ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାରୁ ପ୍ରୋଟିନ୍ ଭିଟାମିନ୍ଯୁକ୍ତ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ରର ନିର୍ଦେଶ
କେସିଙ୍ଗା : କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାରୁ ପ୍ରୋଟିନ୍ ଭିଟାମିନଯୁକ୍ତ ଉଷୁନା ଚାଉଳ କିଣିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟ ସରକାର ତରବରିଆ ଭାବେ ଏହି ୬ଟି ଜିଲ୍ଲାର ମିଲର୍ସଙ୍କୁ ବ୍ଲେଣ୍ଡିଙ୍ଗ୍ ମେସିନ୍ ଲଗାଇ ଆସନ୍ତା ଖରିଫରୁ ଭିଟାମିନ୍ଯୁକ୍ତ ଚାଉଳ ସଂଗ୍ରହ ପାଇଁ ନିର୍ଦେଶ ଦେଇଛନ୍ତି। ଯେଉଁମାନେ ଭିଟାମିନ୍ଯୁକ୍ତ ଚାଉଳ ଦେବେନାହିଁ ତାଙ୍କ ଚାଉଳ ଆଉ ସଂଗ୍ରହ ହେବନି ବୋଲି ରୋକ୍ଠୋକ୍ କେନ୍ଦ୍ର ସରକାର ଶୁଣାଇଛନ୍ତି।
ଅଗଷ୍ଟ ୧୫ତାରିଖରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସବୁ ଯୋଜନାରେ ପ୍ରୋଟିନ୍ ଭିଟାମିନ୍ଯୁକ୍ତ ଚାଉଳ ମିଳିବ ବୋଲି କହିବା ପରେ ଏହି ନିର୍ଦେଶନାମା ଜାରି ହୋଇଛି। କେନ୍ଦ୍ରର ଚିଠି ମିଳିବା ପରେ ରାଜ୍ୟ ସରକାରଙ୍କ ସଚିବ ବିଜୟ ସାହୁ ଚିଠି ନଂ ୧୩୬୬୦, ତା ୧୭/୯/୨୧ ଅନୁଯାୟୀ ଯୋଗାଣ ନିଗମ ପରିଚାଳନା ନିର୍ଦେଶକଙ୍କୁ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଏହି ଚାଉଳ ସଂଗ୍ରହ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ମିଲର୍ସମାନେ ତରବରିଆ ଭାବେ ଏହି ମେସିନ୍ ଲଗାଉଛନ୍ତି। ସେପଟେ କେନ୍ଦ୍ର ଧୀରେ ଧୀରେ ଉଷୁନା ଚାଉଳ ବନ୍ଦ କରିବ ନାହିଁ ତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।