟକ୍ତିଙ୍କ ସମ୍ପର୍କରେ ଗଣନାରେ କୁହାଯାଇଛି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ରାଜନୀତି ସହ ସଂପୃକ୍ତ ହେବାର ଯୋଗ ନାହିଁ। ଦାମୋଦର ରାଉତ ରାଜନୀତିରେ ପୁଣି ନିଜ ସ୍ଥିତି ଜାହିର କରିବାର ସମ୍ଭାବନା ରହିଛି। ବୈଜୟନ୍ତ ପଣ୍ଡା ଜାତୀୟ ସ୍ତରରେ ସାମ୍ବିଧାନିକ ପଦବି ପାଇପାରନ୍ତି। ବିଜୟ ମହାପାତ୍ରଙ୍କୁ ଦଳରେ ଗୁରୁତ୍ବ ମିଳିବା ସହ ବଡ଼ ପଦବି ମିଳିପାରେ।

ସମ୍ବନ୍ଧିତ ଖବର